ରମାଙ୍କ କୁଡ଼ିଆକୁ ଜଗିଛି ଦୁଇ ‌ଢେରା, ଆବାସ ପାଇଁ ୧୫ ବର୍ଷ ହେଲା ସଂଘର୍ଷ ଜାରି

ମୁଣ୍ଡ ଗୁଞ୍ଜିବାକୁ ବାରଦୁଆର

ପ୍ରତାପୁର: ବର୍ଷେ କି ଦୁଇବର୍ଷ ନୁହେଁ, ବର୍ଷ ବର୍ଷ ଧରି ସରକାରୀ ଆବାସ ପାଇଁ ହିତାଧିକାରୀମାନେ ସନ୍ତୁଳି ହେଉଛନ୍ତି। ହେଲେ ଦୁଃଖର କଥା ହେଉଛି, ସରକାର ଓ ପ୍ରଶାସନ ସେମାନଙ୍କ ଦୁଃଖ ଶୁଣିବା ପରିବର୍ତ୍ତେ ଧୈର୍ଯ୍ୟ ପରୀକ୍ଷା କରି ଚାଲିଛି। ସରକାରୀ ବାବୁ ଓ ଜନପ୍ରତିନିଧିମାନଙ୍କୁ ଗୁହାରି କଲେ ବି କୌଣସି ସୁଫଳ ମିଳୁନି। ଆଉ ଏଭଳି ପରିସ୍ଥିତିରେ ଅଯୋଗ୍ୟ ଆବାସ ହାତେଇ ନେଉଥିବା ବେଳେ ଗରିବ ଏବଂ ବେସାହାରାଙ୍କ ଦୁଃଖ ସରୁନି। କିଏ ଭଙ୍ଗାଦଦରା ଝାଟିମାଟି କୁଡ଼ିଆରେ ତ ଆଉ କିଏ, ପର ଘରର ଦୁଆର‌ରେ ଆଶ୍ରୟ ନେଉଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ କଲ୍ୟାଣପୁର ଗ୍ରାମର ହରିଜନସାହିରେ। ଏଠାରେ ଏକ ଭଙ୍ଗାଦଦର କୁଡ଼ିଆରେ ରହୁଥିବା ବେସାହରା ବୃଦ୍ଧା ରମା ନାଇକ ଦୀର୍ଘ ୧୫ ବର୍ଷ ହେଲା ଆବାସ ପାଇଁ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ଗତ କିଛିଦିନ ତଳେ ତାଙ୍କ କୁଡ଼ିଆଟି ଭାଙ୍ଗିଯାଇଥିବାରୁ ତାହା ବିପଦପୂର୍ଣ୍ଣ ଅବସ୍ଥା‌ରେ ରହିଛି। ଫଳରେ ଦୁଇଭାଗକୁ କାଠଖୁଣ୍ଟ ଢେରା ଦିଆଯାଇଛି। ଏଠାରେ ରହିବା ଲାଗି ରମା ସୁରକ୍ଷିତ ମଣୁ ନଥିବାରୁ ପରଦୁଆରରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି।

୨୫ ବର୍ଷ ତଳେ ତାଙ୍କ ସ୍ୱାମୀ ଉଦୟ ନାଇକ ଆରପାରିକୁ ଚାଲିଯାଇଥିଲେ। ଏକମାତ୍ର ପୁଅ ଗନ୍ଧି ତାଙ୍କର ସାହା ପାଲଟିଥିଲା। କିନ୍ତୁ ଦଇବ ପୁଣି ଦାଉ ସାଧିଲା। ଗତ ୧୫ ବର୍ଷ ତଳେ ସେ ବି ମାଆଙ୍କୁ ଛାଡ଼ି ଆରପାରିକୁ ପଳାଇଥିଲେ। କଷ୍ଟେମଷ୍ଟେ ରମା ତାଙ୍କ ଦୁଇଝିଅଙ୍କ ବାହାଘର ସାରିଥିଲେ। କିନ୍ତୁ ଏବେ ସେ ସଂପୂର୍ଣ୍ଣ ଭାବେ ଏକୁଟିଆ ଓ ଅସହାୟ ପାଲଟିଯାଇଛନ୍ତି। ସରକାରୀ ସହାୟତା ଭାବେ ଭତ୍ତା ଓ ରାସନ୍‌କାର୍ଡ଼ରେ ଚାଉଳ ମିଳୁଛି। କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ପକ୍କାଘରଟିଏ ନଥିବାରୁ ରମାଙ୍କ ଚିନ୍ତା ବଢ଼ିଛି। ପୁରୁଣା ଘର ଭାଙ୍ଗି ଯିବା ପରେ ଏହି ଛୋଟିଆ କୁଡ଼ିଆଟିଏ ତାଙ୍କ ଏକମାତ୍ର ସାହାଭରସା ଥିଲା। କିନ୍ତୁ ତାହା ମଧ୍ୟ ବର୍ଷା ଓ ପବନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବାରୁ ସୁରକ୍ଷା ପାଇଁ ରମା ନିଜ ଉଦ୍ୟମରେ ଦୁଇଟି ଢେରା ଦେଇ ରଖିଛନ୍ତି। ନାତୁଣୀ ପାଖରେ ୩ ମାସ ଆଶ୍ରୟ ନେବା ପରେ ଏବେ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି। କିନ୍ତୁ କେହି ତାଙ୍କର ଦୁଃଖ ଶୁଣୁନାହାନ୍ତି। ପ୍ରତାପୁର ପଞ୍ଚାୟତରେ କେବଳ ରମା ନୁହଁନ୍ତି, ତାଙ୍କ ପରି ଅନେକ ହିତାଧିକାରୀ ଆବାସକୁ ବର୍ଷ ବର୍ଷ ଧରି ଚାହିଁ ରହିଛନ୍ତି। ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର