ଶ୍ରୀଜିଉ ପିନ୍ଧିବେ ରାକ୍ଷୀ ଓ ଗୁଆମାଳ, ଶେଷ ସ୍ପର୍ଶ ଦେଉଛନ୍ତି ପାଟରା ବିଶୋଇ

ପୁରୀ : ଆଉ ଦୁଇଦିନ ପରେ ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଉଭୟ ଗହ୍ମା ପୂର୍ଣ୍ଣିମା ଓ ବଡ଼ଠାକୁରଙ୍କ ଜନ୍ମୋତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ମା’ ସୁଭଦ୍ରା ଦୁଇ ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଏଥିପାଇଁ ଶ୍ରୀମନ୍ଦିର ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ବାରା ଏଥିପାଇଁ ରାକ୍ଷୀ ପ୍ରସ୍ତୁତି ଶେଷ ହୋଇଛି। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ଦୁଇଟି ଲେଖାଏଁ ୪ଟି ବଡ଼ ରାକ୍ଷୀ ପ୍ରସ୍ତୁତ ହୋଇଛି। ଏଥିପାଇଁ ବଡ଼ ବଡ଼ ଡୋରି ବି ପ୍ରସ୍ତୁତ ହୋଇଛି। ଏହାସହ ଗୁଆ ମାଳ ୪ଟି ତିଆରି ହୋଇଛି। ଆସନ୍ତା ୧୧ ତାରିଖ ସକାଳେ ଏହାକୁ ଶ୍ରୀମନ୍ଦିରକୁ ନିଆଯିବ। ପାଟରା ବିଶୋଇ ସେବକମାନେ ଶ୍ରୀମନ୍ଦିର ଗାରଦର ଏହାକୁ ଦାଖଲ ପରେ ମହାପ୍ରଭୁଙ୍କଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ।

ଏହି ରାକ୍ଷୀ ପ୍ରସ୍ତୁତ କରୁଥିବା ବରିଷ୍ଠ ପାଟରା ବିଶୋଇ ସେବକ ଶ୍ରୀ ପାତ୍ର କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିତା ଲାଗି ଅମାବାସ୍ୟା ପରେ ପରେ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତି ଆରମ୍ଭ ହୁଏ। ଏଥିପାଇଁ ବାସୁଙ୍ଗା ପାଟକୁ ନରମ କରାଯାଏ। ଭଲ ଭା‌ବେ ଖରା ଖାଇବା ପରେ ନାଲି, ହଳଦିଆ, ବାଇଗଣି ଓ ନେଳି, ଏପରି ୪ଟି ରଙ୍ଗ ଦେଇ ବାସୁଙ୍ଗା ପାଟ ପ୍ରସ୍ତୁତ ହୁଏ। ପରେ ଏଥିରେ ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କ ପାଇଁ ଦୁଇଟି, ଏପରି ୪ଟି ରାକ୍ଷୀ ପ୍ରସ୍ତୁତ ହୁଏ। ଏହି ରାକ୍ଷୀ ବି ପ୍ରସ୍ତୁତ ସରିଛି। ସେହିଭଳି ଗୁଆମାଳ ବି ଚାରି ପ୍ରକାର ରଙ୍ଗ ଦେଇ ପ୍ରସ୍ତୁତ ହୁଏ। ନାଲି ଓ ହଳଦିଆ ରଙ୍ଗରେ ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଏବଂ ବାଇଗଣି ଓ ନେଳି ରଙ୍ଗରେ ଶ୍ରୀବଳଭଦ୍ରଙ୍କ ପାଇଁ ଦୁଇଟି ଗୁଆମାଳ ପ୍ରସ୍ତୁତ ହୁଏ। ପ୍ରତି ଗୁଆମାଳ ୫୪ଟି ଗୁଆରେ ପ୍ରସ୍ତୁତ ହୁଏ। ଇତିମଧ୍ୟରେ ରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତି ସରିଥିବା ଶ୍ରୀ ପାତ୍ର କହିଛନ୍ତି। ଗହ୍ମା ପୂର୍ଣ୍ଣିମା ଦିନ ସକାଳେ ଶ୍ରୀମନ୍ଦିରରେ ରାକ୍ଷୀ ଓ ଗୁଆମାଳ ପହଞ୍ଚିବା ପରେ ସ୍ବତନ୍ତ୍ର ନୀତିକାନ୍ତି ସହ ମା’ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ଏହାକୁ ବାନ୍ଧିବେ। କେବଳ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥୟଙ୍କ ପାଇଁ ନୁହେଁ, ପାର୍ଶ୍ବ ଦେବଦେବୀଙ୍କ ପାଇଁ ବି ୧୫ରୁ ଅଧିକ ରାକ୍ଷୀ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର