ବ୍ରହ୍ମପୁର/ପୋଲସରା : ଓଡ଼ିଶା ରାଜନୀତିରେ ‘ଗଞ୍ଜାମ ଟାଇଗର୍’ ଭାବେ ପରିଚିତ ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ପଦାର୍ପଣ କରିଥିବା ରାମକୃଷ୍ଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଶୁକ୍ରବାର ସକାଳେ ଭୁବନେଶ୍ବରସ୍ଥିତ ବାସଭବନରେ ସେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପରିବାର ସଦସ୍ୟ ଉପସ୍ଥିତ ଥିଲେ। ରାମକୃଷ୍ଣଙ୍କର ୪ ଝିଅ ଅଛନ୍ତି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ରାଜନେତା, ବୁଦ୍ଧିଜୀବୀ ଗଭୀର ଶୋକପ୍ରକାଶ କରିଛନ୍ତି।
୧୯୩୧ ମସିହାରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମରେ ଲକ୍ଷ୍ମୀଚରଣ ପଟ୍ଟନାୟକ, ମାତା କିଶୋରମଣିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ରାମକୃଷ୍ଣ। ୧୯୭୪ ମସିହାରେ କୁମୁଦିନୀ ପଟ୍ଟନାୟକଙ୍କ ସହ ରାମକୃଷ୍ଣଙ୍କ ବିବାହ ହୋଇଥିଲା। ବିଜୁ ପଟ୍ଟନାୟକଙ୍କ ଅମଳରୁ ରାଜନୀତିରେ ପାଦ ଥାପିଥିଲେ ରାମକୃଷ୍ଣ। ପ୍ରଥମେ କୋଦଳା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ୧୯୭୧ ମସିହାରେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦ ମସିହା ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୦୪ ମସିହାରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହେବାପରେ ଆଉ ନିର୍ବାଚନ ଲଢ଼ି ନଥିଲେ। ତେବେ, ୨୦୧୪ ମସିହାରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର, କଂଗ୍ରେସ ଦଳ ଟିକେଟ ନଦେବାରୁ ସେ ଭାରତୀୟ ଜନତାପାର୍ଟିରେ ଯୋଗଦେଇଥିଲେ।
୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ରାମକୃଷ୍ଣ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ମନ୍ତ୍ରୀ ଥିବା ସମୟରେ ବି ସେ ଆସିକା ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ମାତ୍ର, ରାମଚନ୍ଦ୍ର ରଥଙ୍କଠାରୁ ପରାଜିତ ହୋଇଥିଲେ। ତେବେ, ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଅର୍ଥ, ଗ୍ରାମ୍ୟ ଉନ୍ନୟନ ଓ କୃଷି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୮ ଫେବ୍ରୁଆରି ୨୨ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ରହିଥିଲେ।
ଆସିକା ସାଂସଦ ଥିବା ଅବସ୍ଥାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ଘଟିବାରୁ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ସେହି ସ୍ଥାନ ପୂରଣ କରିବା ସହିତ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଆସିକା ଲୋକସଭା ଆସନରୁ ଉପନିର୍ବାଚନରେ ଲଢ଼ି ବିଜୟୀ ହୋଇଥିଲେ। ସେହି ସମୟରେ ନବୀନ ବାବୁଙ୍କୁ ବିଜୟୀ କରାଇବାରେ ରାମକୃଷ୍ଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନବୀନ ବାବୁଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ଗଠନରେ ମଧ୍ୟ ରାମକୃଷ୍ଣଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏକଦା ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ପରିଚିତ ବରିଷ୍ଠ ନେତା ଅଶୋକ ଦାସଙ୍କ ସମେତ ଅନ୍ୟ କିଛି ତୁଙ୍ଗ ନେତା ବିଜେଡି ଗଠନକୁ ବିରୋଧ କରିଥିଲେ ମଧ୍ୟ ନବୀନଙ୍କ ନେତୃତ୍ବରେ ନୂଆଦଳ ଗଠନକୁ ସମର୍ଥନ କରିଥିଲେ ରାମକୃଷ୍ଣ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାପରେ ରାମକୃଷ୍ଣଙ୍କ ପତ୍ନୀ କୁମୁଦିନୀ ପଟ୍ଟନାୟକ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ, ସେ ଅର୍ଥମନ୍ତ୍ରୀ ଥିବାବେଳେ ୨୦୦୨ ମସିହାରେ ହଠାତ୍ ତାଙ୍କ ବିଭାଗରେ ପରିବର୍ତ୍ତନ କରାଯାଇ କୃଷି ବିଭାଗର ଦାୟିତ୍ବ ଦିଆଯାଇଥଲା। ଏହାକୁ ସେ ନିଜର ପତିଆରା କ୍ଷୁଣ୍ଣ ବୋଲି ବିବେଚନା କରିବା ସହିତ ଦଳୀୟ ନେତୃତ୍ବ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ।
ଏବଂ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ମାର୍ଚ୍ଚରେ ନିଜର ପତ୍ନୀ ତଥା ପୂର୍ବତନ ଆସିକା ସାଂସଦ କୁମୁଦିନୀ ପଟ୍ଟନାୟକ ଓ ଝିଅ ଅନିତାଙ୍କ ସହ ରାମକୃଷ୍ଣ ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ରାଜନୀତିରୁ ଏକପ୍ରକାର ସନ୍ୟାସ ନେଇଯାଇଥିଲେ।
ଗଞ୍ଜାମର ରାଜନୈତିକ ବିଶେଷଜ୍ଞଙ୍କ ମତରେ, ୧୯୯୦ରୁ ୧୯୯୫ ମଧ୍ୟରେ ବିଜୁ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ରାମକୃଷ୍ଣ ଓ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ସର୍ବଦା ଛାୟାଯୁଦ୍ଧ ଦେଖିବାକୁ ମିଳିଥିଲା। ସେହିପରି, ଗଞ୍ଜାମ ରାଜନୀତିରେ ରାମକୃଷ୍ଣଙ୍କ ସର୍ବଦା ପ୍ରାଧାନ୍ୟ ରହି ଆସିଥିଲେ ମଧ୍ୟ ଜିଲ୍ଲାର ଅନ୍ୟ ଦୁଇ ବରିଷ୍ଠ ନେତା ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ କୁମାରୀ ଦେଓ ଏବଂ ସୂର୍ଯ୍ୟ ନାରାୟଣ ପାତ୍ର (ବର୍ତ୍ତମାନର ରାଜ୍ୟ ବିଧାନସଭା ବାଚସ୍ପତି)ଙ୍କ ସହ ତାଙ୍କର ରାଜନୈତିକ ଦ୍ୱନ୍ଦ୍ୱ ରହି ଆସି ଥିଲା। କିନ୍ତୁ ରାମକୃଷ୍ଣ ନିର୍ଭୟରେ ଉଭୟ ଜିଲ୍ଲା ଓ ରାଜ୍ୟ ରାଜନୀତିରେ ନିଜର ପତିଆରା ବଜାୟ ରଖି ‘ଗଞ୍ଜାମ ଟାଇଗର୍’ର ଉପନାମ ପାଇଥିଲେ।
ସ୍ବର୍ଗତଃ ରାମକୃଷ୍ଣ ଗଞ୍ଜାମ ଜିଲ୍ଲାର ଏମିତି ଜଣେ ପ୍ରଭାବଶାଳୀ ନେତା ଥିଲେ, ଯାହାଙ୍କ ନାମ ଶୁଣିଲେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହେଉଥିଲା। ଅଶି ଦଶକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ରାମକୃଷ୍ଣଙ୍କ ପାରିବାରିକ ସଂପର୍କ ଥିଲେ ମଧ୍ୟ ଜାନକୀ ବାବୁଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ମୁଣ୍ଡରେ ପଗଡ଼ି ବାନ୍ଧି, କାନ୍ଧ ଉଚ୍ଚର ଠେଙ୍ଗାଧରି ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଦୃଶ୍ୟ ଏବେବି ଗଞ୍ଜାମ ଜିଲ୍ଲାବାସୀଙ୍କ ସ୍ମୃତିରେ ତାଜା ଅଛି। ବିରୋଧୀ ରାଜନୀତିରେ ଥିଲେ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ସ୍ୱାର୍ଥ ସାଧନ ପାଇଁ ଜାନକୀ ବାବୁ ଓ ତତ୍କାଳୀନ କଂଗ୍ରେସ ସରକାର ସହ ନିବିଡ଼ ସମ୍ପର୍କ ରକ୍ଷା କରି ଆସୁଥିଲେ। ଯେଉଁଥିପାଇଁ ଯେତେବେଳେ ଯେଉଁ କାମ ଆବଶ୍ୟକ, ତାହା କରାଇ ନେଉଥିଲେ। ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ରାମକୃଷ୍ଣଙ୍କ ରାଜନୈତିକ ପତିଆରା ଥିଲା।
ଏହି କିଛିଦିନ ଧରି ରାମକୃଷ୍ଣ ସକ୍ରିୟ ରାଜନୀତିରେ ନଥିଲେ ସତ ତାଙ୍କ ବିୟୋଗ କିନ୍ତୁ ଗଞ୍ଜାମ ତଥା ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି।
ସୂଚନା ଅନୁସାରେ, ରାମକୃଷ୍ଣଙ୍କ ମରଶରୀରକୁ ଜନ୍ମମାଟିକୁ ଅଣାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।