ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଜମି ଉପରୁ ହଟୁନି ଉଚ୍ଚଶିକ୍ଷା ବିଭାଗର ନଜର। ରାଜ୍ୟର ଏହି ପ୍ରମୁଖ ତଥା ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ବେଳେ କ୍ୟାମ୍ପସ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଉତ୍କଳ କ୍ୟାମ୍ପସରୁ ୩୦ ଏକର ଜମି ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ଯୋଗାଇ ଦେବାକୁ ଆଜି ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ୩୦ ଏକର ଜମି ଚିହ୍ନଟ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଓ ସାଧାରଣ ପ୍ରଶାସନ ବିଭାଗର ଜଣେ ପ୍ରତିନିଧି ସଦସ୍ୟ ରହିବେ। ଫେବ୍ରୁଆରି ୧୫ ସୁଦ୍ଧା କମିଟି ୩୦ ଏକର ଜମି ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଦାନା ବାନ୍ଧିବା ଆରମ୍ଭ କରିଛି। ଏବିଭିପି, ଛାତ୍ର କଂଗ୍ରେସ ବିଭାଗର ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ କୌଣସି ପରିସ୍ଥିତିରେ କ୍ୟାମ୍ପସରୁ ଇଞ୍ଚେ ବି ଜାଗା ଦିଆଯିବ ନାହିଁ ବୋଲି କହିଛନ୍ତି। ଯଦି ଜବରଦସ୍ତ ଚାପ ପକାଇ ଜାଗା ନେବାକୁ ଉଦ୍ୟମ ହୁଏ ତେବେ ଯେଉଁ ଭୟଙ୍କର ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି। ଦୁଇ ଛାତ୍ର ସଂଗଠନ ଅଭିଯୋଗ କରିଛି ଯେ ବର୍ତମାନର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଜମି ହସ୍ତାନ୍ତରର ମୁଖ୍ୟ କାର୍ପଟଦାର ସାଜିଛନ୍ତି। ରାଜ୍ୟ ସରକାରଙ୍କ ଗୁଡ୍ବୁକ୍ରେ ରହିବା ଲାଗି ଏଭଳି କାର୍ଯ୍ୟ କରୁଛନ୍ତି। ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ। ନ ହେଲେ କ୍ୟାମ୍ପସରେ ପୁଣିଥରେ ନିଆଁ ଜଳିବ। ଫେବ୍ରୁଆରି ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସିବାକୁ ଥିବାରୁ ତାହା ପୂର୍ବରୁ ଏଭଳି କମିଟି ଗଠନ ହୋଇଛି। ଏହାର ତୀବ୍ର ବିରୋଧ କରାଯିବ। ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରାଯିବ। ରାଜଧାନୀରେ ଏକର ଏକର ସରକାରୀ ଜମି ଖାଲି ପଡ଼ିଛି। ସେଠାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ହେଉ ବୋଲି ସେମାନେ କହିଛନ୍ତି। ବୁଦ୍ଧିଜୀବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ମଧ୍ୟ ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେମାନଙ୍କ ମତରେ ଗୋଟିଏ ଶିକ୍ଷାନୁଷ୍ଠାନର ବିକାଶ ଲାଗି ଅତି କମ୍ରେ ୨୦୦ ଏକର ଜମି ଆବଶ୍ୟକ। ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆରମ୍ଭରୁ ସଙ୍କୁଚିତ କରା ନ ଯାଉ। ଯଦି କ୍ୟାମ୍ପସର ସମ୍ପ୍ରସାରଣ ପାଇଁ ସରକାର ଚିନ୍ତା କରୁଛନ୍ତି ତେବେ ଅନ୍ୟତ୍ର ଜାଗା ଚିହ୍ନଟ କରି ଦିଅନ୍ତୁ। ଉତ୍କଳରୁ ୩୦ ଏକର ଜମି ରମାଦେବୀର ଭିତ୍ତିଭୂମି ବିକାଶ ଲାଗି ଦିଆଗଲେ କିଛି ବି ହୋଇପାରିବ ନାହିଁ। ଭବିଷ୍ୟତରେ ରମାଦେବୀ ବିଶ୍ୱବିିଦ୍ୟାଳୟର ଗବେଷଣା, ହଷ୍ଟେଲ, ଖେଳ ପଡ଼ିଆ, ଷ୍ଟାଫ୍ କ୍ୱାର୍ଟର୍ସ ଆଦିର ଆବଶ୍ୟକତା ରହିଛି। ଭୁବନେଶ୍ୱରରେ ଆଇଆଇଏମ୍ ପ୍ରତିଷ୍ଠା ଲାଗି ଯେତେବେଳେ ପ୍ରସ୍ତାବ ଥିଲା ସେତେବେଳେ ଜଟଣୀ ନିକଟରେ ୨୦୦ ଏକର ଲେଖାଏଁ ଦୁଇଟି ଜାଗା ଚିହ୍ନଟ ହୋଇଥିଲା। ସେହି ଜମିକୁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଦିଆଯାଇପାରିବ। ୭୫ ବର୍ଷର ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ବିଶ୍ୱସ୍ତରୀୟ ହେବାକୁ ଯାଉଛି। ତେଣୁ ଗବେଷଣା, ହଷ୍ଟେଲ ନିର୍ମାଣ ଲାଗି ଆହୁରି ଜମିର ବି ଆବଶ୍ୟକତା ପଡ଼ିବ। ତେଣୁ ଏହାର ଜମିକୁ ହ୍ରାସ କରା ନ ଯାଉ। ବରଂ ବିକଳ୍ପ ଚିନ୍ତା ହେଉ। କୁଳପତି ନିଷ୍ପତ୍ତିକୁ ବିରୋଧ କରିବା ଆବଶ୍ୟକ।
ସୂଚନାଯୋଗ୍ୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜମି ଦେବାକୁ ୨୦୧୬ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ଏହାକୁ ଛାତ୍ର ଓ ଶିକ୍ଷକ ସଙ୍ଗଠନ ବିରୋଧ କରିବା ପରେ ସେତେବେଳର କୁଳପତି ପ୍ରଫେସର ଅଶୋକ ଦାସ ପ୍ରସ୍ତାବକୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଦେଇଥିଲେ। ଏହାପରେ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦାସପୁରଠାରେ ୩୦ ଏକର ଜାଗା ଚିହ୍ନଟ କରି ସେଠାରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/rd-college.jpg)