ରତ୍ନଭଣ୍ତାର ସୁରକ୍ଷା ଦାବିରେ ସି˚ହଦ୍ବାରରୁ ନବୀନ ନିବାସ ପଦଯାତ୍ରା

ଭୁବନେଶ୍ବର : ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ଏକ ପଦଯାତ୍ରା ସିଂହଦ୍ବାରରୁ ବାହାରି ନବୀନ ନିବାସରେ ପହଞ୍ଚିବ। ପଦଯାତ୍ରାଟି ଶୁକ୍ରବାର ପୁରୀରୁ ବାହାରି ଚନ୍ଦନପୁର, ସାକ୍ଷୀଗୋପାଳ, ଡେଲାଙ୍ଗ, ପିପିଲି ହୋଇ ନବୀନ ନିବାସରେ ପହଞ୍ଚିବ ବୋଲି ପରିଷଦର ଆବାହକ ଅନିଲ ବିଶ୍ବାଳ କହିଛନ୍ତି।

ପରିଷଦ ପକ୍ଷରୁ କୁହାଯାଇଛି ଯେ, ଗତ ୧୪ ଫେବ୍ରୁଆରିରେ ରତ୍ନ ଭଣ୍ତାର ଚାବି ହଜିବା ଘଟଣା ସାମ୍ନାକୁ ଆସିଲା ପରେ ରାଜ୍ୟ ସରକାର ଏକ ବିଚାର ବିଭାଗୀୟ ତଦନ୍ତ କମିସନ ଘୋଷଣା କରିଥିଲେ। ୩ ମାସ କାର୍ଯ୍ୟକାଳ ପୂରିବା ପରେ ମଧ୍ୟ ତଦନ୍ତ କମିସନ ରିପୋର୍ଟ ଦେଇପାରି ନଥିଲେ। ଫଳରେ ରାଜ୍ୟ ସରକାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରି ରିପୋର୍ଟ ଦେଲେ। ଯେଉଁ ରିପୋର୍ଟ ଦିଆଯାଇଥିଲା ସେଥିରେ କୌଣସି ନିଷ୍କର୍ସ ବାହାରିଲା ନାହିଁ। ତଦନ୍ତ ରିପୋର୍ଟକୁ ଚାପିଦେଲେ। ରତ୍ନଭଣ୍ତାରକୁ ତୁରନ୍ତ ଖୋଲି ଏଥିରେ ଥିବା ମୂଲ୍ୟବାନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ? ତାହାର ସଠିକ ଯାଞ୍ଚ କରାଯାଇ ରିପୋର୍ଟକୁ ସାର୍ବଜାନୀନ କରିବାକୁ ପରିଷଦ ଦାବି କରିଛି।

ପ୍ରକାଶ ଥାଉ କି ପରିଷଦ ଅଗଷ୍ଟ ୧୬ରେ ରତ୍ନ ଭଣ୍ତାର ସୁରକ୍ଷା ଦାବିରେ ପୁରୀ ସି˚ହଦ୍ବାରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲା। ସେତେବେଳେ ରାଜ୍ୟ ସରକାରଙ୍କର ପ୍ରତିନିଧି ଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନା ପରିଷଦର ସଦସ୍ୟଙ୍କୁ ଭେଟି ରତ୍ନଭଣ୍ତାରରେ ଥିବା ମୂଲ୍ୟବାନ ରତ୍ନ ସବୁ ସୁରକ୍ଷିତ ଅଛିକି ନାହିଁ ତାକୁ ସରକାର ଖୋଲି ଖୁବଶୀଘ୍ର ସ୍ପଷ୍ଟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ରାଜ୍ୟ ସରକାର ଏବେ ପର୍ଯ୍ୟନ୍ତ ରତ୍ନଭଣ୍ତାର ଖୋଲିଲେ ନାହିଁ କି ଚାବି ଖୋଜିଲେ ନାହିଁ। ଏହାର ପ୍ରତିବାଦ କରି ପରିଷଦ ପକ୍ଷରୁ ଦ୍ବିତୀୟ ପଦଯାତ୍ରା ଆହ୍ବାନ କରାଯାଇଛି।

ସମ୍ବନ୍ଧିତ ଖବର