ବାରିପଦା/ରାଇରଙ୍ଗପୁର: ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବକୁ ନେଇ ନିକଟ ଅତୀତରେ ବିଭିନ୍ନ ପ୍ରସଙ୍ଗ ଦେଖାଦେବା ପରେ ଓଡ଼ିଶା ତଥା ସୀମାନ୍ତ ମୟୂରଭଞ୍ଜ ଜିଲାରେ ଏହାର ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶାରୁ ଅଲଗା ହୋଇ ବିଚ୍ଛିନ୍ନାଞ୍ଚଳ ଭାବରେ ରହିଥିବା ଓଡିଆ ଭାଷାଭାଷୀ ଷଢେ଼ଇକଳା, ଖରସୁଆଁ, ସିଂହଭୂମ ଓ ପଶ୍ଚିମସିଂହଭୁମ ଅଧିବାସୀଙ୍କ ପାଇଁ ଓଡ଼ିଆ ଭାଷାରେ ପାଠ୍ୟକ୍ରମ ପ୍ରଚଳନର ବେଶ ଆବଶ୍ୟକତା ରହିଛି । ଓଡ଼ିଆ ଭାଷା ଉଚ୍ଛେଦ ଓ ଅବହେଳା ପ୍ରସଙ୍ଗ ନେଇ ବିଚ୍ଛିନ୍ନାଂଚଳରେ ଲାଗି ରହିଥିବା ପ୍ରତିବାଦ, ଧାରଣା, ଅନଶନ ଓ ସମାବେଶ ଇତ୍ୟାଦି ପାଇଁ ସଂଲଗ୍ନ ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲା ଅଧିବାସୀଙ୍କ ମନରେ ମଧ୍ୟ କ୍ଷୋଭ ଓ ଅଶାନ୍ତି ଦେଖାଯାଇଛି ।
ତେବେ ଝାଡ଼ଖଣ୍ଡ ରାଜ୍ୟରେ ରହିଥିବା ଏହି ଓଡ଼ିଆ ଭାଷାଭାଷୀ ଅଂଚଳ ଗୁଡିକରେ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଜିଲାର ଅଗ୍ରଣୀ ଭାଷା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଜାଗରଣ ମଂଚ, ମୟୂରଭଞ୍ଜ ସାହିତ୍ୟ ପରିଷଦ, ପ୍ରତିଶ୍ରୁତି ପ୍ରତିଷ୍ଠାନ, ନନ୍ଦିଘୋଷ ସାହିତ୍ୟ ସମାଜ, ଉପାନ୍ତ ସାହିତ୍ୟ ସଂସଦ, ଗୋପବନ୍ଧୁ ସାହିତ୍ୟ ପରିଷଦ, ମୟୂର ସାହିତ୍ୟ ସଂସଦ ବେତନଟୀ, ଚିତ୍ରେଶ୍ୱରୀ ସାହିତ୍ୟ ସଂସଦ ଚିତ୍ରଡା, ବାରିପଦା ସମ୍ବାଦ ସାହିତ୍ୟ ଘର, ବାଣୀପୀଠ ବଡ଼ସାହି, ବନସାଥୀ ଉଦଳା ଓ ବଳାଙ୍ଗୀ ସେନା ପ୍ରମୁଖ ବହୁ ଅନୁଷ୍ଠାନ ପକ୍ଷରୁ ଭାଷାଭିତ୍ତିକ ସଂଗ୍ରାମ ପାଇଁ ସଂଙ୍କଳ୍ପବଦ୍ଧ ହୋଇ ଝାଡ଼ଖଣ୍ଡ ସରକାରଙ୍କ ଓଡିଆ ଭାଷା ଜନନୀ ପ୍ରତି ଏଭଳି ଅସମ୍ମାନକୁ ଦୃଢ ପ୍ରତିବାଦ ପୂର୍ବକ ଆଜି ବାରିପଦାର ଅମ୍ବିକା ମନ୍ଦିର ନିକଟରୁ ଓଡ଼ିଆ ଭାଷାପ୍ରେମୀ ସାହିତ୍ୟିକ, ବୁଦ୍ଧିଜିବୀମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର, କୃଷ୍ଣଚନ୍ଦ୍ର ଗୋଲେଇ, ଟ୍ରାଫିକ ଛକ, ବିଜୁ ଗୋଲେଇ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତୀ ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
/sambad/media/post_attachments/wp-content/uploads/2021/10/d158e2c4-9620-47c2-a5d2-5d1b1e93fb77-1024x392.jpg)
ଝାରଖଣ୍ଡ ଓ ଓଡ଼ିଶା ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା ମାଧ୍ୟମରେ ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ସହ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପଢିବା ନିମନ୍ତେ ପାଠ୍ୟକ୍ରମର ସମସ୍ତ ସୁବନ୍ଦୋବସ୍ତ କରାନଗଲେ ମୟୂରଭଞ୍ଜ ଅଧିବାସୀଙ୍କ ତରଫରୁ ଏହି ଭାଷା ଆନ୍ଦୋଳନକୁ ଆଗକୁ ଆହୁରି ବ୍ୟାପକ କରାଯାଇ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଅନୁଷ୍ଠାନ ସମୂହ ତରଫରୁ ଘୋଷଣା କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/fbcd7bb3-4f3b-4ffa-b648-7bd1eea3719f.jpg)