କଣ୍ଟାବାଞ୍ଜି : ବିଶିଷ୍ଟ କଥାକାର ତଥା ଅନୁବାଦକ ରାମପ୍ରସାଦ ପୁରୋହିତ (୮୮ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ସେ ସୋମବାର ରାତିରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ବଲାଙ୍ଗୀର ସ୍ଥିତ ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମଙ୍ଗଳବାର ସକାଳ ୧୦ ଟାରେ ତାଙ୍କ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳି ଯାଇଛି। କଣ୍ଟାବାଞ୍ଜିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କର ପତ୍ନୀ ରାସେଶ୍ବରୀ ପୁରୋହିତ, ୩ ପୁଅ ଜୟଦୀପ, ରାଜଦୀପ , ସୁଦୀପ ଓ ଝିଅ ଶୈଲବାଳା ଅଛନ୍ତି। ବଡ଼ପୁଅ ଜୟଦୀପ ମୁଖାଗ୍ନି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୩୨ ମସିହା ଅଗଷ୍ଟ ମାସ ୨୩ ତାରିଖ ଦିନ ଶ୍ରୀ ପୁରୋହିତ ବଲାଙ୍ଗୀର ସହରରେ ଜନ୍ମଗ୍ରହଣ କରିଥିଲେ। ହରିହର ପୁରୋହିତ ଓ ଶ୍ରୀମତୀ ପୁରୋହିତଙ୍କ ସେ ପଞ୍ଚମ ସନ୍ତାନ ଥିଲେ। ପରବର୍ତ୍ତୀ ସମୟରେ ସେ କଣ୍ଟାବାଞ୍ଜି ସହରରେ ବାସିନ୍ଦା ହୋଇଥିଲେ। ସେ କଟକ ମଧୁସୂଦନ ଲ କଲେଜରେ ଅଧ୍ୟୟନ ସମୟରେ ପ୍ରଖ୍ୟାତ କଥାକାର ମନୋଜ ଦାସଙ୍କ ସହପାଠୀ ଥିଲେ। ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ସେ କବିତା ଲେଖା ଆରମ୍ଭ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ଦ୍ୱାରା ସଂପାଦିତ ନବୀନ ପତ୍ରିକାରେ ତାଙ୍କର ପ୍ରଥମ କବିତା ‘ଆଖି ପ୍ରକାଶିତ ହୋଇଥିଲା। ଏହା ପରଠୁ ସେ ଅନବରତ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ କରିଥିଲେ। ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ଉପନ୍ୟାସ ‘ଛନ୍ଦ ପତନ ଏବଂ ୪ଟି ଗଳ୍ପ ସଂକଳନ ‘ଚିରା କାମିଜ୍’, ‘ସେ ଏକ ନିଷ୍ପାପ କଳିକା, ‘ ଆଉ ଏକ ବୁଦ୍ଧ ଏବଂ ‘ଶାଖା ରୋପଣ ରହିଛି। ତାଙ୍କ ଅନୁଦିତ ବିଭିନ୍ନ ଭାଷାର ଶତାଧିକ ଗଳ୍ପ ଓଡ଼ିଶାର ଅନେକ ପତ୍ରପତ୍ରିକାରେ ପ୍ରକାଶିତ। ସେ ଶତାଧିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲ। ୧୯୬୬ରେ କବିତା ପାଇଁ ପ୍ରଜାତନ୍ତ୍ର ବିଷୁବ ମିଳନରେ ପୁରସ୍କୃତ ହୋଇଥିଲେ। ଫିଚର ପାଇଁ ୧୯୮୬ରେ ଦୈନିକ ଖବରକାଗଜ ‘ଧରିତ୍ରୀ ପକ୍ଷରୁ, ୧୯୯୨ ରେ ଶିଶୁ ସାହିତ୍ୟ ପାଇଁ ସଂସାର, ୨୦୦୧ ରେ ଅନୁବାଦ ଭାରତୀ ପୁରସ୍କାର ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା ପୁରସ୍କୃତ ହୋଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି ଦ୍ୱାରା ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଥିଲେ।
ସ୍ବର୍ଗତ ପୁରୋହିତ କଲେଜରେ ପଢ଼ିବା ଦିନୁ ସାମ୍ୟବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ବଲାଙ୍ଗୀର ଯୁବ ସୋସାଲିଷ୍ଟ ଲିଗ ଗଠନ କରିଥିଲେ। ଆଇନ ପଢ଼ିବା ସମୟରେ ଓଡ଼ିଶା ଯୁବ ସୋସାଲିଷ୍ଟ ଲିଗ୍ର ସଂପାଦକ ଥିଲେ। ସେ ବିଏ ପଢ଼ିବା ସମୟରେ ୧୯୫୮ରେ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଓ ଆଇନ ପଢ଼ିବା ସମୟରେ କଟକ ମଧୁସୂଦନ ଆଇନ କଲେଜର ୟୁନିଅନ ସଂପାଦକ ଥିଲେ। ପରେ ସେ ଶିକ୍ଷକତାକୁ ବୃତ୍ତି ଭାବେ ଆଦରି ନେଇଥିଲେ। ତାଙ୍କ ବିୟୋଗରେ କଂଟାବାଞ୍ଜି, ବଲାଙ୍ଗୀର ଓ ସମଗ୍ର ଓଡ଼ିଶାରେ ଶୋକପ୍ରକାଶ ପାଇଛି।