ଅଜ୍ଞାତବାସରୁ ଫେରିଲେ ରମେଶଙ୍କ ବାପାମା’, ହାଜତ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି

ପୁରୀ : ପୁରୀ ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାରେ ଅଜ୍ଞାତବାସରେ ଥିବା ମୃତକ କେ. ରମେଶଙ୍କ ବାପା, ମା’ ସେମାନଙ୍କ ମୋଚିସାହିସ୍ଥିତ ଘରକୁ ଫେରିଛନ୍ତି। ମା’ କେ. ଭାରତୀ ଓ କେ. ଗୁରୁମୂର୍ତ୍ତି ପୁଅର ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ପୁଅର ହାଜତ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି। କେବଳ ଏତିକି କହିଛନ୍ତି, ସେମାନେ କିଛି ଜାଣିନାହାନ୍ତି, ପୁଅ ଗାଡ଼ି ଧକ୍କା ଓ ଦଳାଚକଟାରେ ମରିଛି ବୋଲି ପୁଲିସ ସେମାନଙ୍କୁ କହିଛି। ତେବେ ପୁଅକୁ ପୁଲିସ ବାଡ଼େଇ ମାରିଥିବା ପ୍ରସଙ୍ଗରେ କିଛି କହିନଥିଲେ। ସେମାନେ ଗରିବ ଲୋକ, ତେଣୁ ଏ ନେଇ ମାମଲା ରୁଜୁ କରିପାରିବେ ନାହିଁ, ଅର୍ଥ ଖର୍ଚ୍ଚ କରିବାକୁ ତାଙ୍କ ପାଖରେ ସମ୍ବଳ ନାହିଁ ବୋଲି କହିଥିଲେ। ସରକାର ସହାୟତା ଯାହା ଦେବେ ସେଥିରେ ଚଳିବେ, ଏ ଯାଏ କୌଣସି ସହାୟତା ମିଳିନଥିବା ଏମାନେ କହିଛନ୍ତି।

ତେବେ ସେମାନେ କେଉଁଠି ଥିଲେ, ପୁଲିସ ତାଙ୍କ ଉପରେ ଚାପ ପ୍ରୟୋଗ କରିଛି କି ବୋଲି ପଚାରିବାରେ ତାକୁ ସେମାନେ ଖଣ୍ଡନ କରିଥିଲେ। ସେମାନେ ଏବେ ଯାହା କହୁଛନ୍ତି କୋର୍ଟ ପଚାରିଲେ ମଧ୍ୟ ସମା‌ନ କଥା କହିବେ ବୋ‌ଲି କହିଛନ୍ତି। ଗୋଟିଏ ପୁଅ ଖେଳୁଥିବା ବେଳେ କିଏ ଚୋରାଇ ନେଇଥିବା ବେଳେ ବଡ଼ ପୁଅର ଏ ଅଭାବନୀୟ ମୃତ୍ୟୁକୁ ନେଇ କେ. ରମେଶଙ୍କ ବାପା ଓ ମା’ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସରକାର ଓ ଜଗନ୍ନାଥ ଦୋଷୀକୁ ଦଣ୍ଡ ଦିଅନ୍ତୁ ବୋଲି ଏମାନେ ପ୍ରାର୍ଥନା କରିଛନ୍ତି। କେ. ରମେଶଙ୍କ ହାଜତ ମୃତ୍ୟୁ ଅଭିଯୋଗ ପରେ ତାଙ୍କ ବାପା ମା’ଙ୍କୁ ନେଇ ଅଜ୍ଞାତ ବାସରେ ରଖାଯାଇଥିଲା। ଗଣମାଧ୍ୟମ ଠାରୁ ଦୂରେଇ ରଖାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବାପା ମା’ ଫେରିଛନ୍ତି। ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ସତ ସାମ୍ନାକୁ ଆସିପାରିବ ବୋଲି ଦାବି ‌ହୋଇଛି।

ସମ୍ବନ୍ଧିତ ଖବର