ଜମା ଟଙ୍କା ଫେରସ୍ତ ନ ପାଇବା ଯାଏ ସଂଗ୍ରାମ ଜାରି ରହିବ: ସୌମ୍ୟ

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଗଣ ସତ୍ୟାଗ୍ରହ

ଦେବଗଡ: ତ୍ରୁଟିଯୁକ୍ତ ଆଇନ ତଥା ପୃଷ୍ଠପୋଷକତା ହାସଲ ଦ୍ୱାରା ଠକ କମ୍ପାନି ଗୁଡ଼ିକ ଲୋକଙ୍କୁ ସ୍ୱଳ୍ପ ସମୟ ବ୍ୟବଧାନରେ ଅଧିକ ରାଶି ଦେବାର ପ୍ରତିଶ୍ରୁତି ଦେଇ ଜମା ଟଙ୍କା ନେଇ ଫେରାର୍‌ ମାରୁଛନ୍ତି। ଏପରି କ୍ଷେତ୍ରରେ ସରକାର ଜମାକାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିବା ମିଳିତ ମଂଚ ସହ ଆଲୋଚନା ନ କରି ବିଭିନ୍ନ ପର୍ଯ୍ୟାୟର ଯେଉଁ ପଦକ୍ଷେପ ନେଇଛନ୍ତି , ତାହା ଫଳପ୍ରଦ ହୋଇପାରିନାହିଁ । ଏହାର ସୁଯୋଗ ନେଇ ସଂପୃକ୍ତ ଠକ କମ୍ପାନି ଗୁଡ଼ିକ ଖସିଯାଇ ସଂପତ୍ତି ଅନ୍ୟତ୍ର ହସ୍ତାନ୍ତରରେ ସଫଳ ହୋଇଛନ୍ତି ।

ସରକାରଙ୍କ ଏଭଳି ମନୋଭାବ ପ୍ରତିବାଦରେ ମଙ୍ଗଳବାର ଦିନ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ପକ୍ଷରୁ ଦେବଗଡ଼ ଠାରେ ଜମାକାରୀଙ୍କ ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚି ଥିଲା। ଶୋଭାଯାତୟା ସେଠାରେ ପହଞ୍ଚିବା ପରେ କ୍ଷତିଗ୍ରସ୍ତ ଜମରକରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଶୋଭାଯାତ୍ରାରେ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ‘ଯେ ପଯ୍ୟର୍ନ୍ତ ଆମେ ଆମ ଜମା ଟଙ୍କା ଫେରସ୍ତ ନ ପାଇବା ସେ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ’ ବୋଲି ଆହ୍ଵାନ ଦେଇଥିଲେ। ଜିଲ୍ଲାର ପ୍ରତ୍ୟେକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ତୁରନ୍ତ ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କର ବକ୍ତବ୍ୟରେ କହିଥିଲେ। ବରିଷ୍ଠ ସାମ୍ବାଦିକ ତଥା ମଂଚର ଉପଦେଷ୍ଟା ରବି ଦାସ ‘ଚିଟ୍‌ପଣ୍ଡ୍‌ର ବିଭିନ୍ନ କମ୍ପାନି ଦ୍ୱାରା କ୍ଷତିଗ୍ରସ୍ତ ଜମାକରୀମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଉ’ ବୋଲି ଦାବି କରିଥିଲେ । ମିଳିତ ମଂଚର ପକ୍ଷରୁ ପ୍ରଦତ୍ତ ଦାବିପତ୍ରରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ତହସିଲ ଜରିଆରେ ତୁରନ୍ତ ଜମାକାରୀଙ୍କୁ ଚିହ୍ନଟ କରାଯାଇ ତାଙ୍କର ଟଙ୍କା ଫେରସ୍ତ କରାଯାଉ, ଠକ ସଂସ୍ଥା ଗୁଡ଼ିକର ମାଲିକ ଓ ଏହି ଠକାମୀର ପ୍ରଚ୍ଛଦପଟ ଖଳନାୟକମାନଙ୍କୁ ଗିରଫ କରାଯାଉ ଓ ସଂପୃକ୍ତ କଂପାନିର ବିଚାର ତ୍ୱରାନିତ କରିବା ସହ ଶେଷ ଜମାକାରୀଙ୍କ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଜେଲରେ ରଖାଯାଉ ।

ଜମାକାରୀଙ୍କ କଷ୍ଟୋପାର୍ଜିତ ଅର୍ଥ ନେଇ ଠକ କମ୍ପାନି ମାଲିକ ଓ ଏଥିରେ ସଂପୃକ୍ତ ଅନ୍ୟ ମାନଙ୍କ ସ୍ଥାବର , ଅସ୍ଥାବର, ନାମୀ ଓ ବେନାମୀ ସଂପତ୍ତି ଜବତ ସହ ତ୍ୱରିତ ନ୍ୟାୟିକ ବିଚାର ପ୍ରକ୍ରିୟାରେ ବଜାର ଦରରେ ନିଲାମ କରାଯିବା, ପୁଲିସ କ୍ରାଇମବାଂଜ, ସିବିଆଇ ଅଥବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠକ ସଂସ୍ଥାମାନଙ୍କ ଠାରୁ ଜବତ କରିଥିବା ସ୍ଥାବର ଅସ୍ଥାବର ସଂପତ୍ତିର ତାଲିକା ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରାଯିବା, ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଓ ରାଜ୍ୟ ଆଇନ ସଂଶୋଧନ କରି ଜମାକରୀଙ୍କୁ ପ୍ରତିଶ୍ରୁତିବଦ୍ଧ ଅର୍ଥ ଫେରସ୍ତ ଗ୍ୟାରେଣ୍ଟି ଦିଆଯିବା, ଓଡ଼ିଶାର ଜମାକାରୀଙ୍କ ଠାରୁ ଜମାରାଶି ନେଇ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଅଥବା ଦେଶ ବାହାରେ ସଂପତ୍ତି କରିଥିବା ମାଲିକମାନଙ୍କ ସଂପତ୍ତି ଜବତ ଓ ନିଲାମ ବ୍ୟବସ୍ଥା କରାଯିବା, ବିଚାର ବିଭାଗୀୟ ତଦନ୍ତ କମିସନର ପଦବିରେ ଥିବା ନ୍ୟାୟମୂର୍ତ୍ତି ମଦନମୋହନ ଦାସ ତଦନ୍ତ ପରିପନ୍ଥୀ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ତଦନ୍ତ କମିସନ ପଦବିରୁ ବହିଷ୍କାର କରାଯିବା, ଏହି ତଦନ୍ତ କମିସନ ମୂଳ ଲକ୍ଷ୍ୟ ବିଚ୍ୟୁତ ହୋଇଥିବାରୁ ଏହି ତଦନ୍ତ କମିସନ ବ୍ୟବସ୍ଥା ସମାପ୍ତି କରାଯିବା ପ୍ରଭୃତି ଉଲ୍ଲେଖ ରହିଛି। ଏହି ଶୋଭାଯାତ୍ରାରେ ରାଜ୍ୟ ଆବାହକ ଜୟନ୍ତ ଦାସ , ପଶ୍ଚିମ ଓଡ଼ିଶା ଆବାହକ ବିଭୁଦତ୍ତ ମିଶ୍ର , ରାଜ୍ୟ ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ସୁବାସିନୀ ବେହେରା , ସଂପାଦକ ପ୍ରଶାନ୍ତ ପ୍ରଧାନ , ସମ୍ବଲପୁର ଜିଲ୍ଲା ସଭାପତି ସୁଧାଂଶୁ ବେହେରା , ରିଆମାଳ ବ୍ଲକ ସଭାପତି ଫକୀର ମୋହନ ଗଡ଼ତିଆ , ସଂପାଦକ ସନ୍ତୋଷ ପାନ୍ନା , ବାରକୋଟ ବ୍ଲକ ସଭାପତି ଶବତ୍ସ ସେଠୀ , ସଂପାଦକ ସନ୍ତୋଷ ସାହୁ , ତିଲେଇବଣୀ ବ୍ଲକ ସଭାପତି ଦୟାନିଧି ବାରିକ , ସଂପାଦକ ମିତ୍ରଭାନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶୋଭାଯାତ୍ରାରେ ଶତାଧିକ ଜମାକାରୀ ଯୋଗ ଦେଇଥିଲେ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ସମ୍ବନ୍ଧିତ ଖବର