ରାମେୟାପାଟଣାରେ ପୁଣି ସମୁଦ୍ର ଉଗ୍ର

ବ୍ରହ୍ମପୁର/ଚିକିଟି : କିଛିଦିନର ବ୍ୟବଧାନ ପରେ ପୁଣି ରାମେୟାପାଟଣାଠାରେ ସମୁଦ୍ର ଉଗ୍ରରୂପ ଧାରଣ କରିଛି। ଆସନ୍ତା ଶୁକ୍ରବାର ଅମାବାସ୍ୟା ତିଥି ଥିବାବେଳେ ସମୁଦ୍ର ଜୁଆରିଆ ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି।

ସମୁଦ୍ର କୂଳରେ ରହିଛି ଚିକିଟି ବ୍ଲକ୍‌ର ରାମେୟାପାଟଣା ଗାଁ। ବାହୁଦା ନଦୀ ଗତିପଥ ପରିବର୍ତ୍ତନ କାରଣରୁ ସେଠାରେ ସମୁଦ୍ର ବାରମ୍ବାର କୂଳ ଖାଉଛି। ଚଳିତ ମାସ ଗତ ୮ତାରିଖରୁ ସେଠାରେ ସମୁଦ୍ର ଉଗ୍ର ହୋଇ କୂଳ ଖାଇବାରେ ଲାଗିଛି। ଇତିମଧ୍ୟରେ ଉକ୍ତ ଗ୍ରାମର ୨୭ଟି ବାସଗୃହ, ୨୨ଟି ଶୁଖୁଆ ଖଳା, ମତ୍ସଜୀବୀ ଆଶ୍ରୟ ସ୍ଥଳ ଓ ୧୦ରୁ ଅଧିକ ନଡିଆ ଗଛ ସମୁଦ୍ରରେ ଆଁ ପଶିବା ସହିତ ସ୍ଥିତି ଗମ୍ଭୀର ରହିଥିଲା।

ଗତ ଏକ ସପ୍ତାହ ହେଲା ସମୁଦ୍ର ଶାନ୍ତ ରହିବା ସହ ସ୍ଥିତିରେ କିଛିଟା ସୁଧାର ଆସିଥିଲା। ଆଜିଠାରୁ ପୁଣିଥରେ ଅଶାନ୍ତ ହେବା ସହ ଜୁଆର ବେଳାଭୂମି ଖାଇବାରେ ଲାଗିଛି।

ଅନ୍ୟପକ୍ଷରେ, ସମନ୍ବିତ ଉପକୂଳ ପରିଚାଳନା ଯୋଜନାରେ ରାମେୟାପାଟଣାର ଅବକ୍ଷୟ ଅଞ୍ଚଳରେ ୬କୋଟି ୪୭ଲକ୍ଷ ଟଙ୍କା ବ୍ୟୟରେ ଗାର୍ଡୱାଲ୍‌ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ସମୁଦ୍ରର ସ୍ଥିତି ଅନୁଧ୍ୟାନ ପରେ ଗାର୍ଡୱାଲ୍‌ର ନକ୍ସାରେ ପରବର୍ତ୍ତନ କରିବାକୁ ଜଳସେଚନ ବିଭାଗ ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ଚେନ୍ନାଇସ୍ଥିତ ଜାତୀୟ ସାମୁଦ୍ରିକ ବିଜ୍ଞାନ ପ୍ରତିଷ୍ଠାନ(ଏନ୍ଆଇଓଟି)ର ବିଶେଷଜ୍ଞ ଡ.ଅରୁଣ କୁମାରଙ୍କ ନେତୃତ୍ବରେ ୩ ଜଣିଆ ବିଶେଷଜ୍ଞ ଦଳ ରାମେୟାପାଟଣା ଯାଇ ସ୍ଥିତି ପରଖିଛନ୍ତି। ଏହି ବିଶେଷଜ୍ଞ କମିଟି ରିପୋର୍ଟ ଦେବା ପରେ ତାହାକୁ ଅନୁଧ୍ୟାନ କରି ବିକଳ୍ପ ପଦକ୍ଷେପ ନିଆଯିବ। ତେବେ, ଗତକାଲି ଡ୍ରୋନ ସାହାଯ୍ୟରେ ବେଳାଭୂମି ଅବକ୍ଷୟ ଅଞ୍ଚଳ ସର୍ଭେ କରା ଯାଇଥିବା ଜଳସେଚନ ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର