ଯାଜପୁର/ରସୁଲପୁର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ। ତେବେ ସେଦୁହେଁ ଫେରାର ଅଛନ୍ତି।
ସୂଚନାଯୋଗ୍ୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି! ୨ ଜଣ ଯୁବକ ଏକ ଲାଲ ରଙ୍ଗ ସ୍କୁଟରରେ ଛାତ୍ରୀଙ୍କ ମରଶରୀରକୁ ରଖି ଯାଜପୁର ଜିଲ୍ଲାର ଏକ ରାସ୍ତାରେ ଫିଙ୍ଗିଦେଇ ଚାଲିଯାଇଛନ୍ତି। ସିସିଟିଭିରେ ଏହି ଘଟଣା କଏଦ ହେବାପରେ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଛାତ୍ରୀଙ୍କର ପରିଚୟ ମଧ୍ୟ ମିଳିଛି। ସେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ତରୁଣ୍ଡେଇପଶି ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ (୨୧)। ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ୩ ଦ୍ବିତୀୟ ବର୍ଷ ଛାତ୍ରୀ। ତେବେ, ଏହା ହତ୍ୟାକାଣ୍ଡ କି ନୁହେଁ କିମ୍ବା ଏହାପଛରେ ଆଉ କି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଯାଜପୁର ଜିଲ୍ଲା ଅନ୍ତର୍ଗତ କୁଆଖିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ୨ଜଣ ସନ୍ଦିଗ୍ଧ ଯୁବକ ଏକ ସ୍କୁଟରରେ ଆସି କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ-ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡ ନିକଟରେ କିଛି ଗୋଟାଏ ଫିଙ୍ଗି ଚାଲିଯାଇଥିଲେ। ନିକଟରେ ଥିବା ଏକ ଇଟାଫାକ୍ଟ୍ରିରେ ଲାଗିଥିବା ଏକ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇରହିଛି। ସେହି ଦିଆଲଖଣ୍ତ ପାଟରେ କାମ କରୁଥିବା କିଛି ଲୋକ ବି ଏହା ଦେଖିଥିଲେ ଏବଂ ସଙ୍ଗେସଙ୍ଗେ ସେଠାରେ ପହଞ୍ଚିଥିଲେ। ସେଠାରେ ଜଣେ ଯୁବତୀଙ୍କ ମୃତଦେହ ଥିବାବେଳେ ପାଖରେ ଏକ ଏୟାର ବ୍ୟାଗ୍, ରାସ୍ତାକଡ଼ରେ ପଟେ ଚପଲ ପଡ଼ିଥିଲା। ଖବରପାଇ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସଦଳବଳେ ପହଞ୍ଚିଥିଲେ। ଏସ୍ଡିପିଓ ଚିନ୍ମୟ ନାୟକ ମଧ୍ୟ କିଛି ସମୟ ପରେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଶବ ତନଖି କରିବା ପରେ ଆମ୍ବୁଲାନ୍ସ ଯୋଗେ କୁଆଖିଆ ଥାନା ନିକଟକୁ ନିଆଯାଇଥିଲା। କୁଆଖିଆ ପୁରୁଣା ଥାନା ନିକଟସ୍ଥ ଜାତୀୟ ରାଜପଥ ଉପରେ ମୃତ ଯୁବତୀଙ୍କ ଆଉ ପଟେ ଚପଲ ମିଳିଥିଲା। ଅତିରିକ୍ତ ଏସପି ବି. ବି. ବେହେରା ଥାନାରେ ପହଞ୍ଚି ଅନୁସନ୍ଧାନରେ ସାମିଲ ହୋଇଥିଲେ। ଘଟଣାସ୍ଥଳରରୁ ମିଳିଥିବା ଏୟାର ବ୍ୟାଗ୍ ତହସିଲଦାରଙ୍କ ଉପସ୍ଥିତିରେ ଖୋଲା ଯାଇଥିଲା। ତା’ ଭିତରୁ କିଛି ପୋଷାକ, ବହି,ଖାତା ଓ ପ୍ରସାଧନ ସାମଗ୍ରୀ ମିଳିଥିଲା। ଗୋଟିଏ ପଲିଥିନ୍ ଭିତରେ ଓଦା ହୋଇଥିବା ପୋଷାକ ମିଳିଥିଲା। ନୋଟ୍ ମଧ୍ୟରେ ଲେଖାଯାଇଥିବା ଫୋନ୍ ନମ୍ବରକୁ ଯୋଗାଯୋଗ କରିବାରୁ ମୃତ ଯୁବତୀ ରହୁଥିବା ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲର ଜଣେ ଛାତ୍ରୀ ଧରିଥିଲେ। ତାଙ୍କ ପାଖରୁ ମୃତ ଛାତ୍ରୀଙ୍କ ପରିଚୟ ମିଳିଥିଲା।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିବା ଘଟଣା: ଦୁଇ ଅଭିଯୁକ୍ତ ଚିହ୍ନଟ
/sambad/media/post_attachments/wp-content/uploads/2021/01/Jharaphula-Death-Case_Police-Arrests-Two-People_Thumbnail_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)