ରାମଚଣ୍ଡୀରେ ପର୍ଯ୍ୟଟକ ଶୋଷଣର ଶିକାର : ପର୍ଯ୍ୟଟକଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି କିଛି ଅସମାମାଜିକ ଯୁବକ, ନଦେଲେ କରୁଛନ୍ତି ଗାଳିଗୁଲଜ

ଯିଏ ଆସୁଛି, ଟଙ୍କା ମାଗୁଛି
ପାର୍କିଂ ଫି ନାମରେ ମନଇଛା ଟଙ୍କା ଆଦାୟ କରାଯାଉଛି
ନିଲାମ ନଥାଇ ଜୋତା ଷ୍ଟାଣ୍ଡରୁ ବେଆଇନ ଭାବେ କରାଯାଉଛି ଅର୍ଥ ‌ଆଦାୟ

ପୁରୀ/ କୋଣାର୍କ : ଏବେ ଚାଲିଛି ବଣଭୋଜି ଋତୁ। ବଣ ଭୋଜି ପାଇଁ ଓଡ଼ିଶା ଲୋକଙ୍କ ଅନ୍ୟତମ ତଥା ପ୍ରମୁଖ ପସନ୍ଦର ସ୍ଥାନ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍ ରୋଡ ପାର୍ଶ୍ବରେ ଥିବା ରାମଚଣ୍ଡୀ ପୀଠ। ପ୍ରତିବର୍ଷ ଡିସେମ୍ବରରୁ ଫେବ୍ରୁଆରି ମଧ୍ୟରେ ରାମଚଣ୍ଡୀ ପୀଠକୁ ଦୈନିକ ହାରାହାରି ୧୦ ହଜାରରୁ ଅଧିକ ଲୋକ ଦର୍ଶନ ଓ ବଣଭୋଜି ପାଇଁ ଆସିଥାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଅନୁଷ୍ଠାନ ଏଠାକୁ ବଣଭୋଜି କରିବାକୁ ଆସୁଛନ୍ତି। ମାତ୍ର ଏବେ ରାମଚଣ୍ଡୀ‌ରେ ବଣଭୋଜି ଓ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ କିଛି ଅସମାମାଜିକ ଯୁବକ ମନଇଚ୍ଛା ଶୋଷଣ କରୁଥିବା ଅଭିଯୋଗ ହୋଇଛି। ସେମାନେ ପର୍ଯ୍ୟଟକଙ୍କ ଉପରେ ଜୁଲମ କରୁଛନ୍ତି। ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି। ନଦେଲେ ଗାଳିଗୁଲଜ କରୁଛନ୍ତି।

ତେବେ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ପାଇଁ ରହିଥିବା ରାମଚଣ୍ଡୀ ଉନ୍ନୟନ ପରିଷଦ ଏବେ ଅକାମୀ ହୋଇପଡ଼ିଛି। ଜିଲ୍ଲାପାଳ ସଭାପତି ଥିବା ଏହି ପରିଷଦ ନାମରେ ଏବେ ପର୍ଯ୍ୟଟକଙ୍କୁ ଆଖିବୁଜା ଶୋଷଣ କରାଯାଉଛି। ନିଲାମ ନଥାଇ ଜୋତା ଷ୍ଟାଣ୍ଡରୁ ଅର୍ଥ ‌ଆଦାୟ କରାଯାଉଛି। ପାର୍କିଂ ଫି ନାମରେ ମନଇଛା ଟଙ୍କା ଆଦାୟ କରାଯାଉଛି। ଜବରଦସ୍ତ ଷ୍ଟାଣ୍ଡ୍‌ରେ ଜୋତା ରଖିବାକୁ କୁହାଯାଉଛି। ଦଳ ଦଳ ହୋଇ ଯୁବକମାନେ ଆସି ବିଭିନ୍ନ ଆଳରେ ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ବଦଳରେ ବଣଭୋଜି ପାଇଁ ଆସୁଥିବା ଲୋକଙ୍କୁ ସାମାନ୍ୟ ସୁବିଧା ଦିଆଯାଉ ନାହିଁ। ଏହାକୁ ନେଇ ପର୍ଯ୍ୟଟକମାନେ ରାମଚଣ୍ଡୀ ପୀଠକୁ ଅସୁରକ୍ଷିତ ମନେ କଲେଣି। ମାସ ମାସ ଧରି ଆବର୍ଜନା ଗଦା ହୋଇ ରହୁଛି। ଏହାକୁ ସଫା କରାଯାଉନାହିଁ। ମହିଳାମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବେ ବିନା ମୁରବିରେ ଚାଲିଥିବା କୁହାଯାଉଛି। ଫଳରେ ପର୍ଯ୍ୟଟକମାନେ ଏହି ପର୍ଯ୍ୟଟନ ସ୍ଥଳ ପ୍ରତି ବିମୁଖ ହେବାରେ ଲାଗିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏଠାରେ ଶୋଷଣ ବଢ଼ିବଢ଼ି ଚାଲିଛି।

କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଚନ୍ଦ୍ରଭାଗା ବେଳାଭୂମି , କୋଣାର୍କ- ପୁରୀ ବେଳାମାର୍ଗ ପାର୍ଶ୍ବରେ ଅବସ୍ଥିତ ରାମଚଣ୍ଡୀ ପୀଠ ବୁଲିବାକୁ ଯାଇଥା’ନ୍ତି। ରାମଚଣ୍ଡୀ ପୀଠରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ରାମଚଣ୍ଡୀ ପୀଠକୁ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପୀଠର ଉନ୍ନତି କଥା ଚିନ୍ତା କରାଯାଇଥିଲା। ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ସ୍ୱୀକୃତି ମିଳିଥିଲା। ଏହି ପୀଠର ଉନ୍ନୟନ ପାଇଁ ଏଠାରେ ରାମଚଣ୍ଡୀ ଉନ୍ନୟନ ପରିଷଦ ନାମରେ ଏକ କମିଟି ଗଠନ କରାଯାଇଥିଲା। ଏହାର ସ୍ଥାୟୀ ସଭାପତି ଭାବେ ପୁରୀ ଜିଲ୍ଲାପାଳ ଅଛନ୍ତି। କମିଟିର ଅନ୍ୟ ସଦସ୍ୟ ଭାବେ କୋଣାର୍କ ପର୍ଯ୍ୟଟନ ଅଧିକାରୀ, ଗୋପ ତହସିଲଦାର, ଗୋପ ବିଡିଓ, ରାମଚଣ୍ଡୀ ଥାନା ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାର ଅଧିକାରୀ ରହିଛନ୍ତି। ତେବେ ପୀଠର ବିକାଶ ପାଇଁ କମିଟିରେ ଆଲୋଚନା କରାଯାଉନାହିଁ। ଏହାର ଶେଷ ବୈଠକ କେବେ ହୋଇଥିଲା ସେ ସଂପର୍କରେ କୌଣସି ସୂଚନା ମଧ୍ୟ ନାହିଁ। ଜିଲ୍ଲାପାଳ ସଭାପତି ଥିବା ଏହି କମିଟିରେ ଜିଲ୍ଲାପାଳଙ୍କୁ ଢ଼ାଲ କରି ମନଇଛା ବଣଭୋଜି ପାଇଁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ମୁଣ୍ଡପିଛା ୧୦ ଟଙ୍କାରୁ ଆରମ୍ଭ କରି ଅଧିକ ଅର୍ଥ ମଧ୍ୟ ଆଦାୟ କରାଯାଉଛି। ଟିକସ ଆଦାୟ କରିବା ପରେ ରସିଦ ମାଗିଲେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରାଯାଉଛି। ପାର୍କିଂ ଫି ନାମରେ ମଧ୍ୟ ଦୈନିକ ଲକ୍ଷାଧିକ ଟଙ୍କା ଆୟ କରାଯାଉଛି । ଯାହାର ଆୟବ୍ୟୟ ହିସାବ କାହା ପାଖରେ ରହୁନାହିଁ। ଅନ୍ୟପକ୍ଷରେ ରାମଚଣ୍ଡୀ ପୀଠରେ ପଲିଥିନ , ପ୍ଳାଷ୍ଟିକ ବ୍ୟବହାର ନିଷିଦ୍ଧ ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଦେଇଥିବା ନିର୍ଦ୍ଦେଶକୁ ସ୍ଥାନୀୟ ବ୍ୟବସାୟୀ ମାନୁନାହାନ୍ତି। ବଣଭୋଜି ପାଇଁ ମନଇଚ୍ଛା ଅର୍ଥ ଆଦାୟ ହେଉଥିଲେ ହେଁ ପର୍ଯ୍ୟଟକମାନଙ୍କୁ ଏଠାରେ ମୌଳିକ ସୁବିଧା ମିଳୁନାହିଁ। ବଣଭୋଜି ପାଇଁ ଅର୍ଥ ଆଦାୟ ସତ୍ତ୍ବେ ମଧ୍ୟ ସଠିକ ପରିମଳ ବ୍ୟବସ୍ଥା କରାଯାଉନାହିଁ। କିଛି ଅସାମାଜିକଙ୍କ କାର୍ଯ୍ୟକଳାପ ଯୋଗୁଁ ଏଣିକି ରାମଚଣ୍ଡୀରୁ ପର୍ଯ୍ୟଟକ ମୁହଁ ଫେରାଇବେ ବୋଲି ସ୍ଥାନୀୟ ଲୋକ ମତ ରଖିଛନ୍ତି। ରାମଚଣ୍ଡୀ ବଜାର କମିଟି ନାମରେ ହୋଇଥିବା ଚପଲ ଷ୍ଟାଣ୍ଡ୍‌କୁ କିଏ ନିଲାମ ଦେଇଛି ଓ ଏଥିରୁ ଆଦାୟ ହେଉଥିବା ଅର୍ଥ ରାଶି କୁଆଡ଼େ ଯାଉଛି ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି।

ସାହୁଖଣତା ଠାରୁ ରାମଚଣ୍ଡୀ ଦେଇ ଖାଲକଟାପାଟଣା ମହାବୀର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଅଳିଆ ଆବର୍ଜନା ପଡ଼ିରହୁଛି। ପୀଠରେ ହଜାର ହଜାର ମଦ ବୋତଲ ଗଡ଼ୁଛି। ପର୍ଯ୍ୟଟକମାନେ ନିଜ ପରିବାର ନେଇ ଏଠାକୁ ବୁଲିବାକୁ ଆସୁଥିବା ବେଳେ ଏଠାରେ ଆବଶ୍ୟକ ସୁରକ୍ଷା କର୍ମୀ ନଥିବାରୁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। କମିଟିରେ ସଦସ୍ୟ ଥିବା ଗୋପ ବିଡିଓ, ଗୋପ ତହସିଲଦାର ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀଙ୍କୁ ପଚାରିବାରେ ସେମାନେ ଏହି ଅବ୍ୟବସ୍ଥା ସଂପର୍କରେ ଅବଗତ ଥିବା କହିଛନ୍ତି। ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି।

ସମ୍ବନ୍ଧିତ ଖବର