ମହାପଞ୍ଚାୟତ ଆୟୋଜନ କରିବ ନବନିର୍ମାଣ କୃଷକ ସଙ୍ଗଠନ : ୧୯ରେ ଓଡ଼ିଶା‌ ଆସିବେ ରାକେଶ ଟିକାଏତ

ବୁଝାଇବେ କୃଷି ଆଇନର ଅପକାରିତା

ଭୁବନେଶ୍ବର : କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୧୯ ତାରିଖରେ ଚଣ୍ଡିଖୋଲରେ ମହାପଞ୍ଚୟତ ଆୟୋଜନ କରିବ ନବନିର୍ମାଣ କୃଷକ ସଙ୍ଗଠନ। ଏଥିରେ କୃଷି ଆଇନ ବିରୋଧରେ ଦିଲ୍ଲୀ ଆନ୍ଦୋଳନର ପ୍ରମୁଖ ଚାଷୀନେତା ରାକେଶ ଟିକାଏତ, ହରିୟାଣାର ଗୁରନାମସିଂ ଚଡ଼ୌନି, ପଞ୍ଜାବର ବଲବୀର ସିଂ ରଜଓ୍ବାଲା ପ୍ରମୁଖ ଯୋଗ ଦେବେ। ଆଜି ସାମ୍ବାଦିକ ଭବନରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ନେତା ଅକ୍ଷୟ କୁମାର।

ସେ କହିଛନ୍ତି, କୃଷି ଆଇନ ବିରୋଧୀ ଆନ୍ଦୋଳନକୁ ଜାତୀୟ ସ୍ତରରେ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ୟୁପି, ହରିୟାଣା, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ମହାପଞ୍ଚାୟତମାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ମଣ୍ଡି ଘରୋଇକରଣ, ଠିକା ଚାଷ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ-୧୯୫୫ ପ୍ରତ୍ୟାହାରକୁ ବିରୋଧ କରିବେ। ଏହି କଳା ଆଇନ ଯୋଗୁଁ ଚାଷୀ ବିସ୍ଥାପିତ ହେବେ, ନିଜ ଜମିରେ ମୂଲିଆ ହେବା ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଇନର ଅପସାରଣ ପରେ ନାମମାତ୍ର ଚାଷୀ କିଭଳି ଅନାହାର ମୁହଁକୁ ଠେଲି ହୋଇଯିବେ ସେ ବିଷୟରେ କୁହାଯିବ। ଏମ୍‌ଏସ୍‌ପିକୁ ଆଇନ ପରିସରଭୁକ୍ତ କରିବା ପାଇଁ ଦେଶରେ ଚାଲିଥିବା ଆନ୍ଦୋଳନରେ ରାଜ୍ୟର ପ୍ରତ୍ୟେକ ଚାଷୀ ପରିବାର କିଭଳି ସାମିଲ ହେବେ ସେ ନେଇ ମଧ୍ୟ ସଙ୍କଳ୍ପ ନିଆଯିବ ବୋଲି ସେ କହିଥିଲେ।

ଅକ୍ଷୟ କୁମାର ଆହୁରି କହିଥିଲେ ଯେ କୃଷି ଆଇନ ପ୍ରତ୍ୟେହାର ଦାବିରେ ଦିଲ୍ଲୀରେ ଚାଲିଥିବା ଏହି ଆନ୍ଦୋଳନ ପ୍ରାୟ ୧୦୦ ଦିନ ପହଞ୍ଚିଛି। ଏଥିରେ ୨୦୦ ଚାଷୀ ସହିଦ ହୋଇ ସାରିଥିଲେ ବି ସରକାର ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ବରଂ କୃଷି ଆନ୍ଦୋଳନକୁ ବଦନାମ କରିବା ସହିତ ଏହାକୁ ଭ୍ରମିତ କରାଯାଉଛି। କେନ୍ଦ୍ର ସରକାର ନିଜେ ଲୋକ ଲଗାଇ ଲାଲକିଲ୍ଲାରେ ଖଲିସ୍ତାନ ପତାକା ଲଗାଇବା ଏହାର ଉଦାହରଣ। ଏଥିସହିତ ଏହି ଆନ୍ଦୋଳନ ପଛରେ ବିଦେଶୀ ଶକ୍ତି, ଖଲିସ୍ତାନର ହାତ ଥିବା ଅଭିଯୋଗ ହେଉଛି। କିଛି ରାଜ୍ୟକୁ ଛାଡ଼ି ଦେଲେ ଏହି କୃଷି ଆଇନର ଅପକାରିତା ବିଷୟରେ ବିଶେଷ ପ୍ରଚାରପ୍ରସାର ହୋଇ ପାରୁ ନାହିଁ। ତେଣୁ ଏ ବିଷୟ ଲୋକଙ୍କ ନିକଟରେ ପହଞ୍ଚାଇବା ହିଁ ନବନିର୍ମାଣ କୃଷକ ସଙ୍ଗଠନର ଉଦ୍ଦେଶ୍ୟ। ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇ ରାୟ, ରଶ୍ମିରଞ୍ଜନ ସ୍ବାଇଁ, ଯୁବଛାତ୍ର ଆବାହକ ମନଓ୍ବର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର