ରମେଶ ବାପା-ମା’ଙ୍କ ପତ୍ତା ମିଳୁନି

ପରିବାର ପକ୍ଷରୁ ଥାନାରେ ହୋଇନି ଅଭିଯୋଗ, ମୋଚିସାହି ଛକରେ ପୁଲିସ ପହରା

ପୁରୀ : ପୁରୀ ହାଜତ ମୃତ୍ୟୁ ମାମଲାର ନିଆଁ ଥମିବାକୁ ନାଁ ଧରୁନି। ଚାରିଆଡ଼େ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ମୃତ କେ. ରମେଶଙ୍କ ବାପା-ମା’ଙ୍କ କୌଣସି ସନ୍ଧାନ ନ ମିଳିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ହାଜତ ମୃତ୍ୟୁ କଥାକୁ ଲୁଚାଇବାକୁ ଯାଇ ପୁଲିସ ଏମାନଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ରମେଶଙ୍କ ମୃତ୍ୟୁର ତିନିଦିନ ପରେ ବି ବାପା-ମା’ଙ୍କ କୌଣସି ସନ୍ଧାନ ନ ମିଳିବା ଚାପ ପ୍ର‌ୟୋଗର ଅଭିଯୋଗକୁ ସତ୍ୟତା ଆଡ଼କୁ ନେଉଛି। ସେପଟେ ଏତେ ବଡ଼ ଘଟଣା ପରେ ବି ପରିବାର ଲୋକଙ୍କ ପକ୍ଷରୁ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନି।

ପରିବାର ତଥା ସଂପର୍କୀୟମାନେ ଆଜି ବି ଦୋହରାଇଛନ୍ତି କି ଗତ ୧୮ ତାରିଖ ଅପରାହ୍ନରେ ହିଁ ପୁଲିସ ରମେଶଙ୍କୁ ଘରୁ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ବାପା-ମା’ଙ୍କୁ ଘରୁ ଉଠାଇ ନେଲା। ରମେଶଙ୍କୁ ନେବାବେଳେ ସେ ସୁସ୍ଥ ଥିଲେ। ଥାନା ଭିତରେ ପୁଲିସ ମାଡ଼ରେ ହିଁ ରମେଶଙ୍କ ମୃତ୍ୟୁ ହୋଇଛି। ରମେଶଙ୍କ ଦେହର ଦାଗ ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ରମେଶଙ୍କୁ ପୁଲିସ ନେବାବେଳେ ସମସ୍ତେ ଦେଖିଛନ୍ତି। କିନ୍ତୁ ପୁଲିସ ରମେଶଙ୍କ ମୃତ୍ୟୁକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛି। ରମେଶ ଗତ ୧୮ ତାରିଖରେ ଭୁବନେଶ୍ବର ଯାଇନଥିଲେ କି କୌଣସି ସ୍ଥାନରେ ପୁଲିସ ସହିତ ତାଙ୍କର ଧସ୍ତାଧସ୍ତି ହୋଇନଥିଲା। ଘରୁ ହିଁ ରମେଶଙ୍କୁ ନିଆଗଲା ଓ ପିଟିପିଟି ମାରି ଦିଆଗଲା ବୋଲି ପରିବାର ଓ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ସେପଟେ ମୃତ୍ୟୁର ତିନି ଦିନ ପରେ ବି ବାପା-ମା’ଙ୍କ କୌଣସି ସନ୍ଧାନ ନ ମିଳିବା ଘଟଣାକୁ ପରିବାର ଲୋକେ ଗୁରୁତର ସହ ନେଇଛନ୍ତି। ପୁଲିସ ବାପା-ମା’ଙ୍କୁ ନିଜ ହେପାଜତରେ ରଖି ମତ ବଦଳାଇବାକୁ ଚେଷ୍ଟା କରୁଛି। ଡରାଇ ବାପା-ମା’ଙ୍କ ମୁହଁରେ ମୃତ୍ୟୁକୁ ଭିନ୍ନ ଆକାର ଦେବାକୁ ଚେଷ୍ଟା କରୁଛି। ତୁରନ୍ତ ବାପା-ମା’ଙ୍କୁ ଖୋଜାଯାଉ। ନଚେତ୍‌ ବାପା-ମା’ଙ୍କ ଜୀବନ ବି ବିପଦ ଭିତରକୁ ଚାଲିଯିବ ବୋଲି ସଂପର୍କୀୟମାନେ କହିଛନ୍ତି।

ଏ ସଂପର୍କରେ ଆରକ୍ଷୀ ଅଧୀକ୍ଷକ ଅଖିଳେଶ ସିଂ କହିଛନ୍ତି, ପୁଲିସ ବାପା-ମା’ଙ୍କୁ ଅଟକ ରଖିନି। ଯେଉଁଠି ବି ରମେଶଙ୍କ ବାପା-ମା’ ଅଛନ୍ତି, ସୁରକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ ଆଜି ମୋଚିସାହି ଛକରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଆଜି କିଛି ମାନବାଧିକାର କର୍ମୀ ମୃତକଙ୍କ ପରିବାର ଓ ସଂପର୍କୀୟଙ୍କୁ ଭେଟିଛନ୍ତି। ରମେଶଙ୍କ ସଂପର୍କରେ ପଚାରି ବୁଝିଛନ୍ତି।

ସମ୍ବନ୍ଧିତ ଖବର