ଝାରସୁଗୁଡ଼ା: ଗତ ୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁଡ଼ାଲୋଇ ନର୍ଥ(କ) କୋଲ ବ୍ଲକ ପାଇଁ ହୋଇଥିବା ଜନଶୁଣାଣିରେ ସାଂଘାତିକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଲୋକେ ଝାରସୁଗୁଡ଼ା ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବନ୍ଜାରି ଗ୍ରାମ ପଞ୍ଚାୟତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେହେରାମାଲ କିଷାନ ଛକରୁ ଏକ ବିରାଟ ରାଲିରେ ୫ଶହରୁ ଅଧିକ ମହିଳା ଓ ପୁରୁଷ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ଏହି ଜନଶୁଣାଣୀକୁ ବାତିଲ୍ କରି ନୂଆ ଜନଶୁଣାଣି କରାଯାଉ ବୋଲି କମିଟି ପକ୍ଷରୁ ଦାବି କରାଯାଇଛି।

Advertisment

ବିସ୍ଥାପିତ ହେବାକୁ ଥିବା ଲୋକସଂଖ୍ୟା ୧୬ ହଜାର ୬୩୦ ହୋଇଥିବା ବେଳେ ମାତ୍ର ୪ଶହ ଲୋକଙ୍କୁ ରଖି ଏହି ଶୁଣାଣି କରାଯାଇଥିଲା। ଡାକବାଜି ଯନ୍ତ୍ରରେ ଆମନ୍ତ୍ରଣ କରି ପ୍ରକୃତ ବିସ୍ଥାପିତଙ୍କୁ ଭିତରକୁ ପୂରେଇ ଦେଲେନି। କିଛି ସମର୍ଥକଙ୍କୁ ଚିହ୍ନଟ କରି ଭିତରକୁ ନେଲେ, ଭଡ଼ାଟିଆ ଲୋକଙ୍କୁ ନେଇ ଶୁଣାଣିର ଘଣ୍ଟାଏ ପୂର୍ବରୁ ଚଉକି ପୂର୍ଣ୍ଣ କଲେ। ପ୍ରକୃତ ବିସ୍ଥାପିତମାନେ ବିରୋଧ କରିବାରୁ ସେମାନଙ୍କୁ ଗିରଫ କରି ନିଆଗଲା। ବିସ୍ଥାପିତମାନେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ, କମ୍ପାନି ଓ ମଧ୍ୟସ୍ଥିର ଷଡ୍ଯନ୍ତ୍ରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହାବାଦ୍ କମ୍ାଲାନି ନାଁରେ ପୂର୍ବରୁ ଏକ ମାମଲା ସୁପ୍ରିମକୋର୍ଟରେ ବଚାରଧୀନ ଥିବା ବେଳେ ଏହି ଜନଶୁଣାଣୀ କିଭଳି ସମ୍ଭବ ହେଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ‘ଜଳ, ଜଙ୍ଗଲ ଜମି ଆମର ଅଧିକାର, ଖଣି ଆମର ଦରକାର ନାହିଁ, ଏହାକୁ କମ୍ପାନି ହାତରେ ଟେକି ଦେବୁନି’ ବୋଲି ସେମାନେ ଜିଦ୍ ଧରିଥିଲେ। ପୂର୍ବରୁ କମ୍ପାନି ଦେଇଥିବା ପ୍ରତିଶ୍ରୁତି ବି ରକ୍ଷା କରିନଥିବା ବେଳେ ଏବେ ବେଆଇନ୍ ଭାବେ ଲୋକଙ୍କୁ ବିସ୍ଥାପିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ବାହାରକୁ ଆସି ବିସ୍ଥାପିତଙ୍କଠାରୁ ଦାବିପତ୍ର ଗ୍ରହଣ କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।