ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସନ୍ତୁଳନ ରଖିଲେ ସଫଳତା ମିଳିବ: ଜଷ୍ଟିସ୍‌ ଦୀପକ ମିଶ୍ର

ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଡକ୍ଟରେଟ୍‌, ବିଜୟଲକ୍ଷ୍ମୀଙ୍କୁ ରମାଦେବୀ-ପୂର୍ଣ୍ଣଚନ୍ଦ୍ର ମିଶ୍ର ସ୍ବର୍ଣ୍ଣପଦକ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଯୋଗଦେଇ କହିଥି‌ଲେ, ଭବିଷ୍ୟତ ଓ ବର୍ତ୍ତମାନ ମଧ୍ୟରେ ସନ୍ତୁଳନ ରକ୍ଷା କଲେ ସଫଳତା ମିଳିବ। କେବଳ ପରିବାର ଓ ଶିକ୍ଷକଙ୍କର ଅବଦାନ ଯୋଗୁ ଛାତ୍ରୀମାନଙ୍କର ମୁଣ୍ଡ ଉଚ୍ଚା ହୋଇଛି। ତେଣୁ ଛାତ୍ରୀମାନେ ଏପରି କାମ କରନ୍ତୁ ଯେପରି ସେମା‌େନ ଗର୍ବ ଅନୁଭବ କରିବେ। ଭବିଷ୍ୟତକୁ ଲମ୍ଫ ପ୍ରଦାନ କରିବାରେ ଛାତ୍ରୀମାନେ ଭୟଭୀତ ହୁଅନ୍ତୁ ନାହିଁ। କୌଣସି ପ୍ରକାରର ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ନାହିଁ। ଲକ୍ଷ୍ୟ ଧାର୍ଯ୍ୟ ହେଲେ ତା’ ଆଗକୁ ଆଉ କିଛି ଦେଖାଯିବ ନାହିଁ। ସର୍ବୋତ୍ତମ କୌଶଳ ଖଟାଇ କଠିନ ପରିଶ୍ରମ କଲେ ଅପହଞ୍ଚରେ ପହଞ୍ଚିବା ସମ୍ଭବ ହେବ ବୋଲି ଜଷ୍ଟିସ୍‌ ମିଶ୍ର କହିଛନ୍ତି।

ଅଧ୍ୟକ୍ଷତା କରିବା‌ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, ନାରୀମାନେ ଜନ୍ମିତ ନୁହନ୍ତି ସେମାନେ ଅବତାର ନିଅନ୍ତି। ଯୁଗେ ଯୁଗେ ଖଳ ସଂହାର ପାଇଁ ନାରୀ ଅବତାର ଗ୍ରହଣ କରିଛି। ଅନେକ ସାରା ବିଶ୍ବ ବୁଲି ବୁଲି ଭାରତ ମା’ କୋଳରେ ସଫଳତା ପାଇଛନ୍ତି। ନାରୀ ସକଳଶକ୍ତିର ଅଧାର, ପ୍ରକୃତିର ସୃଷ୍ଟି। ନାରୀ ଯମରାଜଙ୍କ ଗତି ପଥକୁ ରୋକି ପାରିଛି। କେବଳ ସେଇ ନାରୀର ଶକ୍ତି ପାଇଁ ଏବେ ସମଗ୍ର ବିଶ୍ବର ଭବିଷ୍ୟତ ଭାରତବର୍ଷ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।

କୁଳପତି ପ୍ରଫେସର ପଦ୍ମଜା‌ ମିଶ୍ର ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ଅବସରରେ ଏହି ଅନୁ‌ଷ୍ଠାନ ଅଧୀନରେ ୯ଟି ଜିଲ୍ଲାର ୪୮ଟି ମହିଳା କଲେଜ ରହିଥିବା ବେଳେ ୨୫ଟି ସ୍ନାତକ, ୧୭ଟି ସ୍ନାତକୋତ୍ତର ଓ ୧୦ଟି ଏମ୍‌.ଫିଲ୍‌ ପାଠ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ। ଏହା ସହିତ ଛାତ୍ରୀମାନଙ୍କ ପାଇଁ ବିଶ୍ବବିଦ୍ୟାଳୟରେ ଉପଲବ୍ଧ ବ୍ୟବସ୍ଥା ଓ ଆଗକୁ ରହିଥିବା ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ପୂର୍ବତନ ଛାତ୍ରୀ ତଥା ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଓ ସମାଜସେବୀ ମନୋରମା ମହାପାତ୍ରଙ୍କୁ ସମ୍ମାନସୂଚନ ଡି.ଲିଟ୍‌ ପ୍ରଦାନ କରାଯାଇଥିବା ବେଳେ ସ୍ନାତକୋତ୍ତରରେ ସର୍ବାଧିକ ନମ୍ବର ପାଇଁ ଛାତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କୁ ରମାଦେବୀ-ପୂର୍ଣ୍ଣଚନ୍ଦ୍ର ମିଶ୍ର ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି। ସେହିଭଳି ଓଡ଼ିଶା ବିଜ୍ଞାନ ଏକାଡେମିର ପୂର୍ବତନ ସଭାପତି ତଥା ପୂର୍ବତନ କୁଳପତି ସଂଘମିତ୍ରା ମହାନ୍ତି ଓ କେନ୍ଦ୍ର ସରକାରଙ୍କ ବାୟୋ-ଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ବରୂପଙ୍କୁ ଡକ୍ଟର ଅଫ୍ ସାଇନ୍ସ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗରେ ସର୍ବାଧିକ ନମ୍ବର ରଖି ପାସ୍‌ କରିଥିବା ୪୦ ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ବେଷ୍ଟ ଗ୍ରାଜୁଏଟ୍‌ ଭାବରେ ସୌରଞ୍ଜିତା ମାଝୀ ଓ ସ୍ଥିତିପ୍ରଜ୍ଞା ନାଥଶର୍ମା ରାଜ୍ୟପାଳଙ୍କଠାରୁ ସମ୍ବର୍ଦ୍ଧିତ ହୋଇଥିଲେ। ସାଂସଦ ରଘୁନାଥମହାପାତ୍ର, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଅଶୋକ ଦାସ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଦାମୋଦର ଆଚାର୍ଯ୍ୟ, ପ୍ରତିଭା ରାୟ, ସୁଧାକର ପଣ୍ଡା, ଏଲ୍‌.ଏନ୍‌. ମିଶ୍ର, ଡି.କେ ମହାପାତ୍ର, ହରିହର ପଣ୍ଡା, ପୂର୍ବତନ କୁଳସଚିବ ଜୟନ୍ତ ଷଡ଼ଙ୍ଗୀ, ସନ୍ତୋଷ କାମିଲା ପ୍ରମୁଖ ବିଶେଷ ନିମନ୍ତ୍ରିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ସିନେଟ୍‌, ସିଣ୍ଡିକେଟ୍‌ ସଭ୍ୟ ତଥା କୁଳସଚିବ ଇତିଶ୍ରୀ ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଷଡ଼ଙ୍ଗୀ ଓ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର