ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ

ପୁରୀ :‌ ବରିଷ୍ଠ ନାଟ୍ୟ ନିର୍ଦେଶକ ତଥା ଚଳଚ୍ଚିତ୍ର ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କର ଆଜି ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଉଭୟ ମଞ୍ଚ କଳା ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ବହୁ ବରିଷ୍ଠ କଳାକାର ଆଜି ଅନ୍ନପୂର୍ଣ୍ଣା ଥିଏଟରରେ ତାଙ୍କର ଶେଷ ଦର୍ଶନ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସ୍ବର୍ଗତ ପ୍ରତିହାରୀଙ୍କ ମୃତ୍ୟୁ ସହ ନାଟକ ଜଗତ‌‌ରେ ଏକ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି। ନାଟକ ପ୍ରତି ରହିଥିବା ଦୁର୍ବଳତା ହିଁ ତାଙ୍କୁ ପିଲାଟି ବେଳୁ ଘର ଛାଡ଼ିବାକୁ ବାଧ୍ୟ କରିଥିଲା। ୧୯୩୬ ମସିହାରେ ସେବାୟତ କୂଳରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ଜମ୍ବେଶ୍ବର ପ୍ରତିହାରୀ ଓ ସ୍ବର୍ଗତ ଗୋରୀମଣି ଦେବୀଙ୍କ ପୁଅ ରାମଚନ୍ଦ୍ର ପ୍ରତିହାରୀ ୯ ବର୍ଷ ବୟସରେ ଘର ଛାଡ଼ି କଟକ ଜନତା ମଞ୍ଚରେ କଳାକାର ଜୀବନ ଆରମ୍ଭ କରିଥିଲେ। ଅଭିନୟରେ ନିପୁଣ ହୋଇ ନାଟ୍ୟକଳାକୁ ବ୍ୟାପ୍ତ କରିବା ଲକ୍ଷ୍ୟରେ ପୁଣି ନିଜ ଜନ୍ମମାଟି ପୁରୀକୁ ଫେରି ଆସିଥିଲେ। ପୁରୀ ହରଚଣ୍ଡୀ ସାହିରେ ଜନ୍ମିଥିବା ସ୍ବର୍ଗତ ପ୍ରତିହାରୀ କଳା ପାଇଁ କିନ୍ତୁ ଆଉ ନିଜ ଘରକୁ ଫେରିନଥିଲେ। ଅନ୍ନପୂର୍ଣ୍ଣା ଥିଏଟରରେ ହିଁ ତାଙ୍କ କଳାକାର ଜୀବନର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ହୃଦ୍‌ଘାତଜନିତ ରୋଗରେ ପୀଡ଼ିତ ହୋଇ ନିକଟରେ ସେ ଡାକ୍ତରଖାନରେ ଭର୍ତି ହୋଇଥିଲେ। ରାଜ୍ୟ ସରକାର, ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନଗୁଡ଼ିକର ସହଯୋଗରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଆଜି ଅପରାହ୍ଣ ୩ଟା ୨୦ରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ସମୟରେ ଏକମାତ୍ର ପୁଅ ପ୍ରଦୀପ ପ୍ରତିହାରୀ, ରାମକୃଷ୍ଣ ମହାପାତ୍ର, ଶମ୍ଭୁନାଥ ଖୁଣ୍ଟିଆଙ୍କ ସମେତ ପରିବାର ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ନିଜ କଳାକାର ଜୀବନ ଭିତରେ ସ୍ବର୍ଗତ ପ୍ରତିହାରୀ ୩୦୦ରୁ ଅଧିକ ନାଟକର ନିର୍ଦେଶନା ଦେଇଥିବା ବେଳେ ୧୦୦ରୁ ଅଧିକ ନାଟକରେ ଅଭିନୟ କରିଛନ୍ତି। ସେହିପରି ୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମାଟିର ମଣିଷ, ଏଇ ସଂଘର୍ଷ, ନୂଆବୋହୂ, ପୂଜା, ନୀଳମାଧବ, ବାପା, ମାଣିକଯୋଡ଼ି, କିଏ କାହାର, ଘରସଂସାର, ଅରୁନ୍ଧତୀ, ମୁକ୍ତି, ସିନ୍ଦୁରବିନ୍ଦୁ, ଆରତୀ, ଶଙ୍ଖମହୁରୀ, ପଳାତକ, ପିପାସା, ଦେବଯାନୀ, ପ୍ରତିଧ୍ବନୀ, ଜୟ ଜଗନ୍ନାଥ ଥିଲା ତାଙ୍କ ଅଭିନୀତ ଚଳଚ୍ଚିତ୍ର। ନାଟ୍ୟକଳାରେ ଜୀବନବ୍ୟାପୀ ସାଧନା ପାଇଁ ୨୦୦୯ ମସିହାରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନଜନକ ଜୟଦେବ ପୁରସ୍କାର ମିଳିଥିଲା। ରାମଚନ୍ଦ୍ର ପ୍ରତିହାରୀଙ୍କ ବିୟୋଗ ନାଟକ ତଥା ଚଚ୍ଚଳିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କଳସଂସ୍କୃତି ସହ ଜଡ଼ିତ ବ୍ୟକ୍ତି ବିଶେଷ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର