ଓଡ଼ିଶାକୁ ରମଣଙ୍କ ନାଲିଆଖି

ମହାନଦୀ ପ୍ରକଳ୍ପକୁ କେହି ଅଟକାଇ ପାରିବେନାହିଁ, ମହାନଦୀ ଉପରେ ଛତିଶଗଡ଼ର ଅଧିକାର ବେଶୀ

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଚାଲିଥିବା ପ୍ରକଳ୍ପ କାମକୁ କେହି ଅଟକାଇ ପାରିବେ ନାହିଁ। ଏପରିକି ମହାନଦୀର ପାଣିକୁ ବ୍ୟବହାର କରିବା କ୍ଷେତ୍ରରେ ଛତିଶଗଡ଼କୁ ଅଟକାଇବାର ସାହସ ମଧ୍ୟ କାହାର ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଛା଼ଡିବାର ୪୮ ଘଣ୍ଟା ପରେ ମହାନଦୀକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏଭଳି ଢଙ୍ଗରେ ପୁଣି ଥରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ରମଣ ସିଂହଙ୍କର ଏଭଳି ଦମ୍ଭୋକ୍ତି ଓଡ଼ିଶାରେ କମ୍ପନ ସୃଷ୍ଟି କଲାଣି। ଦରଦ ଥିଲେ, ଛତିଶଗଡ଼ ବେଆଇନ ଭାବେ ନିର୍ମାଣ କରୁଥିବା ପ୍ରକଳ୍ପ ବନ୍ଦ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ ତାରିଖ ଦିନ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଆହ୍ଵାନ ଦେଇଥିଲେ। ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପଠାରେ ଛିଡା ହୋଇ ବି ଏ ସଂପର୍କରେ ଉଁ କି ଚୁଁ କହିନଥିଲେ। ଓଲଟା ରାଜ୍ୟ ସରକାରଙ୍କ ଉପରେ ଦୋଷ ଠେଲି ମୁଖ୍ୟ ବିବାଦୀୟ ପ୍ରସଙ୍ଗକୁ ଟାଳି ଦେଇଥିଲେ। ଏବେ କାହା ସାହସରେ ରମଣ ଏଭଳି ଦମ୍ଭ ଦେଖାଉଛନ୍ତି, ତାହାକୁ ନେଇ ରାଜନୈତିକ ଦଳମାନେ ତମ୍ବିତୋଫାନ ଆରମ୍ଭ କଲେଣି।

ପ୍ରତିବାଦ କଲେ ବିଜେଡି, ବିଜୟ

ସାମ୍ବାଦିକ ସମ୍ମିଳନୀରେ ରମଣ ସିଂହ କହିଥିଲେ, ମହାନଦୀର ୮୫% ଅବବାହିକା ଛତିଶଗଡ଼ ପାଖରେ। ଏଥିରେ ଛତିଶଗଡ଼ର ଅଧିକାର ରହିଛି ଓ ଏହା ସପକ୍ଷରେ କେନ୍ଦ୍ରୀୟ ଜଳ ଆୟୋଗ ବି ଅଛନ୍ତି। ତେଣୁ ମୋତେ ଲାଗୁଛି କୌଣସି ବିବାଦ ନାହିଁ। ଆମେ ପାଣିର ଉପଯୋଗ କରିସାରିଛୁ। ଆହୁରି ଅଧିକ ଉପଯୋଗ କରିବା ଆବଶ୍ୟକ। ଏଥିପାଇଁ କୌଣସି କେନ୍ଦ୍ରୀୟ ଜଳଆୟୋଗ ଆମକୁ ଅଟକାଇ ପାରିବ ନାହିଁ। ଯେତେ ପାଣି ମହାନଦୀକୁ ଯାଉଛି, ୩ ଭାଗ ଛତିଶଗଡର ବୋଲି ରମଣ ସିଂହ କହିଛନ୍ତି। ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ରମଣ ଆହୁରି କହିଛନ୍ତି, କେବଳ ନିର୍ବାଚନ ସମୟ ଆସିଲେ ଓଡିଶାରେ ଏହି ପ୍ରସଙ୍ଗ ଉଠେ। ମହାନଦୀ ପ୍ରସଙ୍ଗ ଉଠାଇ କେବଳ ଏହାର ଫାଇଦା ନେବାକୁ ଚାହୁଁଛନ୍ତି ନବୀନ ସରକାର। ରମଣଙ୍କ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ମହାନଦୀ ପ୍ରସଙ୍ଗଟି ପୁଣି ଚର୍ଚ୍ଚାକୁ ଆସିଛି। ରମଣଙ୍କୁ କିଏ ଏଭଳି କରିବା ଲାଗି ସାହସ ଦେଉଛି ନା ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରମଣ ସିଂହ ମହାନଦୀ ପାଣିକୁ ନେଇ ରାଜନୀତି କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ମହାନଦୀକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ମହାସଂଗ୍ରାମ ଆରମ୍ଭ କରିଥିବା ବେଳେ ରମଣ ସିଂହଙ୍କ ଏଭଳି ବୟାନ ମହାନଦୀ ଆନ୍ଦୋଳନକୁ ତେଜିବା ଲାଗି ଖୋରାକ ଯୋଗାଉଛି। ଆଜି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର ଅଛି ଓଡ଼ିଶାର ମଧ୍ୟ ସେତିକି ଅଧିକାର ରହିଛି। ମହାନଦୀ ଜଳକୁ ନେଇ ଛତିଶଗଡ଼ ଏଭଳି ଦାଦାଗିରି କରି ପାରିବ ନାହିଁ। ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କର ଅଧିକାର ମହାନଦୀ ଉପରେ ଅଛି। ଏଥିରୁ ଆମକୁ କେହି ବଞ୍ଚିତ କରି ପାରିବେ ନାହିଁ। ଏପରିକି ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶାର ଜନସାଧାରଣ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ। ମହାନଦୀକୁ ଛତିଶଗଡ଼ର ବନ୍ଦୀଶାଳରୁ ମୁକ୍ତି ନ ଦେବା ପର୍ଯ୍ୟନ୍ତ ବିଜେଡ଼ି ଲଢେଇ ଜାରି ରଖିବ। ସେହିଭଳି ମହାନଦୀକୁ ନେଇ ରମଣ ସିଂହଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ନଦୀ ଉପରେ କୌଣସି ସରକାର ଅଧିକାର ସାବ୍ୟସ୍ତ କରିବା ଉଚିତ୍‌ ନୁହେଁ। ଏନେଇ ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇ ସାରିଛନ୍ତି। କିନ୍ତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ସୁପ୍ରିମକୋର୍ଟଙ୍କ ବିରୋଧାଚରଣ କରୁଛି। ମହାନଦୀ ଉପରେ ଛତିଶଗଡର ଯେତିକି ଅଧିକାର ଅଛି ଓଡିଶାର ମଧ୍ୟ ସେତିକି ଅଧିକାର ରହିଛି। ତେବେ ରମଣ ସିଂହ ସବୁବେଳେ ଓଡିଶା ବିରୋଧରେ ଷଡ଼ଯନ୍ତ୍ର କରି ଆସିଛନ୍ତି ଓ ବେଆଇନ ଭାବେ ମହାନଦୀର ପାଣିକୁ ଅଟକାଇ ରଖିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବେଆଇନ ଭାବେ ଏକାଧିକ ପ୍ରକଳ୍ପ କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ବନ୍ଦ କରିବା ପାଇଁ ଓଡ଼ିଶା ସରକାର ବାରମ୍ବାର ଦାବି କରୁଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ଯେମିତି ଏଥିପାଇଁ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି। କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାର ନାଁ ଧରୁନାହାନ୍ତି।

ସମ୍ବନ୍ଧିତ ଖବର