ଶ୍ରୀରାମମୟ  ହେଲା ଜୟପୁର: ୮ଫୁଟର ରାମଙ୍କ ପ୍ରତିମୂର୍ତ୍ତି ଓ ରଥ ଆକର୍ଷଣର କେନ୍ଦ୍ରବିନ୍ଦୁ

ଜୟପୁର: ପବିତ୍ର ଶ୍ରୀରାମନବମୀରେ ଗୁରୁବାର ଜୟପୁର ସହର ଶ୍ରୀରାମମୟ ହୋଇ ପଡ଼ିଥିଲା। ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମ‌ସ୍ତେ ଅଧ୍ୟାତ୍ମିକତାମୟ ହୋଇପଡ଼ିଥିଲେ। ଆଜି ସକାଳ ଠାରୁ ହିଁ ସହରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା। ମନ୍ଦିର ନିକଟରେ ହନୁମାନ ଚାଳିଶା ପାଠ ସହ ନାମସଂକୀର୍ତ୍ତନ ଦେଖିବାକୁ ମିଳିଥିଲା। ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ରାଜନହର ଠାରେ ମିଷ୍ଠାନ୍ନ, ସ୍ବର୍ଣ୍ଣକାର ଶକ୍ତି ସମାଜ ପକ୍ଷରୁ ରାୟବାବୁ ଲାଇନ୍ ଛକରେ, ୱେଲକମ୍ ଛକ ହନୁମାନମନ୍ଦିର, ଗୌଡସାହି, ନୂଆସାହି, ଧୋବାସାହି, ମହାରାଣୀପେଟା , ଭଦ୍ରାୟାସାହି ଓ ପାରାବେଡ଼ା ସାହି ବାସିନ୍ଦାଙ୍କ ପକ୍ଷରୁ  ପଣା ବିତରଣ କରାଯାଇଥିଲା।

ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ଆଜି କରାଯାଇଥିବା ଶୋଭାଯାତ୍ରାରେ ପାୱାରହାଉସଛକରୁ ପାରାବେଡ଼ା ଦଶହରାପଡିଆ ପର୍ଯ୍ୟନ୍ତ ନାଚ, ଗୀତ, ସଂର୍କୀର୍ତ୍ତନ, ବେଶଭୁଷା ସହ ୮ଫୁଟର ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ଓ ରଥ ବିଶେଷ ଆକର୍ଷଣ ରହିଥି‌ଲା। ସେଭଳି  କଠଉ, ମହାପ୍ରଭୁ ଶ୍ରୀରାମ, ମା ସୀତା ଓ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତୀର ପାଲଙ୍କି ବି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ତା ସାଙ୍ଗକୁ ‘‘ଜୟଶ୍ରୀରାମ’’ ସ୍ଲୋଗାନରେ ସହର ପ୍ରକଂପିତ ହୋଇ ଉଠିଥିଲା। ସମଗ୍ର ସହର ଗେରୁଆ ମୟ ହେବା ସହ ଯୁବବର୍ଗ ମଧ୍ୟରେ ଅଧ୍ୟାତ୍ମିକତା ଏତେ ପରିମାଣର ଭରି ରହିଛି ତାହାର ପ୍ରମାଣ ଦେଖାଇଥିଲେ। ରାମ ଜନ୍ମଭୁମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ଗଭୀର ପ୍ରଭାବ ଯୁବ ବର୍ଗ ଉପରେ ଦେଖିବାକୁ ମିଳିଥିଲା।

ଶୋଭାଯାତ୍ରା କରାଯିବାକୁ ଥିବା ପାୱରହାଉସ ହନୁମାନମନ୍ଦିରରୁ ମାଦଳାସାହି, ଗଙ୍ଗାନଗର, ଜଗନ୍ନାଥ ମନ୍ଦିର, ସାମନ୍ତରାୟସାହି, ରାଜନଗର ଦେଇ  ରଘୁନାଥ ମନ୍ଦିର, ସୌରାସାହି ଚୈତନ୍ୟ ମନ୍ଦିର,  ବାଙ୍କ ମଠ, ବସଷ୍ଟାଣ୍ଡ ହନୁମାନ ମନ୍ଦିର ଦେଇ ପାରାବେଡ଼ାସ୍ଥ ଅଧିକାରୀ ଛକ ଦେଇ ଦଶହରାପଡିଆ ପର୍ଯ୍ୟନ୍ତ ଗେରୁଆ ରଙ୍ଗର ପତାକା ଫରଫର ଉଡୁଥିବା ଦେଖିବାକୁ ମିଳିଥିଲା। ତା ସାଙ୍ଗକୁ ଯୁବବର୍ଗଙ୍କ ବାଇକ, ଜିପ ଆଦିରେ ବିଭିନ୍ନ ବେଶ ପୋଷାକ ପିନ୍ଧି ଖଣ୍ଡା ଆଦି ବି କିଛି ଯୁବକ ପ୍ରଦର୍ଶନ କରିଥିଲେ। କିଛି ଯୁବତୀ ଓ ମହିଳା ମାନେ ବୁଲେଟ୍ ବାଇକରେ ମହାରାଣୀ ଲକ୍ଷ୍ମୀବାଇଙ୍କ ବେଶରେ ଶୋଭାଯାତ୍ରାରେ ଭାଗ ନେଇଥିଲେ। ପ୍ରତ୍ୟେକ ସାହି ଛକରେ ସାହି ବାସିନ୍ଧାଙ୍କ ପକ୍ଷରୁ ଶୋଭାଯାତ୍ରାରେ ଭାଗ ନେଇଥିବା ଯୁବବର୍ଗଙ୍କ ପାଇଁ ପଣାର ବ୍ୟବସ୍ଥା କରାଯାଇଥିଲା। ଭାଇଚାରାର ସହର ଜୟପୁରରେ ଏହାର ନିଦର୍ଶନ ଗତ ବର୍ଷ ପରି ଏହି ବର୍ଷ ବି  ଦେଖିବାକୁ ମିଳିଥିଲା।

ଶୋଭାଯାତ୍ରା ପଠାଣସାହି ନିକଟ ଦେଇ ଆସିବା ବେଳେ ଏହି ସାହିର ଯୁବବର୍ଗବି ଶୋଭାଯାତ୍ରାକାରୀଙ୍କୁ ଥଣ୍ଡାପାନୀୟ ଦେଇ ଆପ୍ୟାୟିତ କରିଥିଲେ। ଶୋଭାଯାତ୍ରାରେ  ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବିଜେପି ରାଜ୍ୟ ପରିଷଦ ସ୍ଥାୟୀ ସଭ୍ୟ ଗୌତମ ସାମନ୍ତରାୟ  ଏଥିରେ ସାମିଲ ହୋଇ ଜୟଶ୍ରୀରାମ ନାରା ଦେଇ ଯୁବବର୍ଗଙ୍କୁ ପ୍ରତ୍ସାହିତ କରୁଥିଲେ। ସେଭଳି ମାଦଳାସାହି, ଭୁପତ୍ତିସାହି, ସୌରାସାହିର ୩ଟି ପାଇକ୍ ଆଖଡ଼ା ଏହି ଶୋଭାଯାତ୍ରାରେ ଭାଗ ନେଇ ନିଜର କଳା କୌଶଳର ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ବହୁ ଯୁବକ ବଡ଼ ବଡ଼ ଘେରୁଆ ପତାକା ଧରି ବାଇକରେ ଏବଂ ଶୋଭାଯାତ୍ରାରେ ଆଗରେ ଆଗରେ ରହି ବୁଲୁଥିବା ଦେଖିବାକୁ ମିଳିଥିଲା। ସେଭଳି ଇସ୍କନର ସଂକୀର୍ତ୍ତନ ଦଳ, ସହ ବିଭିନ୍ନ ସଂପ୍ରଦାୟର ମହିଳା ଦଳ ଭାଗ ନେଇ ନାମ ସଂକୀର୍ତ୍ତନରେ ନୃତ୍ୟ କରୁଥିବା ‌ବି ଦେଖିବାକୁ ମିଳିଥିଲା। ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ନେତୃତ୍ବରେ  ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ରାଜୀବ ଦାସ, ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିଲେ। ଏସଡିପିଓ ହରିଶ ବି.ସିଙ୍କ ତତ୍ବାବଧାନରେ ଭାରପ୍ରାପ୍ତ ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ, ସବଇନିସପେକ୍ଟର ସିଦ୍ଧାର୍ଥ ବେହେରା, ସଂଜୀବ ମହାନ୍ତି,ବିଷ୍ଣୁ ବେହେରା, ଏଏସଆଇ ବିଜୟ ପଟ୍ଟନାୟକଙ୍କ ସମେତ ୧୧ ପ୍ଲାଟୁନ୍ ପୁଲିସ ଫୋର୍ସ ସମଗ୍ର ସହରରେ ନିୟୋଜିତ କରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

 

 

ସମ୍ବନ୍ଧିତ ଖବର