ଆର୍‌ଏସ୍‌ପିରେ ଠିକା ନିଯୁକ୍ତି ରାକେଟ! ଠକାମିରେ ଶିକାର ହେଲେଣି ୫୦୦ ବେକାର

ରାଉରକେଲା: ନିକଟରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ସ୍ଥାୟୀ ନିଯୁକ୍ତି ନାଁରେ ଖୋଲଯାଇଥିଲା ସେଲ୍‌ର ନକଲି ଆପ୍‌ । ଲୋଭନୀୟ ଅଫ୍‌ର ଦର୍ଶାଇ ‌ବେକାରୀ ଯୁବକଯୁବତୀଙ୍କୁ ଠକାଯାଉଥିଲା। ଏବେ ପୁଣି ଆର୍‌ଏସ୍‌ପିରୁ ଆସିଛି  ସମାନ ଅଭିଯୋଗ। ଝାଡ଼ଖଣ୍ଡର ଟାଟାର ଜୈନିକ ବ୍ୟକ୍ତି ଠିକା ସଂସ୍ଥା ଖୋଲି ବେକାରୀଙ୍କଠୁ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିଯୁକ୍ତି ଆବେଦନ ପାଇଁ ପ୍ରତ୍ୟେକଙ୍କ ଠାରୁ ୧୩୨୪ ଟଙ୍କା କରି ପାଖାପାଖି ୫୦୦ ବେକାରୀଙ୍କଠୁ ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ୬୬ ହଜାର ଠକି ନେଇଥିବା ଅଭି‌ଯୋଗ ହୋଇଛି। ଆର୍‌ଏସ୍‌ପି ବ୍ଲାଷ୍ଟଫର୍ଣ୍ଣେସରେ ନିୟୋଜିତ ଏହି ଠିକା ସଂସ୍ଥା କାର୍ଯ୍ୟ କରୁଥିବା ଠିକାମୀର ଶିକାର ବେକାରୀମାନେ କହିଛନ୍ତି।

ଗତ ୧୬ ତାରିଖ ଏହି ଠକାମି ଘଟଣା ସାମ୍ନାକୁ ଆସିଥିଲା। ଯେତେବେଳେ କିଛି ବେକାରୀ ଯୁବକ ଠିକାସଂସ୍ଥାର ନିଯୁକ୍ତିପତ୍ର ଧରି ଆର୍‌ଏସ୍‌ପି ଗେଟ୍‌ରେ କାରଖାନା ଭିତରକୁ ପଶିଥିଲେ। ଗେଟ୍‌ରେ କାର୍ଯ୍ୟରତ ସିଆଇଏସ୍‌ଏଫ୍‌ ଯବାନମାନେ ବେକାରୀଙ୍କ କାଗଜପତ୍ର ଯାଞ୍ଚରୁ ଏହା ନକଲି ଥିବା ଜଣାପଡିଥିଲା। ପରେ ଠିକାଦାର ଅଧୀନରେ କାମ କରିବାକୁ ନିଯୁକ୍ତିପତ୍ର ପାଇଥିବା ସୁପରଭାଇଜର, ସାଇଟ୍‌ ମ୍ୟାନେଜର ସମେତ ଅନ୍ୟାନ୍ୟ ପଦବୀର ଯୁବକମାନେ ଆର୍‌ଏସ୍‌ପି ମୁଖ୍ୟ ଗେଟ୍‌ ଆଗରେ  ପାଟିତୁଣ୍ଡ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ସିଆଇଏସ୍‌ଏଫ୍‌ ଯବାନ ସେମାନଙ୍କୁ ବୁଝାସୁଝା କରି ସେଠାରୁ ବିଦା କରି ଦେଇଥିଲେ।

ପରେ ସେମାନେ ସ୍ଥାନୀୟ ପ୍ଲାଣ୍ଟସାଇଟ୍‌ ଥାନାରେ  ଅଭିଯୋଗ କରିଥିଲେ। ମାତ୍ର ସେମାନଙ୍କ ଅଭିଯୋଗ କେହି ଶୁଣି ନଥିଲେ। ଶେଷରେ ବାଧ୍ୟ ହୋଇ ସେମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ। ବନ୍ଧମୁଣ୍ଡା ଷ୍ଟେସନ ରୋଡର ଠକାମିର ଶିକାର ଜେମ୍ସ ସୋଏ କହିଛନ୍ତି  ଝାରଖଣ୍ଡ ଟାଟାର ବାଲାଜି ନାମକ ଏକ ଠିକାସଂସ୍ଥା ଅଧୀନରେ ଆର୍‌ଏସ୍‌ପିରେ ଠିକାକାମ ପାଇଁ ବିଭିନ୍ନ ବର୍ଗର ପଦବୀ ବାହାର କରିଥିଲେ। ସୁପରଭାଇଜର ପଦବୀ ପାଇଁ ମାସିକ ୨୫ ହଜାର ୫୦୦ରୁ ୩୬ ହଜାର ଟଙ୍କା। ସାଇଟ୍‌ ଇନ୍‌ଚାର୍ଜ ୩୨, ୦୦୦, ଷ୍ଟୋର କିପର ୧୬,୦୦୦ରୁ ୩୨,୫୦୦, ପାଇପ୍‌ ଲାଇନ୍‌ ଫିଟ୍‌ର ୨୮,୦୦୦ରୁ ୩୭୦୦୦, ୱେଲ୍‌ଡର ୨୯,୦୦୦ରୁ ୩୨,୦୦୦, ଇଲେକ୍ଟ୍ରିସିଆନ୍‌ ୧୯,୦୦୦ରୁ ୨୪,୦୦୦, ଗ୍ୟାସ୍‌ କଟର ୧୯,୫୦୦ରୁ ୨୨,୫୦୦, ଖଲାସି ୧୫,୦୦୦, ସିଭିଲ୍‌ ସୁପରଭାଇଜର ୨୯,୫୦୦, ଆକାଉଣ୍ଟାଣ୍ଟ ୨୬,୦୦୦, କ୍ୟାସିୟର ପଦବୀ ପାଇଁ ୨୮,୦୦୦ ଦରମା ଦର୍ଶାଯାଇଥିଲା। ଏଥିସହ ଓଭରଟାଇମ୍‌ କାମ କଲେ ମାସିକ ଦରମାର ଦୁଇଗଣ ମିଳିବ ବୋଲି ମଧ୍ୟ ଲୋଭନୀୟ ଅଫର୍‌ ଦିଆଯାଇଥିଲା।

ଲୋଭରେ ବଶବର୍ତ୍ତୀ ହୋଇ ଜଣେ କି ଦୁଇଜଣ ନୁହେଁ ତାଙ୍କ ପରି ୫୦୦ରୁ ଅଧିକ ବେକାରୀ ଠିକାସଂସ୍ଥା ପକ୍ଷରୁ ଦିଆଯାଇଥିବା ଠିକାଣାରେ ଆବେଦନ କରିଥିଲେ। ଏପରିକି ଆବେଦନ ପାଇଁ ଠିକାସଂସ୍ଥା ପକ୍ଷରୁ ଧାର୍ଯ୍ୟ ୧୩୨୪ ଟଙ୍କା ମଧ୍ୟ ଜମା କରିଥିଲେ। କେବଳ ଏତିକି ନୁହେଁ ପ୍ରକଳ୍ପର କାର୍ଯ୍ୟର ଅବଧି ୧୦ ବର୍ଷ ରହିଛି। ବିଭିନ୍ନ ବର୍ଗର ମୋଟ ୨୩୦ ପଦବୀ ଆକଶ୍ୟକ ବ‌ୋଲି ମଧ୍ୟ ଦର୍ଶଯାଇଥିଲା। ଆର୍‌ଏସ୍‌ପି ଠିକାନିଯୁକ୍ତିରେ ଏଭଳି ରାକେଟ୍‌କୁ  ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଠାମିରେ ଶିକାର ଯୁବକମାନେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ,  ଗତ ଦୁଇ ମାସ ପୂର୍ବରୁ ସମ୍ବଲପୁର ଜଣେ ଯୁବକ ନିଯୁକ୍ତି ନାଁରେ ‌ଜଣେ ବେକାରୀଙ୍କୁ ଆର୍‌ଏସ୍‌ପିର ନକଲି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଏଥପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। କେବଳ ଦୁଇଟି ଘଟଣା ବିଗତ ଦିନରେ ଏମିତି ଅନେକ ଘଟିଛି। ଏଥିପ୍ରତି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଗୁରୁତ୍ବ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର