ରାମ ନାମ ଧ୍ବନିରେ ଗୁଞ୍ଜରିତ ହେଲା ସହର, ଆଜି ବାହାରିବ ଆଖଡା ଶୋଭାଯାତ୍ରା

ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ବେଶ୍ ଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସାରା ସହର ରାମନାମ ଧ୍ବନିରେ ଗୁଞ୍ଜରିତ ହୋଇଥିଲା। ରାମଚରିତ ମାନସ ପାଠ କରାଯାଇଥିଲା। ଶ୍ରଦ୍ଧାଳୁମାନେ ବିଭିନ୍ନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ସହରର ରାଣାପ୍ରତାପ ଆଖଡ଼ା, ଶିବାଜୀ ଆଖଡ଼ା, ଶ୍ରୀମହାବୀର ଆଖଡ଼ା, ତ୍ରିନାଥ ଆଖଡ଼ା, ଭୂତନାଥ ଆଖଡ଼ା, ଶମ୍ଭୁନାଥ ଆଖଡ଼ା, ହନୁମାନ ଆଖଡ଼ା, ମହାକାଳ ଆଖଡ଼ା, ରୁଦ୍ରବାବା ଆଖଡ଼ା, ଜୟବଜରଙ୍ଗୀ ଆଖଡ଼ା, ନବ୍‌ଯୁବକ ସଂଘ ଆଦି ୧୨ରୁ ଅଧିକ ଆଖଡ଼ା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ହନୁମାନଙ୍କ ମୂର୍ତ୍ତିକୁ ସ୍ଥାପନା କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ଆଜି (ଶୁକ୍ରବାର) ଅପରାହ୍ନ ୨ଟାରେ ବିର୍ସା ମୁଣ୍ଡା ଛକରୁ ଆଖଡ଼ା ଶୋଭାଯାତ୍ରା ବାହାରିବ। ସହରର ମୁଖ୍ୟ ମାର୍ଗ ଦେଇ ସଂଧ୍ୟା ୭ଟା ସୁଦ୍ଧା ଉଦିତନଗର ଆମ୍ବେଦକର ଛକରେ ଶୋଭାଯାତ୍ରା ଶେଷ ହେବ। ଶୋଭାଯାତ୍ରାରେ ଆକର୍ଷଣ ସାଜିବ ୧୨ଟି ଆଖଡାର ବିଭିନ୍ନ ପ୍ରକାର ଝାଙ୍କି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିର୍ସା ମୁଣ୍ଡା ଛକରୁ ଉଦିତନଗର ଛକ ପର୍ଯ୍ୟନ୍ତ ରାଉରକେଲା ମୁଖ୍ୟ ମାର୍ଗରେ ୨୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ ମୁତୟନ ହେବ। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ରାଉରକେଲା ପୁଲିସର ବରିଷ୍ଠ ଅଧିକାରୀମାନେ ଦାୟିତ୍ବରେ ରହିବେ। ବିର୍ସା ରୋଡ଼ ଠାରୁ ପ୍ରମୁଖ ଛକରେ ବ୍ୟାପକ ସଂଖ୍ୟାରେ ପୁଲିସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଶାନ୍ତିଶୃଙ୍ଖଳାରେ ଶୋଭାଯାତ୍ରା ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଅସହ୍ୟ ତାତି ହେଉଥିବାରୁ ଶୋଭାଯାତ୍ରାରେ ଆଖଡା କମିଟିର କର୍ମକର୍ତ୍ତା ଓ ଦର୍ଶକମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ସେକ୍ଟର-୬ ତାରା ତାରିଣୀପଲ୍ଲୀ ଅଞ୍ଚଳର ଜୟ ବଜରଙ୍ଗୀ ପୂଜା କମିଟ ପକ୍ଷରୁ ହନୁମାନ ମନ୍ଦିରରେ ରାମ ନବମୀ ପାଳିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗଦେଇ ସେକ୍ଟର-୨୦ ପମ୍ପ ହାଉସ୍‌କୁ କଳସ ଯାତ୍ରା କରିଥିଲେ। ପରେ ପୂଜା କମିଟି ପକ୍ଷରୁ ରାମନବମୀ ଆଖଡ଼ା ସହର ପରିକ୍ରମା କରିଥିଲେ। ଆଖଡା ଶୋଭାଯାତ୍ରା‌ରେ ସାମିଲ ହୋଇଥିବା କର୍ମକର୍ତାମାନେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ। କମିଟିର ସଭାପତି ତରୁଣ ତନ୍ତୀ, ସାଧାରଣ ସଂପାଦକ ଜଗବନ୍ଧୁ ଜେନା ଓ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ସେହିପରି ସେକ୍ଟର-୬ ଏଚ୍‌ ବ୍ଲକ୍‌ର ଭଗବତୀ ପଲ୍ଲୀ ମହାବୀର ମନ୍ଦିର କମିଟି ପକ୍ଷରୁ ରାମନବମୀ ପାଳିତ ହୋଇଯାଇଛି। ରୀତିନୀତି ଅନୁଯାୟୀ ମନ୍ଦିରରେ ପୁଜାର୍ଚ୍ଚନା ଓ ହୋମଯଜ୍ଞ ହୋଇଥିଲା। କମିଟି ସଦସ୍ୟାଙ୍କ ସହ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ସହର ଶୋଭାଯାତ୍ରା କରିଥିଲେ। ଅତିଥି ଭାବେ ପ୍ରଶାନ୍ତ ସେଠୀ, ପ୍ରଭାତ ଶତପଥୀ, ଦୁର୍ଯ୍ୟଧନ ବଳ, ଭଗବାନ ବଳ, ଭୂଷଣ ସେଠୀ, ଆଶିଷ ଜେନା, ଗୁରୁଚରଣ ସାମଲ, ଲିଙ୍ଗରାଜ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର