ଭଦ୍ରକରେ ଶ୍ରୀରାମ ନବମୀ ମହାଯଜ୍ଞ ଉଦ୍‌ଯାପିତ : ଶୋଭାଯାତ୍ରାରେ ୬୦ ମେଢ଼, ଲକ୍ଷାଧିକ ଭକ୍ତ ସାମିଲ

ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର, ୪୦ ପ୍ଲାଟୁନ୍ ଫୋର୍ସ, ୧୦୦ ଅଫିସର ମୁତୟନ

ଭଦ୍ରକ : ଭଦ୍ରକର ପ୍ରସିଦ୍ଧ ବିଶାଳ ଶ୍ରୀରାମ ନବମୀ ମହାଯଜ୍ଞ ଆଜି ଶାନ୍ତିଶୃଙ୍ଖଳାର ସହ ଉଦ୍‌ଯାପିତ ହୋଇଯାଇଛି। ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ବେଳେ ଗାନ୍ଧୀ ପଡ଼ିଆରେ ହଜାର ହଜାର ରାମଭକ୍ତଙ୍କର ସମାଗମ ହୋଇଥିଲା। ସ୍ଥାନୀୟ ନେହେରୁ ଷ୍ଟାଡିୟମଠାରୁ ଶ୍ରୀରାମ ମେଢର ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ଆରମ୍ଭ କରାଯାଇଥିଲା। ଶୋଭାଯାତ୍ରା ବେଳେ ଜୟ ଶ୍ରୀରାମ ଧ୍ବନିରେ କମ୍ପି ଉଠିଥିଲା ସହର। ନଗର ସଂକୀର୍ତ୍ତନ ବନ୍ତ ଛକ ଦେଇ କଚେରି ରୋଡ, ଟାଉନହଲ ଛକ, ନୂଆ ବଜାର, ରାଜଘାଟ ଛକ, କୁଆଁଶ, ଚନ୍ଦନ ବଜାର, ପୁରୁଣା ବଜାର, ସନ୍ଥିଆ, ମହିଳା କଲେଜ ଛକ ହୋଇ କଚେରି ରୋଡ ଦେଇ ଗାନ୍ଧୀ ପଡ଼ିଆକୁ ଆସିଥିଲା।

ରାତି ୧୨ଟାରେ ଶୋଭାଯାତ୍ରା ଗାନ୍ଧୀ ପଡ଼ିଆରେ ପହଞ୍ଚିବା ପରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ୬୦ଟି ମେଢ ସହର ପରିକ୍ରମା କରିବା ବେଳେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇ ନଗର ସଂକୀର୍ତ୍ତନ ଦେଖୁଥିଲେ। ସଂକୀର୍ତ୍ତନ ଶୋଭାଯାତ୍ରାରେ ସାମିଲ ଥିବା ମେଢ ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ୩ଟି ମେଢକୁ ପୁରସ୍କୃତ କରାଯାଇଥିଲା। ଉତ୍ସବର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ଭଦ୍ରକ ଏସ୍‌ପି ନିଜେ ଶାନ୍ତିଶୃଙ୍ଖଳା ଦାୟିତ୍ବକୁ ତଦାରଖ କରିଥିଲେ।

ଶ୍ରୀରାମ ନବମୀ ମହୋତ୍ସବ ପାଇଁ ୩ ଦିନ ତଳେ ଅନୁଷ୍ଠିତ କଳସ ଶୋଭାଯାତ୍ରାରେ ୫୦୦୮ କଳସ ସହରର ସାହାପୁରସ୍ଥିତ ସାଳନ୍ଦୀ ନଦୀର ପଞ୍ଚମୁଖୀ ହନୁମାନଘାଟରୁ ଜଳ ଆଣି ଏକ ବିଶାଳ ଶୋଭାଯାତ୍ରାରେ ସହର କରିକ୍ରମା କରି ଗାନ୍ଧୀ ପଡ଼ିଆକୁ ଆସିଥିଲେ। ମହିଳା ଭକ୍ତମାନଙ୍କ ଦ୍ବାରା କଳସ ଶୋଭାଯାତ୍ରା ସହରକୁ ଗେରୁଆମୟକରି ଦେଇଥିଲା। ସେହିଦିନଠାରୁ ଯଥା ରୀତି ପୂଜା ଅର୍ଚ୍ଚନା କରାଯାଇ ଶ୍ରୀରାମ ମହାଯଜ୍ଞ ଉତ୍ସବ ପାଳନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ସାଧୁସନ୍ଥ ଆସି ଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀରାମ ମହାଯଜ୍ଞ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ରାୟରାମାନନ୍ଦ ମହାପାତ୍ରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

ଆଜିର ନଗର ସଂକୀର୍ତ୍ତନ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବିଜେପି ନେତା ଡା. ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମହାଯଜ୍ଞ କମିଟିର ସଂପାଦକ ଶରତ ପଢିହାରୀ, କାର୍ଯ୍ୟକାରୀ ସଭାପତି ନିଲୁ ସେନାପତି, ନିଲୁ ସାହୁ, ତପନ ମହାନ୍ତି, କୁନା ବିଶ୍ବାଳ, ସ୍ବାଧୀନ ସୁନ୍ଦର ଦାସ, ବିଜୟ ନାୟକ, ଗୋବିନ୍ଦ ସାହୁ, ବିଦ୍ୟାଧର ସାହୁ, ସୁରେଶ ସାମଲ, ଅମ୍ବିକା ଦାସ, ଘାଉଲି ଯେନା, ଲାଲା ଧୀରଂଜନ ରାୟ, ନାରାୟଣ ସେନାପତି, ଉତ୍ତମ ପାତ୍ର, ମନସ୍ମିତା ଖୁଣ୍ଟିଆ, ବାବୁ ଖୁଣ୍ଟିଆ, ସନାତନ ସାହୁ, ରଘୁନାଥ ସାହୁ, ଶୁଭଙ୍କର ମହାପାତ୍ର, ସୁବ୍ରତ ନାୟକ, ଅନିଲ ନାୟକ, ପୂର୍ଣ୍ଣ ସାମଲ, ପ୍ରଭାତ ଜେନା, ସପନ ଦାସ, ମଦନ ମୋହନ ମହନ୍ତ, ପୁରଜିତ ମୁନୀ, ଉର୍ମିଳା ସାହୁ, ସୁକାନ୍ତି ମିଶ୍ର, କଳ୍ପନା ଲେଙ୍କା, ଭାରତୀ ବିଶ୍ବାଳ, ଉର୍ମିଳା ସେଠୀ, ନବନିତା ନାୟକ, ତପସ୍ବିନୀ ନାୟକ, ଜୟସ୍ମିତା ଗୋଚ୍ଛାୟତ, ଅମରେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର