ପୁରୀ: ବଡ଼ଦେଉଳର ବଡ଼ଠାକୁରଙ୍କ ପାଇଁ ତିଆରି ଚାଲିଛି ରାଖି। ଗହ୍ମା ପୁନେଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ପିନ୍ଧାଇବେ ରାଖି। ଏ ନେଇ ଚିତାଲାଗି ଅମାବାସ୍ୟା ପରଠୁ ପାଟରା ବିଷୋୟୀ ସେବକ ନିଜ ଦୋଳମଣ୍ଡପସାହିସ୍ଥିତ ବାସଗୃହରେ ରାଖି ପ୍ରସ୍ତୁତି ଚଳାଇଛନ୍ତି। ବିଧି ମୁତାବକ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀବଳଭଦ୍ର ଦୁଇଟି ଲେଖାଏଁ ରାଖି ପିନ୍ଧିବେ। ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆମାଳ ପରିଧାନ କରି ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ।

Advertisment

ମହାପ୍ରଭୁଙ୍କ ପାଇଁ ରାଖି ତିଆରି କରୁଥିବା ପାଟରା ବିଷୋୟୀ ସେବକ ସନ୍ତୋଷ କୁମାର ପାତ୍ରଙ୍କ କହିବା ମୁତାବକ, ରାଖି ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପରିମାଣରେ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଥିଲା। ପ୍ରାକୃତିକ ହଳଦିଆ, ନାଲି, ନେଳି ଓ ବାଇଗଣି ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗିନ କରିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ପ୍ରସ୍ତୁତ କରାଯାଇଥିଲା। କାଠପାନିଆରେ ଏହାକୁ ସାଇଜ କରି ୫ ଥାକିଆ ରାଖି ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି। ଶ୍ରୀ ପାତ୍ରଙ୍କୁ ତାଙ୍କ ପୁଅ ପ୍ରଶାନ୍ତ କୁମାର ପାତ୍ର ରାଖି ତିଆରି କାର୍ଯ୍ୟରେ ସହଯୋଗ କରୁଛନ୍ତି। ରାଖି ପ୍ରସ୍ତୁତି ନିଷ୍ଠାର ସହ କରାଯାଏ। ଏଥିପାଇଁ ଖାଦ୍ୟ ପେୟଠୁ ନେଇ ସବୁ କ୍ଷେତ୍ରରେ ପବିତ୍ରତା ବଜାୟ ରଖିବାକୁ ପଡ଼େ ବୋଲି କହିଛନ୍ତି ପ୍ରଶାନ୍ତ।

ସନ୍ତୋଷ କହିଛନ୍ତି, ଚାରିଟି ବଡ଼ ରାଖି ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ଶ୍ରୀବଳଭଦ୍ର ନେଳି ଓ ବାଇଗଣି ରଙ୍ଗର ଗୁଆମାଳ ପରିଧାନ କରିଥାଆନ୍ତି। ଏହାବ୍ୟତୀତ ସେଇ ବାସୁଙ୍ଗାପାଟରେ ୧୫ଟି ଛୋଟ ରାଖି ପ୍ରସ୍ତୁତ କରିଥାଆନ୍ତି। ପାର୍ଶ୍ବ ଦେବଦେବୀମାନେ ଏହି ରାଖି ପରିଧାନ କରିଥାନ୍ତି। ରାଖି ଓଲାଗି ହେବା ପରେ ଗୋଟିଏ ଗଜପତିଙ୍କ ନିକଟକୁ ଯାଏ ଏବଂ ଅନ୍ୟ ରାଖି ଭଣ୍ଡାର ଘରେ ରହିଥାଏ। ରାଖି ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ କିଛି ପାଉଣା ଉପଲବ୍ଧ ହୁଏ। ମାତ୍ର ପ୍ରାପ୍ୟ ପାଉଣା ଅପେକ୍ଷା ମହାପ୍ରଭୁଙ୍କ ସେବକ ଭାବେ କାର୍ଯ୍ୟ କରିବା ସବୁଠୁ ବଡ଼ ପାଉଣା ବୋଲି ସେ କହିଛନ୍ତି।