ମୁମ୍ବାଇ: ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଲ ବର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ ଓଡ଼ିଆ ଝିଅ ଅପ୍ସରା ରାଣୀଙ୍କୁ ନାୟିକା ହେବାର ସୁଯୋଗ ଦେଇଛନ୍ତି। ତେବେ ଏହାର ନାୟକ ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ସେ ସୁଯୋଗ ଦେଇଛନ୍ତି। ରାମ୍ଗୋପାଲ୍ ବର୍ମା ଆଜି ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।
In the two lead actors from THRILLER @apsara_rani is from Odisha’s Rourkela and @rock_kacchi is from Odisha’s Nabarangpur pic.twitter.com/yzyWZ46pVI
— Ram Gopal Varma (@RGVzoomin) July 14, 2020
ସେ ଟ୍ବିଟ୍ରେ କହିଛନ୍ତି, ଏହି ଓଡ଼ିଆ ଯୁବକଙ୍କ ନାଁ ରକ୍ କାଚି। ସେ ନବରଙ୍ଗପୁର ବାସିନ୍ଦା। ଶ୍ରୀ ବର୍ମା ଆହୁରି କହିଛନ୍ତି, ମୁଁ ଓଡ଼ିଶାକୁ ଚିହ୍ନି ପାରିଛି ଓ ଓଡ଼ିଶାର ଆଉ ଜଣେ ପ୍ରତିଭାଙ୍କୁ ବି ଆବିଷ୍କାର କରିଛି। ସେ ପ୍ରତିଭାଙ୍କ ନାମ ହେଉଛି ରକ୍। ଅନ୍ୟ ଏକ ଟ୍ୱିଟ୍ରେ ସେ ଲେଖିଛନ୍ତି, ସେ ରକ୍ ଓ ଅପ୍ସରାଙ୍କ ଭଳି ଅଧିକରୁ ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ଚାହୁଁଛନ୍ତି। ଏହା ସହିତ ରାମଗୋପାଲ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଉଭୟ ଅପ୍ସରା ଓ ରକ୍ଙ୍କୁ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଅପ୍ସରାଙ୍କୁ ନେଇ ରାମଗୋପାଲ ବର୍ମା କରିଥିବା ଏକ ଟ୍ୱିଟ୍ରୁ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ‘ଓଡ଼ିଶା’ର ଇଂରାଜୀ ବନାନ ଭୁଲ୍ ଥିଲା। ତା’ସହିତ ୧୯୯୯ ମହାବାତ୍ୟା ବ୍ୟତୀତ ଓଡ଼ିଶା ସଂପର୍କରେ କିଛି ଜାଣି ନଥିବା ଲେଖିଥିଲେ। ଏହାକୁ ନେଇ ଅନେକ ଓଡ଼ିଆ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଅବଶ୍ୟ ପରେ ସେ ଅନ୍ୟ ଏକ ଟ୍ୱିଟ୍ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ।