ରମାଦେବୀ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ ୩୦ରେ

୪ ଜଣଙ୍କୁ ମିଳିବ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ବର : ରାଜ୍ୟର ପ୍ରଥମ ତଥା ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ଅବସରରେ ଓଡ଼ିଶା ସମେତ ଦେଶର ୪ ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ। ଦୁଇ ଜଣଙ୍କୁ ଡି.ଲିଟ୍‌ ଓ ଦୁଇ ଜଣଙ୍କୁ ଡି.ଏସ୍‌ସି ଉପାଧି ଦିଆଯିବ। ଝାଡ଼ଖଣ୍ଡ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର ଆଲୁମିନି ଦ୍ରୌପଦୀ ମୁର୍ମୁ, ସାହିତ୍ୟିକ ମନୋରମା ମହାପାତ୍ରଙ୍କୁ ଡି.ଲିଟ୍‌ ଏବଂ ଓଡ଼ିଶା ବିଜ୍ଞାନ ଏକାଡେମିର ପୂର୍ବତନ ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତି, କେନ୍ଦ୍ର ବିଜ୍ଞାନ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଅଧୀନସ୍ଥ ବାୟୋଟେକ୍ନୋଲୋଜି ବିଭାଗର ସଚିବ ତଥା ଜଣାଶୁଣା ବୈଜ୍ଞାନିକ ଡ. ରେଣୁ ସ୍ବରୂପଙ୍କୁ ଡି.ଏସ୍‌ସି ଉପାଧିରେ ସମ୍ବର୍ଦ୍ଧିତ କରିବାକୁ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ବିଶ୍ବବିଦ୍ୟାଳୟ କୁଳସଚିବ ଇତିଶ୍ରୀ ଦାସ କହିଛନ୍ତି।

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସମାବର୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଏହି ଅବସରରେ ୪୦ ଜଣ ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଦିଆଯିବ। ଏଥିମଧ୍ୟରୁ ପିଜି ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖିଥିବା ବାୟୋ-ଟେକ୍ନୋଲୋଜି ଛାତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କୁ ରମାଦେବୀ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ମେମୋରିଆଲ୍‌ ସ୍ବର୍ଣ୍ଣ ପଦକ, ୨୦୧୮ରେ ୟୁଜି ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସୌରଞ୍ଜିତା ମାଝି ଓ ସ୍ଥିତପ୍ରଜ୍ଞା ନାଥଶର୍ମାଙ୍କୁ ସ୍ବର୍ଣ୍ଣ ପଦକ ଦିଆଯିବ। ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୭୬୩୨ ଜଣ ଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ବଣ୍ଟନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁଳସଚିବ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଦୁର୍ଗାଶଙ୍କର ଷଡ଼ଙ୍ଗୀ, ପରୀକ୍ଷା ନିୟନ୍ତ୍ରକ ଅଜିତ୍‌ କର, ଉପ କୁଳସଚିବ ନିରଞ୍ଜନ ଆଚାର୍ଯ୍ୟ, ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର