ଜେଏନ୍‌ୟୁରେ ହିଂସାକାଣ୍ଡ ଘଟାଇଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ଜେଏନ୍‌ୟୁରେ ଛାତ୍ର ଅଶାନ୍ତିକୁ ସାରା ଦେଶରେ ନିନ୍ଦା କରାଯାଇଛି। ଶିକ୍ଷାନୁଷ୍ଠାନ ପରିସରରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି କିମ୍ବା କରିବା ପାଇଁ ପ୍ରଶ୍ରୟ ଦେଉଛନ୍ତି ସେମାନଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଆଡ଼ୁ ଦାବି ହେଉଛି। ଏଭଳି ସମୟରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ କରିଛନ୍ତି ଯେ ଦେଶର କୌଣସି ବି ଶିକ୍ଷାନୁଷ୍ଠାନକୁ ରାଜନୈତିକ ଆଡ଼ାସ୍ଥଳୀ କରିବାକୁ ଦିଆଯିବ ନାହିଁ। ଶିକ୍ଷାଦାନ ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଛି। ବିଶ୍ବବିଦ୍ୟାଳୟଗୁଡ଼ିକ ସ୍ବୟଂଶାସିତ ସଂସ୍ଥା ହୋଇଥିଲେ ମଧ୍ୟ ସେଠାରେ କେବଳ ଶିକ୍ଷା ଦାନ କରାଯିବ ଦରକାର। ଗତକାଲି ଜେଏନ୍‌ୟୁର ଘଟଣା ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ନୂତନ ଶିକ୍ଷାନୀତି ସମ୍ପର୍କରେ ସେ କହିଛନ୍ତି ଯେ ନୂଆ ଭାରତର ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ସ୍ବପ୍ନ ଦେଖିଛନ୍ତି। ସ୍ବଚ୍ଛ ଭାରତ, ସୁସ୍ଥ ଭାରତ, ସଶକ୍ତ ଭାରତ, ସମୃଦ୍ଧ ଭାରତ, ଏକ ଭାରତ ଓ ଶ୍ରେଷ୍ଠ ଭାରତ କରିବାକୁ କେନ୍ଦ୍ର ସରକାର ଆହ୍ବାନ ଦେଇଛନ୍ତି। ଏଥିପାଇଁ ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍କିଲ୍‌ ଇଣ୍ଡିଆ ଆଦି ଆରମ୍ଭ ହୋଇଛି। ଏହାକୁ ଆଗକୁ ନେବା କ୍ଷେତ୍ରରେ ୩୩ ବର୍ଷ ପରେ ଆସିବାକୁ ଥିବା ନୂଆ ଶିକ୍ଷା ନୀତି ସହାୟକ ହେବ। ଏନେଇ ବ୍ୟାପକ ଆଲୋଚନା ଓ ବିଚାରବିମର୍ଶ କରାଯାଇଛି। ଜନପ୍ରତିନିଧି, ଅଭିଭାବକ, ସ୍ବେଚ୍ଛାସେବୀ ସଙ୍ଗଠନ, ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ପରାମର୍ଶ ନିଆଯାଇଛି। ଖୁବ୍‌ଶୀଘ୍ର ଏହି ନୀତି ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର