ବ୍ରହ୍ମପୁର/ଗଞ୍ଜାମ : ଛତ୍ରପୁର ନିର୍ବାଚନମଣ୍ଡଳୀ ଏବେ ବିଜେଡି ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ବିଧାୟକଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଛତ୍ରପୁର ବିଧାୟକଙ୍କୁ ବିରୋଧୀ ଗୋଷ୍ଠୀ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିସାରିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହିକ୍ରମେ ଆଜି ଗଞ୍ଜାମ ସହରରେ ନାଗରିକ ଓ ଶ୍ରମିକ ସମାଜର ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ତାଙ୍କର ରାଜନୈତିକ ଯାତ୍ରାର ୫୦ ବର୍ଷ ପୂର୍ତ୍ତ ଅବସରରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ବିଜୁ ଶ୍ରମିକ ସାମ୍ମୁଖ୍ୟ ଜିଲ୍ଲା ଉପସଭାପତି ତଥା ଶ୍ରମିକନେତା ଶଙ୍କର ପ୍ରସାଦ ଦାସଙ୍କୁ ୨୫ବର୍ଷର ସଫଳ ନେତୃତ୍ବ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚରେ ଶ୍ରୀ ପଣ୍ଡା ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିପୁଳ ଜନସମାଗମ ହୋଇଥିଲା। ଅଧିକାଂଶ ବକ୍ତା ଛତ୍ରପୁର ବିଧାୟକଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ। ଯାହାକୁ ନେଇ ବିରୋଧୀ ଶିବିରରେ ଛନକା ପଶିଯାଇଥିବା ଚର୍ଚ୍ଚା ହେଉଛି।
ବିଧାୟକଙ୍କ ବିରୋଧରେ ନେତାଙ୍କ ବିଷୋଦ୍ଗାର
କାହାକୁ ବି ଅଣଦେଖା କରାଯାଉନି: ବିଧାୟକ
ଗଞ୍ଜାମ ନାଗରିକ ସମାଜ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ତରଫରୁ ପୂର୍ବତନ ଉପବାଚସ୍ପତି ଶ୍ରୀ ପଣ୍ଡାଙ୍କୁ ଏକ ବିରାଟ ରାଲିରେ ସହସ୍ରାଧିକ ଜନସାଧାରଣ ସଭାସ୍ଥଳକୁ ପାଛୋଟି ଆଣିଥିଲେ। ଏହାପରେ ଗଞ୍ଜାମ ସହରର ବଡ଼ବଜାର ପୁରୁଣା ପେଟ୍ରୋଲ ପମ୍ପ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସମାବେଶରେ ବିଜେଡି ନେତା ଲକ୍ଷ୍ମୀଚରଣ ପାଢ଼ୀ ସଭାପତିତ୍ବ କରିଥିଲେ। ଉପବାଚସ୍ପତି ଶ୍ରୀ ପଣ୍ଡା, ଶ୍ରମିକ ନେତା ଶ୍ରୀ ଦାସ, ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ
ଟି.ଗୋପୀ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ମୁନା ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ରେଡ୍ଡୀ, ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ଯଶୋଦା ରେଡ୍ଡୀ, ବରିଷ୍ଠ ଆଇନଜଜୀବୀ ବ୍ରଜମୋହନ ଆଚାର୍ଯ୍ୟ, ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଛତ୍ରପୁର ବ୍ଲକ୍ ବିଜେଡି ପୂର୍ବତନ ସଭାପତି ସପନ ନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମଞ୍ଚାସୀନ ଥିଲେ।
ଏହି ଅବସରରେ ଶ୍ରୀ ଗୋପୀ କହିଥିଲେ ଯେ, ରାମଚନ୍ଦ୍ର ପଣ୍ଡା ହେଉଛନ୍ତି ଜନତାଙ୍କ ନେତା। ତାଙ୍କ ଉଦ୍ୟମ କ୍ରମେ ଛତ୍ରପୁର ନିର୍ବାଚନମଣ୍ଡଳୀର ବହୁ ବିକାଶ କାର୍ଯ୍ୟ ହୋଇଛି। ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ପଣ୍ଡା ତାଙ୍କର ଲଢ଼େଇ ଜାରି ରଖିଛନ୍ତି। ଗଞ୍ଜାମ ମାଟିର ଉନ୍ନତି ରାମବାବୁଙ୍କ ଏକମାତ୍ର ସଂକଳ୍ପ ବୋଲି ଶ୍ରୀ ରେଡ୍ଡୀ କହିଥିଲେ। ଶ୍ରମିକ ନେତା ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ନିର୍ବାଚନମଣ୍ଡଳୀରେ ରାମ ପଣ୍ଡାଙ୍କ ଅବଦାନକୁ ପ୍ରଶଂସା କରିଥିଲେ। କିନ୍ତୁ ତାଙ୍କୁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଅଣଦେଖା କରାଯିବା ନିନ୍ଦନୀୟ ବୋଲି କହିଥିଲେ। ରାମ ପଣ୍ଡାଙ୍କ ପ୍ରତ୍ୟକ୍ଷ ପ୍ରେରଣା ପାଇଁ ଯେଉଁମାନେ ନେତା ହୋଇଥିଲେ ସେମାନେ ହିଁ ତାଙ୍କୁ ଅଣଦେଖା କରୁଛନ୍ତି। ସେଭଳି ନେତାଙ୍କୁ କଡ଼ା ଜବାବ ଦେବାର ସମୟ ଆସିଛି। ଜନସାଧାରଣ ଏକଜୁଟ୍ ହୋଇ ଏହା ବିରୋଧରେ ଲଢ଼େଇ କରିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ।
ରାମ ପଣ୍ଡା ତାଙ୍କ ବ୍ୟକ୍ତବ୍ୟରେ କହିଛନ୍ତି, ଚାଷୀଙ୍କ ସୁରକ୍ଷା ପାଇଁ ୧୯୭୦ରୁ ଆନ୍ଦୋଳନ ଚାଲିଛି। ଚାଷୀମାନେ ଚାଷ କେମିତି ପାଣି ପାଇବେ, ରାସ୍ତାଘାଟର ଉନ୍ନତି ଓ ଲୋକଙ୍କ ଆର୍ଥିକ ବିକାଶଧାରା କିପରି ଆଗେଇ ସେ ନେଇ ଉଦ୍ୟମ ଜାରି ରହିଛି। ଲୋକଙ୍କୁ ନେଇ ସବୁ କାମ ହେଉଛି। ମୋତେ ଯିଏ ଅବହେଳା କରୁଛି ସେଥିରେ ଦୁଃଖ ନାହିଁ। କାରଣ ମୋ ସହିତ ଲୋକ ଅଛନ୍ତି। ବିଧାୟକଙ୍କ ବିରୋଧରେ କର୍ମୀ ଯାହା ଅଭିଯୋଗ ଆଣୁଛନ୍ତି ତାହା ନେତୃତ୍ବ ବୁଝିବ। ମୋର ଦାୟିତ୍ବ ହେଉଛି ଲୋକଙ୍କ କଥା ବୁଝିବା। ଯାହା ବିଜୁବାବୁ ଓ ନବୀନ ବାବୁ କହିଛନ୍ତି ତାକୁ ଅନୁକରଣ କରି ଲୋକଙ୍କ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଛତ୍ରପୁର ବିଧାୟକ ସୁବାସ ବେହେରା କହନ୍ତି, କାହାରିକୁ ଅଣଦେଖା କରାଯାଉନି। ସାଙ୍ଗଠନିକ ଓ ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରାଯାଉଛି। ଜାଣିଶୁଣି ବିଭ୍ରାଟ ସୃଷ୍ଟି କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି।