ଯାଜପୁର/ଚଣ୍ଡିଖୋଲ: ଦେଶ ବିକାଶର ଆହ୍ବାନ ଦେଇ ଶାସନକୁ ଆସିଥିବା ମୋଦୀ ସରକାର ଦେଶକୁ ବିକିବାରେ ଲାଗିପଡ଼ିଛନ୍ତି। ବିମାନ ବନ୍ଦର, ରେଲଷ୍ଟେସନ, ବିଏସ୍ଏନ୍ଏଲ, ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସଂସ୍ଥାକୁ ବିକ୍ରି କରିବାରେ ଲାଗିଛନ୍ତି। କେନ୍ଦ୍ରର ପୁଞ୍ଜିପତି ସରକାର ଶେଷରେ କୃଷକମାନଙ୍କ କ୍ଷେତକୁ ମଧ୍ୟ କମ୍ପାନି ନିକଟରେ ବିକିବା ପାଇଁ କଳା ଆଇନ୍ ଆଣିଛନ୍ତି । 'ସବ୍କା ସାଥ୍ ସବ୍କା ବିକାଶ' ସ୍ଲୋଗାନ ଦେଉଥିବା ବିଜେପି ଜନସାଧାରଣଙ୍କ ସମର୍ଥନରେ ଶାସନକୁ ଆସିବା ପରେ କର୍ପୋରେଟ୍( ପୁଞ୍ଜିପତି)ଙ୍କ ସରକାରରେ ପରିଣତ ହୋଇଯାଇଛି। କୃଷକ ବିରୋଧୀ ତିନି କଳା ଆଇନ୍ ପ୍ରତ୍ୟାହାର ଓ ଏମ୍ଏସ୍ପି ଲାଗୁ କରିବା ପାଇଁ ଦାବି କରାଯିବା ସହିତ ଚାଷୀମାନଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉନଥିବା ବିଜେପି ନେତାଙ୍କୁ ଗାଁରେ ପୁରାଇ ଦିଅନ୍ତୁ ନାହିଁ ବୋଲି ସର୍ବଭାରତୀୟ କୃଷକ ନେତାମାନେ ଆଜି ଆହ୍ବାନ ଦେଇଛନ୍ତି।
ଆଜି ଚଣ୍ଡିଖୋଲଠାରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଆହ୍ବାନ କ୍ରମେ ମହାପଞ୍ଚାୟତ ସଭା ଅନୁଷ୍ଠିତ ହୋଇଯାଇଛି। ନବ ନିର୍ମାଣ କୃଷକ ସଂଗଠନ ସହଯୋଗରେ ଆୟୋଜିତ ଏହି ମହାପଞ୍ଚାୟତ ସଭାରେ ଜାତୀୟସ୍ତରରେ ଦିଲ୍ଲୀଠାରେ ୧୧୩ଦିନ ହେଲା ଚାଲିଥିବା କୃଷକ ଆନ୍ଦୋଳନର ମୁଖ୍ୟ ଚୌଧୁରୀ ରାକେଶ ଟିକାୟତ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ପୁଞ୍ଜିପତିଙ୍କ ପ୍ରତି ଅହେତୁକ ଅନୁକମ୍ପା ନେଇ କଟୁ ସମାଲୋଚନା କରିଛନ୍ତି। ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ଓଡ଼ିଶା ସମର୍ଥନ ଦେଇ ସାମିଲ ହୋଇଥିବାରୁ ଶ୍ରୀ ଟିକାୟତ ସାଧୁବାଦ ଜଣାଇବା ସହିତ କୃଷକଙ୍କ ସ୍ବାର୍ଥ ପାଇଁ ଆରମ୍ଭ ହୋଇଥିବା ଏହି ଦୀର୍ଘ ସମୟ ଲଢେଇକୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ। ୧୯୪୭ରେ ରାଜନୈତିକ ସ୍ବାଧୀନତା ମିଳିଥିବା ବେଳେ ଅର୍ଥନୈତିକ ସ୍ବାଧୀନତା ପାଇଁ ଏହି ଲଢେଇ ଆରମ୍ଭ ହୋଇଛି। ଶାସକମାନେ ନିଜର ସୁବିଧା ପାଇଁ ନୀତି କରୁଛନ୍ତି। ଶାସିତମାନଙ୍କୁ ଶୋଷଣ କରୁଛନ୍ତି। ଦେଶର ନୀତି କର୍ପୋରେଟ୍ ହାଉସ ଆଦାନି ଓ ଆମ୍ବାନୀ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଛି। ମୋଦୀ ସରକାରଙ୍କ ଦ୍ବାରା ବରିଷ୍ଠ ବିଜେପି ନେତୃବୃନ୍ଦ ଗୃହବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ମୁକ୍ତ କରିବାକୁ ପଡ଼ିବ ବୋଲି ଶ୍ରୀ ଟିକାୟତ କହିଛନ୍ତି। ଦିଲ୍ଲୀରେ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପିବା ଆବଶ୍ୟକ। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରିବାକୁ ପଡିବ । ଦାବି ହାସଲ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଟିକାୟତ ଆହ୍ବାନ ଦେଇଛନ୍ତି।
/sambad/media/post_attachments/wp-content/uploads/2021/03/tikyat1.jpg)
କଳା କୃଷି ଆଇନ୍ ପ୍ରତ୍ୟାହର ଓ ଏମ୍ଏସ୍ପି ଲାଗୁ ପାଇଁ ଦାବିକୃଷି ବିରୋଧୀ ବିଜେପି ନେତାଙ୍କୁ ଗାଁରେ ପୁରାଇ ଦିଆଯିବ ନାହିଁ
ପଞ୍ଜାବର କୃଷକ ନେତା ବଲବୀର ସିଂ ରଜୱାଲା କଟୁ ସମାଲୋଚନା କରିବାକୁ ଯାଇ କହିଲେ ପାକିସ୍ତାନ କିମ୍ବା ଚୀନ ଭାରତକୁ ଦଖଲ କରିପାରିବ ନାହିଁ। ଅଥଚ ମୋଦୀ ସରକାର ଭାରତକୁ କମ୍ପାନି ହାତରେ ବିକି ଦେବେ। ଗତ ୧୫ବର୍ଷ ମଧ୍ୟରେ ପୁଞ୍ଜିପତିମାନେ ୪୫ଲକ୍ଷ କୋଟି ଟଙ୍କା ହରିଲୁଟ୍ କରିଛନ୍ତି। ବିଜେପି ସରକାର ଦେଶରେ ହୀନ ରାଜନୀତି କରି ଧର୍ମ ନାମରେ ଭାଇଚାରା ନଷ୍ଟ କରିବାରେ ଲାଗିଛି ବୋଲି ଶ୍ରୀ ରଜୱାଲା କହିଛନ୍ତି।
ସେହିପରି ହରିଆଣାର ବରିଷ୍ଠ କୃଷକ ନେତା ଗୁରୁନମସିଂ ଚଣ୍ଡୁନି କହିଲେ ଦିଲ୍ଲୀ ଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଫନ୍ଦିଫିକର ଫସର ଫାଟିଛି। ମୋଦୀ ସରକାରଙ୍କ ହୀନ ଉଦ୍ୟମକୁ ସମଗ୍ର ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଦେଶରେ ଚାଲିଥିବା ପୁଞ୍ଜିପତିମାନଙ୍କ ସରକାର ଭାରତର ସର୍ବସାଧାରଣଙ୍କୁ ଧୋକା ଦେଇଛି। କେନ୍ଦ୍ରର ବିଜେପି ସରକାର ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି କମ୍ପାନିର ସ୍ବାର୍ଥରେ କାମ କରୁଛି ବୋଲି ସିଧାସଳଖ ଆକ୍ଷେପ କରିଥିଲେ।
ବରିଷ୍ଠ ସାମ୍ବାଦିକ ରବି ଦାସ କଳା କୃଷି ଆଇନ ପ୍ରତ୍ୟାହାର ଓ ଏମ୍ଏସ୍ପି ଲାଗୁ ଉପରେ ମତ ରଖିଥିଲେ। ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ନେତା ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସଂଯୋଜନା କରିଥିଲେ। ଉତ୍ତର ପ୍ରଦେଶ ପ୍ରଭାରୀ ହିମାଂଶୁ ତିୱାରୀ ଅତିଥିି ପରିଚୟ ପ୍ରଦାନ କରିଥିବା ବେଳେ ଉମାକାନ୍ତ ଭାରତ ଧନ୍ୟବାଦ ଦେଇଥିଲେ। ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ବାଇଁ, ଦୁର୍ଗା ପ୍ରସାଦ ଦାସ ସଂଯୋଜନାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର କଟକ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ଶ୍ରୀନାଥ ମିଶ୍ର, ସଂଜୟ ରାୟ, ମାନସରଞ୍ଜନ କର, ନିକୁଞ୍ଜନ ପଛାୟତ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କୃଷକନେତା ଓ ଚାଷୀମାନେ ଏହି ସମାବେଶରେ ଯୋଗ ଦେଇଥିଲେ। ଆଜି ପ୍ରଚଣ୍ଡ ଖରାରେ ପୂର୍ବାହ୍ଣରୁ ଅପରାହ୍ଣ ପର୍ଯ୍ୟନ୍ତ ଚାଷୀମାନେ ବସି ରହି ଜାତୀୟସ୍ତରର କୃଷକ ନେତାମାନଙ୍କ ଆହ୍ବାନକୁ ବେଶ ଉତ୍ସାହ ସହିତ ଗ୍ରହଣ କରିଥିଲେ।