ଜୟ ଜଗନ୍ନାଥ
ଆଜି ପବିତ୍ର ରକ୍ଷା ବନ୍ଧନ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ପୁଣି ରାଖୀର ଡୋରରେ ବାନ୍ଧି ସେଇ ଅତୁଟ ବନ୍ଧନକୁ ଆଉଥରେ ମନେ ପକେଇବାର ଦିନ। ଏହି ପବିତ୍ର ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ଜଣେ ସାଧାରଣ ଆଦିବାସୀ ଓ ଓଡ଼ିଆ ଭାବରେ ରାଜ୍ୟର ସମ୍ପୂର୍ଣ୍ଣ ନାରୀ ସମାଜକୁ ଜଣେ ଭାଇ ଭାବରେ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆପଣ ଓ ଆପଣଙ୍କ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରୁଛି। ରାଖୀ ପୂରା ସମାଜକୁ ସମ୍ପର୍କର ଡୋରରେ ବାନ୍ଧୁ, ଆଜି ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା। ଆଜି ପବିତ୍ର ରକ୍ଷାବନ୍ଧନର ଦିନ, ଓଡ଼ିଆ ସଭ୍ୟତା ଓ ସଂସ୍କୃତିର ମହାନ ପରମ୍ପରାର ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଆଜି ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ମାନବୀୟ ଲୀଳାର ଅଂଶସ୍ବରୂପ ଭଉଣୀ ସୁଭଦ୍ରାଙ୍କ ହାତରୁ ରାଖୀ ବାନ୍ଧିବେ। ରକ୍ଷା ବନ୍ଧନ ସହିତ ଆଜି ଦିନଟି ପବିତ୍ର ଗହ୍ମା ପୂର୍ଣ୍ଣିମା ଭାବରେ ପାଳିତ। ଆଜି ହଳ-ଲଙ୍ଗଳଧାରୀ ବଡ଼ ଠାକୁର ବଳଭଦ୍ରଙ୍କର ପବିତ୍ର ଜନ୍ମଦିନ। ଶ୍ରୀମନ୍ଦିର ହେଉ ବା କେନ୍ଦୁଝର ଓ କେନ୍ଦ୍ରାପଡ଼ା ତଥା ରାଜ୍ୟର ବିଭିନ୍ନ ସ୍ଥାନର ବଳଦେବଜୀଉଙ୍କ ମନ୍ଦିରରେ ବଡ଼ ଠାକୁରଙ୍କର ଜନ୍ମୋତ୍ସବ ଧୁମ୍ଧାମରେ ମଧ୍ୟ ପାଳିତ ହେବ। ଗୋଟିଏ ପଟେ ରାକ୍ଷୀ ଭଉଣୀ ପାଇଁ ଉତ୍ସର୍ଗୀକୃତ ଦିନଟିଏ। ତା’ ସହିତ ଆଜିର ଦିନଟି କୃଷି ଅର୍ଥନୀତିର ପ୍ରତୀକ ହଳ-ଲଙ୍ଗଳଧାରୀ ବଡ଼ ଠାକୁର ବଳଦେବଙ୍କର ଆରାଧନାର ଦିନ। କାହିଁ କେଉଁ ଅନନ୍ତ କାଳରୁ ଓଡ଼ିଆ ଜାତି ନିଜର କୃଷି ଅର୍ଥନୀତିସର୍ବସ୍ୱ ଜୀବନ ବ୍ୟବସ୍ଥାରେ କୃଷି ଓ ଗୋସମ୍ପଦକୁ ସମ୍ମାନର ସହ ପାଳନ କରିଆସିଛି। ଆଜିବି ଓଡ଼ିଶାର ପୁରପଲ୍ଲୀରେ କୃଷି ଅର୍ଥନୀତିର ମେରୁଦଣ୍ଡ ଗାଈ, ବଳଦଙ୍କୁ ପୂଜା କରିବାର ପରମ୍ପରା ରହି ଆସିଛି। ସୁଭଦ୍ରା ସ୍ୱରୂପା ଭଉଣୀମାନଙ୍କୁ ତ ଶୁଭେଚ୍ଛା ଜଣାଉଛି, ତା’ ସହିତ ଆମର ଚାଷୀ ଭାଇ-ଭଉଣୀମାନଙ୍କୁ ବଡ଼ଠାକୁର ବଳଭଦ୍ରଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ ଚାଷକାମ ସଫଳ ହେଉ। ଆପଣଙ୍କ ଅର୍ଥନୀତିରେ ଉନ୍ନତି ଆସୁ। ଆଜି ଦିନରେ ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କୁ ଏହି ଶୁଭେଚ୍ଛା ଜଣାଉଛି, ସେମାନେ ପୁଣି ଆନନ୍ଦର ସହ କୁହନ୍ତୁ- ଚାଷ କାମ ଯାହାର, କି ଆନନ୍ଦ ତାହାର। ଏହି ଅବସରରେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଚାଷୀମାନଙ୍କର ସ୍ବାର୍ଥର ସୁରକ୍ଷା ପାଇଁ ମୋ ସରକାର ବଦ୍ଧପରିକର।
ଆଜି ମୋର ସୁଭଦ୍ରା ସ୍ବରୂପା ଭଉଣୀମାନଙ୍କୁ ପବିତ୍ର ରକ୍ଷାବନ୍ଧନରେ ଉପହାର ଦେବାପାଇଁ କୋରାପୁଟ ଜିଲ୍ଲାର ଜୟପୁର ସହରକୁ ଆସିଛି। ଗତ ବର୍ଷ ନିର୍ବାଚନ ଲଢ଼ିବା ବେଳେ ମୋ ଦଳ ଆମ ରାଜ୍ୟର ଭଉଣୀମାନଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଆଜି ଜୟପୁର ସହରର ଏହି ଐତିହାସିକ ମାଟିରୁ ସୁଭଦ୍ରା ଯୋଜନାର ଦ୍ୱିତୀୟ ବର୍ଷର ପ୍ରଥମ କିସ୍ତି ଏକ କୋଟିରୁ ଅଧିକ ଭଉଣୀମାନଙ୍କ ବ୍ୟାଙ୍କ୍ ଖାତାକୁ ଯିବ। ୨୧ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ଓଡ଼ିଶାର ଭଉଣୀମାନେ ପ୍ରତି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ବର୍ଷକୁ ୧୦ ହଜାର ଟଙ୍କା ଓ ୫ ବର୍ଷରେ ୧୦ଟି କିସ୍ତିରେ ୫୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ।
ସୁଭଦ୍ରା ଯୋଜନା ଆମ ରାଜ୍ୟର ମା’-ଭଉଣୀମାନଙ୍କୁ କେବଳ ଆର୍ଥିକ ସାହାଯ୍ୟ ପହଞ୍ଚାଇବା ପାଇଁ ଏକ ଯୋଜନା ନୁହେଁ, ବରଂ ଏହା ସୁଭଦ୍ରା ସ୍ବରୂପା ଓଡ଼ିଆ ଭଉଣୀମାନଙ୍କର ଆତ୍ମବିଶ୍ୱାସ ଏବଂ ସମ୍ମାନ ବଢ଼ାଇବାର ଏକ ନିଷ୍ଠାପର ଉଦ୍ୟମ। ସୁଭଦ୍ରା ଯୋଜନାର ଦୁଇଟି କିସ୍ତି ଗତ ଏକ ବର୍ଷରେ ପ୍ରଦାନ କରାଯାଇ ସାରିଛି। ଭଉଣୀମାନେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଆଉ ଏକ କିସ୍ତି ପାଇଁ ଆଶ୍ୱସ୍ତ ହୋଇ ଅପେକ୍ଷା କରିଛନ୍ତି। ଗତ ଦୁଇ କିସ୍ତି ପାଇବା ପରେ ରାଜ୍ୟର ଭଉଣୀମାନଙ୍କର ଉତ୍ସାହ ଓ ଉଦ୍ଦୀପନାକୁ ମୁଁ ମର୍ମେ ମର୍ମେ ଅନୁଭବ କରିଛି। ସରକାର ପ୍ରଦାନ କରୁଥିବା ଏହି ଅର୍ଥକୁ ବ୍ୟବହାର କରି ଆମର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଭଉଣୀମାନେ ଆତ୍ମବିଶ୍ୱାସର ସହ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାପାଇଁ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। ତାକୁ ଦେଖି ଅନେକ ସମୟରେ ଆତ୍ମସନ୍ତୋଷ ମଧ୍ୟ ମିଳୁଛି।
ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା। ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ଏବଂ ପରିଶ୍ରମୀ ଓ ଦକ୍ଷ ମାନବ ସମ୍ବଳର ରାଜ୍ୟ ଓଡ଼ିଶା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା ଧନୀ, ମାତ୍ର ଓଡ଼ିଶାବାସୀ ଗରିବ। ଏହି କଷ୍ଟ ଓ ଅପମାନରୁ ଓଡ଼ିଶାକୁ ଆଗକୁ ବଢ଼ାଇ ଆମ ରାଜ୍ୟକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ନୂଆ ଯୋଜନା ଓ ଦୃଢ଼ କ୍ରିୟାନ୍ୱୟନ ପାଇଁ ବଦ୍ଧପରିକର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଓଡ଼ିଶା ପ୍ରତି ସ୍ନେହ, ଭଲପାଇବା ଏବଂ ବିକାଶର ଗତି ତ୍ୱରାନ୍ୱିତ କରିବା ପାଇଁ ନିଷ୍ଠାକୁ ମୁଁ ଗତ ଗୋଟିଏ ବର୍ଷରେ ମର୍ମେ ମର୍ମେ ଅନୁଭବ କରିଛି। ମୁଖ୍ୟମନ୍ତ୍ରୀ ଭାବରେ ଗୋଟିଏ ବର୍ଷର ଅନୁଭବ ଆଧାରରେ ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଆମ ରାଜ୍ୟରେ ଡବଲ୍ ଇଂଜିନ୍ ସରକାର ୪.୫ କୋଟି ଓଡ଼ିଆ ଲୋକଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ସହ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଆଗକୁ ବଢ଼ାଇବା ପାଇଁ ସ୍ପଷ୍ଟ ନୀତି ସହ ସଠିକ୍ ରାସ୍ତାରେ ଅଛି। ମୋଦୀଜୀ ଯେଉଁ ଚାରି ଜାତିର ଉନ୍ନତି ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି, ସେଗୁଡ଼ିକ ହେଉଛି- ମହିଳା, କୃଷକ, ଯୁବକ ଓ ଗରିବ। ସେମାନଙ୍କ ଉନ୍ନତି ଆମର ପ୍ରାଥମିକତା। ଓଡ଼ିଶାରେ ଏହି ଚାରି ଜାତିର ଦ୍ରୁତ ବିକାଶର ମୂଳଦୁଆ ଗୋଟିଏ ବର୍ଷରେ ପଡ଼ିସାରିଛି। ଆମର ବିକାଶର ଆଧାର ହେଉଛନ୍ତି ମହିଳା ଓ କୃଷକ ଏବଂ ସେମାନଙ୍କର ସିଂହଭାଗ ଯୁବବର୍ଗ ଓ ଗରିବ। ସେମାନଙ୍କ ବ୍ୟାପକ ଉନ୍ନତି ପାଇଁ ଆମେ ଯେଉଁ ଯୋଜନା କରୁଛୁ ତାହା ଯେ ଆମକୁ ପ୍ରଗତିର ଶୀର୍ଷକୁ ନେବ, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ।
ଆମେ କେବଳ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା କଥା କହୁନାହୁଁ। ଆମେ ମହିଳା ନେତୃତ୍ୱରେ ରାଜ୍ୟ ଅର୍ଥନୀତିର ପରିକଳ୍ପନା କରିଛୁ। ମୋ ସରକାର ପ୍ରଚାରସର୍ବସ୍ୱ ସରକାର ନୁହେଁ। ଆମେ ମହିଳାଙ୍କ ସମେତ ସମାଜର ସବୁ ଉପେକ୍ଷିତ ବର୍ଗ ଓ ଗରିବମାନଙ୍କୁ ପ୍ରଗତିର ରଥରେ ସାରଥି ହେବା ପାଇଁ କୌଣସି ଉଦ୍ୟମରେ କମ୍ କରୁନାହୁଁ। ମୁଁ ଜାଣିଛି ମୋତେ ଓ ମୋ ସରକାରକୁ କେଉଁ-କେଉଁ ପ୍ରସଙ୍ଗରେ କେମିତି ସମାଲୋଚନା କରାଯାଉଛି। ଆମେ ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ଅଛୁ। ଗଣତନ୍ତ୍ରରେ ସମାଲୋଚନାକୁ ବୁଝିବା, ସମ୍ମାନ ଦେବା ଓ ସମାଧାନର ରାସ୍ତା କାଢ଼ିବା ପାଇଁ ମୁଁ ବଦ୍ଧପରିକର। ମାତ୍ର ଗୋଟିଏ କଥା ମୋର ପ୍ରିୟ ଓଡ଼ିଶାବାସୀଙ୍କ ପାଖରେ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି। ମୋ ପରିବାରର ରାଜନୀତି ବା ଆର୍ଥିକ ପୃଷ୍ଠଭୂମି କିଛି ନାହିଁ। ସ୍କୁଲ ଶିକ୍ଷକରୁ ସରପଞ୍ଚ, ଚାରିଥର ବିଧାୟକ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ହୋଇଛି। ଜୀବନ ସହ ସଂଘର୍ଷ କରି କରି ପଡ଼ି-ଉଠି-ଠିଆ ହୋଇ ଆଗକୁ ବଢ଼ିବାର ଅନେକ ଅନୁଭବ ମୋ ପାଖରେ ଅଛି। ଗଠନମୂଳକ ସମାଲୋଚନାକୁ ସ୍ୱାଗତ। ମାତ୍ର ଜଣେ ଆଦିବାସୀ ଓ ଗରିବ ପରିବାରର ଲୋକ କେମିତି ମୁଖ୍ୟମନ୍ତ୍ରୀ ହୋଇଯିବ?- ଏହିପରି ସାମନ୍ତବାଦୀ ବିଚାର ରଖିଥିବା ବ୍ୟବସ୍ଥାର ଲୋକମାନଙ୍କର ଉଦ୍ଦେଶ୍ୟ ପ୍ରଣୋଦିତ ସମାଲୋଚନା ମୋତେ ଆଦୌ ଚିନ୍ତିତ କରେନି। ବରଂ, ଦିନ ରାତି ରାଜ୍ୟର ଗରିବ, ଅତି ଗରିବ, ଆଦିବାସୀ, ଦଳିତ, ପଛୁଆବର୍ଗ, ଦୁର୍ଗମ ଅଞ୍ଚଳର ବାସିନ୍ଦା, ଦିବ୍ୟାଙ୍ଗ, ତୃତୀୟଲିଙ୍ଗୀ ତଥା ବିକାଶ ପାହାଚର ସବୁଠୁ ତଳ ପାହାଚରେ ଥିବା ଲୋକମାନଙ୍କ ପାଇଁ ଦିନରାତି ଏକ କରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଉଛି। ମୁଁ ଆଦିବାସୀ। ସମସ୍ୟାକୁ ପଛକରି ମୁହଁ ବୁଲାଇ ଦେବାର ବ୍ୟକ୍ତି ମୁଁ ନୁହେଁ। ସମସ୍ୟାକୁ ସାମ୍ନା କରି ଧନୀ ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କୁ ସମ୍ପନ୍ନ କରିବାର ସଂକଳ୍ପକୁ ଆଜି ପବିତ୍ର ରକ୍ଷା ବନ୍ଧନରେ ଆଉ ଥରେ ଦୋହରାଉଛି।
ବିଗତ କିଛି ଦିନରେ ରାଜ୍ୟରେ କିଛି ଭଉଣୀଙ୍କର ଆତ୍ମଦାହର କରୁଣ ଘଟଣା ଜଣେ ଦରଦୀ ମଣିଷ ଭାବରେ ମୋତେ ଅନେକ ଦୁଃଖ ଓ ଯନ୍ତ୍ରଣା ଦେଇଛି। ମାତ୍ର ଦୋଷୀକୁ ଖୋଜି ଦଣ୍ଡ ଦେବା ପାଇଁ ଉଦ୍ୟମରେ ତିଳେମାତ୍ର ଅବହେଳା ମୋ ସରକାର କରିନାହିଁ। ଗତ ୨୫ ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ସାମ୍ନାରେ ଅଛି। ମୋର ପ୍ରିୟ ଓଡ଼ିଶାବାସୀ ବିଗତ ୨୪ ବର୍ଷ ଓ ମୋର ଗୋଟିଏ ବର୍ଷରେ ମହିଳା ସୁରକ୍ଷା ଓ ସମ୍ମାନର ସତ୍ୟତାକୁ ଥରେ ନିଜେ ନିଜ ମନରେ ବିଚାର କରିବା ପାଇଁ ଅନୁରୋଧ କରୁଛି। ମୁଁ ତର୍କ କରିବାକୁ ଚାହୁଁନି। ୨୪ ବର୍ଷ ବନାମ ୧ ବର୍ଷର ଘଟଣାକ୍ରମର ପ୍ରମାଣ ଓଡ଼ିଆ ଲୋକଙ୍କ ପାଖରେ ଅଛି। ମୋର ସୁଭଦ୍ରା ସ୍ୱରୂପା ଭଉଣୀମାନେ ଭଲ ଭାବରେ ବୁଝିଛନ୍ତି। ଆଜି ପବିତ୍ର ରାଖୀ ପୂର୍ଣ୍ଣିମାରେ ମୋର ସୁଭଦ୍ରା ସ୍ୱରୂପା ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଉଛି ମୋ ସରକାର ପୀଡ଼ିତାଙ୍କ ପରିବାରକୁ ଖାଲି ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇନି, ବରଂ ସେମାନଙ୍କ ସହ ପରିବାରର ସଦସ୍ୟ ଭଳି ଠିଆହୋଇଛି। ରାଖୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଜଣେ ଭାଇ ଭାବରେ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମେ ବଦ୍ଧପରିକର।
ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର