୫ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ବାଇଁ ଓ ତାଙ୍କ ମ୍ୟାନେଜର

ଭୁବନେଶ୍ବର: ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁ ଓ ତାଙ୍କ ମ୍ୟାନେଜର ବିଶ୍ଵରଂଜନ ଦାସଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ରମେଶଙ୍କର ମୁଖ୍ୟ ସହଯୋଗୀ ବିଶ୍ବରଞ୍ଜନ ଗିରଫ ହେବା ପରେ ଦୁଇ ଜଣଙ୍କୁ ମୁହାଁମୁହିଁ ଜେରା କରିବାକୁ ପୁଲିସ ଯୋଜନା କରିଛି। ବିଶ୍ବରଂଜନଙ୍କୁ କମିସନରେଟ୍ ପୁଲିସ ଗିରଫ କରିବା ପରେ ତାଙ୍କଠାରୁ ଅନେକ ତଥ୍ୟ ମିଳିଛି। ତେବେ ସେ କେତେ ସତ ବା ମିଛ କହିଛି, ଜଣାପଡ଼ିନାହିଁ। ତେଣୁ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ମହିଳା ଥାନା ପୁଲିସ ଉଭୟଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା।
ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ଅନେକ ରହସ୍ୟର ଗୁମର ଫିଟିବ ବୋଲି ଆଶା କରାଯାଉଛି। ରିମାଣ୍ଡ ଅବଧି ଭିତରେ ଏକାଧିକ ପତ୍ନୀ, ଜାଲ ଡକ୍ୟୁମେଣ୍ଟ ଓ ଅର୍ଥ ହଡ଼ପ ନେଇ ଯାଞ୍ଚ କରିବ ପୁଲିସ।
ପ୍ରକାଶଯୋଗ୍ୟ, ପୂର୍ବରୁ ଅଭିଯୋଗ କରିଥିବା କେତେଜଣ ମହିଳା ବିଶ୍ବରଂଜନ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ତା’ର ଫଟୋ ମଧ୍ୟ ଦେଇଥିଲେ। ତା’ର ସମ୍ପୃକ୍ତି ଜାଣିବା ପରେ ପୁଲିସ ତାକୁ ଗିରଫ କରିବା ପାଇଁ ତତ୍ପର ହୋଇଉଠିଥିଲା। ଶନିବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍ କଟକସ୍ଥିତ ତା’ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।


ଏଣେ ରମେଶ ନାଁରେ ଯୋଡ଼ି ହେବ ଆଉ ଏକ ମାମଲା। ୧୮ ପତ୍ନୀଙ୍କ ମଧ୍ୟରୁ ଆଉ ଜଣେ ଧୂର୍ତ୍ତ ରମେଶ ନାଁରେ ଅଭିଯୋଗ କରିବାକୁ ମହିଳା ଥାନା ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି। ତେଣୁ ଦିଲ୍ଲୀ ଶିକ୍ଷୟିତ୍ରୀ, ଆସାମ ଡାକ୍ତରାଣୀ ଓ ପଞ୍ଜାବ ଅଧ୍ୟାପିକା ସ୍ତ୍ରୀଙ୍କ ପରେ ଏ ମହିଳା ଜଣକ କେଉଁ ବର୍ଗର, ତାହାକୁ ନେଇ ଉତ୍କଣ୍ଠା ସୃଷ୍ଟି ହୋଇଛି। ଅଭିଯୋଗ କରିବାକୁ ଥିବା ମହିଳା ଓଡ଼ିଆ କି ଅଣଓଡ଼ିଆ, ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ। ସେହିଭଳି ବିବାହ ବାହାନାରେ ରମେଶ ଏହି ମହିଳାଙ୍କୁ କେତେ ଲକ୍ଷ ଟଙ୍କାର ଚୂନ ଲଗାଇଛି ଓ କେତେ ଗହଣା ଠକି ନେଇଛି, ତାହା ଅଭିଯୋଗ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର