ଯାଜପୁର: ସରକାରୀ ଜମି ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। କୋଟିକୋଟି ଟଙ୍କା ମୂଲ୍ୟର ଏକର ଏକର ସରକାରୀ ଜମି ସହିତ ପ୍ରଭୁ ଜଗନ୍ନାଥ ମନ୍ଦିର ଜମି ଓ ଭୂମିହୀନ ଦଳିତ ପରିବାରଗୁଡ଼ିକର ସିଲିଂ ଜମି ହରିଦାସପୁରରେ ଥିବା ରାମ୍‌କୋ କମ୍ପାନି ଛଡ଼ାଇ ନେଇଥିବା ଅଭିଯୋଗ ସାମନାକୁ ଆସିଛି। ବର୍ତ୍ତମାନର ରାଜ୍ୟ ସରକାରଙ୍କ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନୀତିକୁ ଲକ୍ଷ୍ୟ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଆନ୍ଦୋଳନ ମୁଣ୍ଡ ଟେକିବାକୁ ଆରମ୍ଭ କରିଛି।

Advertisment

ଧର୍ମଶାଳା ତହସିଲ ଅଧୀନ ଥାନୁଆଳ, ହରିଦାସପୁର, ଆରୁହା, ପାଖର ପଞ୍ଚାୟତର ଯୋଗରଡ଼ା ଓ ନାନପୁର ମୌଜାର ଏକର ଏକର ସରକାରୀ ଜମି ରାମ୍‌କୋ କମ୍ପାନି ଜବରଦଖଲ କରିଛି। ସେଥିମଧ୍ୟରେ ନାକପୋଲ ରାଜସ୍ବ ସର୍କଲ ଅଧୀନ ଯୋଗରଡ଼ା ମୌଜାର ଖାତା ନମ୍ବର ୭୯ ଓ ପ୍ଲଟ୍ ନମ୍ବର ୧୦୬ର ୧.୩୬ଏକର ଜମି, ଖାତା ନମ୍ବର  ୭୭ ଓ ପ୍ଲଟ୍ ନମ୍ବର ୧୪୩ର ୧.୫୪ଏକର ଓ ପ୍ଲଟ୍ ନମ୍ବର ୧୫୨ରେ ୨.୫୩ ଏକର ଜମି ରାମ୍‌କୋ କମ୍ପାନି ଜବରଦଖଲ କରିଛି। ଏହାକୁ ନେଇ ସରକାରୀସ୍ତରରେ ଯଥାକ୍ରମେ ୩ଟି ଜବରଦଖଲ କେସ୍ ୧୪୨/୧୮-୧୯,୧୪୩/୧୮-୧୯, ୧୪୪/୧୮-୧୯ ମଧ୍ୟ ରୁଜୁ ହୋଇଛି। ଏହିସବୁ ଗୋଚର ଜମିର ଉନ୍ନତୀକରଣ ନାମରେ ତଞ୍ଚକତା କରି ଧର୍ମଶାଳାର ତତ୍କାଳୀନ ତହସିଲଦାର କୋଟିକୋଟି ଟଙ୍କାର ଭୂସମ୍ପତ୍ତିକୁ ରାମ୍‌କୋ କମ୍ପାନି ହାତକୁ ଟେକି ଦେଇଛନ୍ତି। ମୁରାରିପୁର ଭାଗବତ ଗୋସାଇଁଙ୍କର ଅଧ ଏକର ମୂଲ୍ୟବାନ ଚାଷଜମି ମଧ୍ୟ କମ୍ପାନି କବ୍‌ଜା କରିନେଇଛି। ଏ ନେଇ ମୁରାରିପୁରର ସନ୍ତୋଷ କୁମାର ସାହୁ, ରବୀନ୍ଦ୍ର କୁମାର ତ୍ରିପାଠୀ ଓ ଯୋଗରଡ଼ାର ହେମନ୍ତ କୁମାର ପାଢ଼ୀ ଅଭିଯୋଗ କରିଛନ୍ତି। 

ସେହିପରି ଗଡ଼ମଧୁପୁର ରାଜା ଯୋଗରଡ଼ା ଓ ରଘୁନାଥପୁର ଅଞ୍ଚଳର ଦଳିତ ପରିବାର ଏବଂ ଭୂମିହୀନ ଲୋକମାନଙ୍କୁ ୪ ଗୁଣ୍ଠ ଲେଖାଏଁ ଜମି ଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ସିଲିଂ ପଟ୍ଟା ପ୍ରଦାନ କରିଥିଲେ। ସେହି ଜମିକୁ ମଧ୍ୟ ବିଭିନ୍ନ ଉପାୟରେ ରାମ‌୍‌କୋ କମ୍ପାନି ନିଜ କବ୍‌ଜାକୁ ନେଇଯାଇଛି। ୨୦୨୦ରୁ କମ୍ପାନି ସିମେଣ୍ଟ ଉତ୍ପାଦନ କରିଥିଲେ‌ ହେଁ ‌ଏହି ଗରିବ ଲୋକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇନାହିଁ। ଫଳରେ ସୁଜାତା ଭଞ୍ଜଙ୍କ ପରିବାର ରାସ୍ତାକଡ଼ରେ ଭଙ୍ଗାକୁଡିଆରେ ପଡ଼ିରହିଛନ୍ତି। ସୁଜାତାଙ୍କ ପରିବାର ଭଳି ଶୁକଦେବ ମଳିକ, ସୁନାକର ମଳିକ, ସ୍ୱର୍ଗତ ଭାସ୍କର ମଳିକ, ବିଜୟ ମଳିକ, ଧୋବା ଭଞ୍ଜ, ବଟକୃଷ୍ଣ ମଳିକ, ପଦିଆ ପରିଡ଼ା, ଚକ୍ରଧର ମଳିକ ଓ ପଦନ ରାଉତଙ୍କ ପରିବାର ନ୍ୟାୟ ପାଇଁ ବାର ଦୁଆର ହେଉଛନ୍ତି। ରାମ୍‌କୋ କାରଖାନାରେ ପରିବହନଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାବସାୟିକ କାରବାରରେ କୋଟିକୋଟି ଟଙ୍କା ରୋଜଗାର କରୁଥିବା କିଛି ପ୍ରଭାବଶାଳୀ ରାଜନେତା ଓ ଠିକାଦାର ଜନସାଧାରଣଙ୍କ ସ୍ବରକୁ ଚାପି ଦେଉଛନ୍ତି।