ଉଜ୍ବଳ ଆଲୋକରେ ଝଲସୁଛି ରାମଲିଙ୍ଗମ୍ ପ୍ରମୋଦ ଉଦ୍ୟାନ, ଶୁକ୍ରବାରଠୁ ଆଦାୟ ହେବ ପ୍ରବେଶ ଶୁଳ୍କ

ବ୍ରହ୍ମପୁର : ସହରର ମଧୢସ୍ଥଳରେ ଥିବା ରାମଲିଙ୍ଗମ୍‌ ପୋଖରୀର ସୌନ୍ଦର୍ଯ୍ୟୀକରଣ କରାଯାଇ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ନାମରେ ନାମିତ କରାଯାଇଛି। ୮.୧୫ ଏକର ମଧୢରେ ହୋଇଥିବା ପାର୍କରେ ୨ଟି ପର୍ଯ୍ୟାୟରେ ପ୍ରାୟ ସାଢେ଼ ୧୨କୋଟି ଟଙ୍କା ବ୍ୟୟରେ ପୋଖରୀ ପୁନରୁଦ୍ଧାର, ପାଚେରି, ଉନ୍ନୟନ ଘାଟ, ପାର୍କି˚, ପାଦଚଲା ରାସ୍ତା, ସୌନ୍ଦର୍ଯ୍ୟୀକରଣ, ପୋଖରୀ ମଧୢସ୍ଥଳରେ ଲାଇଟି˚, ଫ୍ଲୋଟିଂ ଜେଟି, ଫାଉଣ୍ଟେନ୍‌ ସହିତ ଚାରିପଟେ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ୧୫ଶହ ବର୍ଗମିଟର ଅଞ୍ଚଳକୁ ପ୍ରମୋଦ ଉଦ୍ୟାନ କରାଯାଇଥିବା ବେଳେ ୬ଟି ଵାଚ୍‌ ଟାଵାର, ୩୫ଫୁଟର ଶିବଲିଙ୍ଗ, ୬୨୦ ମିଟର ପାଦଚଲା ରାସ୍ତା, ହସ୍ତତନ୍ତ ମାର୍କେଟ କମ୍ପ୍ଳେକ୍ସ ସାଙ୍ଗକୁ ଆକର୍ଷଣୀୟ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଯାହାକି ଲୋକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। କିନ୍ତୁ ଏହି ଆଲୋକୀକରଣ ପାଇଁ ଏବେ ବିଦ୍ୟୁତ ନିଅଣ୍ଟ ପଡ଼ିଛି। ଏଠାରେ ସୌରଶକ୍ତିର ବ୍ୟବସ୍ଥା କରାଯାଇ ନଥିବା ବେଳେ ଟ୍ରାନ୍ସଫର୍ମର ବସାଇ ବିଦ୍ୟୁତ ଯୋଗାଣ କରାଯାଉଛି। କିନ୍ତୁ ତାହା ଆବଶ୍ୟକତାକୁ ମେଣ୍ଟାଇପାରୁ ନଥିବାରୁ ଟ୍ରାନ୍ସଫର୍ମର୍‌ ଭାରାକ୍ରାନ୍ତ ହୋଇ ପଡ଼ୁଛି। ସେଥିପାଇଁ ଭବିଷ୍ୟତରେ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର୍‌ ବସାଯିବ ବୋଲି ସ୍ଥିର ହୋଇଛି।

Dailyhunt

ବିଦ୍ୟୁତ ଶକ୍ତି ଅପଚୟକୁ ରୋକିବା ନେଇ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ସୌରଶକ୍ତି ଉପରେ ଗୁରୁତ୍ବ ଦେଉଥିବା ବେଳେ ଏଭଳି ଏକ ପ୍ରକଳ୍ପରେ ସୌରଶକ୍ତି ବ୍ୟବହାର ଉପରେ ଦୃଷ୍ଟି ଦିଆଗଲା ନାହିଁ। ଯାହା ଦ୍ବାରା ବିଦ୍ୟୁତ ଶକ୍ତିକୁ ବ୍ୟବହାର କରାଗଲା। ଏହାଦ୍ବାରା ପ୍ରକଳ୍ପ ପରିଚାଳନା ଖର୍ଚ୍ଚ ବଢ଼ିବା ଏକ ପ୍ରକାର ସୁନିଶ୍ଚିତ ହୋଇପଡ଼ିଛି। କାହିଁକି ସୌରଶକ୍ତିକୁ ପ୍ରକଳ୍ପରେ ସ୍ଥାନ ଦିଆଗଲା ନାହିଁ ସେ ନେଇ ନିଗମର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ତଥା ପ୍ରକଳ୍ପର ଯନ୍ତ୍ରୀ ରଞ୍ଜନ ପଣ୍ତାଙ୍କ ସହ ଯୋଗାଯୋଗ କରିବାକୁ ସେ କହିଛନ୍ତି ଯେ ପ୍ରକଳ୍ପ ପାଇଁ ଦୈନିକ ୨ଶହରୁ ୩ଶହ କେଭି ବିଦ୍ୟୁତର ଆବଶ୍ୟକତା ରହିଛି। ଯାହାକି ସୌରଶକ୍ତିରେ ଉତ୍ପାଦନ କରିବା ବ୍ୟୟବହୁଳ। ଏହା ସହିତ ସ୍ଥାନର ଅଭାବ ମଧ୍ୟ ରହିଛି। ଏଭଳି ପ୍ରକଳ୍ପ ଗୁଡ଼ିକ ସୌରଶକ୍ତି ଦ୍ବାରା ଚାଲିବ ନାହିଁ। ଯଦି ସୌରଶକ୍ତିକୁ ଗୁରୁତ୍ବ ଦିଆଯାଇଥାନ୍ତା ତେବେ ଆଗାମୀ ଦିନରେ ପ୍ରକଳ୍ପର ଅନ୍ୟ କୌଣସି ନୂତନ କାର୍ଯ୍ୟ କରିବା ବେଳେ ସମସ୍ୟା ଦେଖା ଦେଇଥାନ୍ତା। ଏଭଳି ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ବିଦ୍ୟୁତ ଶକ୍ତିକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପ ପାଇଁ ୧୫୦କେଭି ଟ୍ରାନ୍ସଫର୍ମର୍‌ ସ୍ଥାପନ କରାଯାଇଥିବା ବେଳେ ବିଭିନ୍ନ ସମୟରେ ଲୋଡ୍‌ ସମସ୍ୟା ଦେଖା ଦେଉଛି। ଆଗାମୀ ଦିନରେ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି। ସେହି କାରଣରୁ ଟ୍ରାନ୍ସଫର୍ମର୍‌କୁ ପରିବର୍ତ୍ତନ କରି ୩ଶହ କେଭି ଟ୍ରାନ୍ସଫର୍ମର୍‌ ସ୍ଥାପନ କରିବା ନେଇ ବିଦ୍ୟୁତ ବିଭାଗକୁ କୁହାଯାଇଛି।

Twitter

ଶୁକ୍ରବାରଠୁ ଆଦାୟ ହେବ ପ୍ରବେଶ ଶୁଳ୍କ
ଆସନ୍ତାକାଲି ପର୍ଯ୍ୟନ୍ତ ଏହି ପ୍ରମୋଦ ଉଦ୍ୟାନରେ ସର୍ବସାଧାରଣଙ୍କ ପ୍ରବେଶ ନିଶୁଳ୍କ ରହିବ। ଏହାପରେ ସୋମବାରଠାରୁ ଗୁରବାର ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ପାଇଁ ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ। ଶୁକ୍ରବାରଠାରୁ ଏହା ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ। କିନ୍ତୁ ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଶୁଳ୍କ ଆଦାୟ ହେବ ବୋଲି ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଛୋଟପିଲା (୧୨ବର୍ଷରୁ କମ୍‌) ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରବେଶ ଶୁଳ୍କ ୫ଟଙ୍କା ଏବଂ ଅନ୍ୟମାନଙ୍କ ପାଇଁ ୧୦ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ପାର୍କର ରକ୍ଷଣାବେକ୍ଷଣପାଇଁ ଏଭଳି ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପାର୍କଟି ପୂର୍ବାହ୍ନ ୬ଟାରୁ ୯ଟା ଓ ଅପରାହ୍ନ ୪ଟାରୁ ସାଢେ଼ ୮ଟା ଯାଏ ଖୋଲା ରହିବ ବୋଲି ବିଏମ୍‌ସି ତରଫରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର