ସ୍ବାଧୀନତାର ୭୫ତମ ବର୍ଷରେ ରାମସାର କ୍ଷେତ୍ର ସଂଖ୍ୟା ୭୫କୁ ବୃଦ୍ଧି, ଓଡ଼ିଶାରୁ ୩ଟି ସ୍ଥାନ ସାମିଲ

ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କଲେ ଭାରତ ସରକାର

ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି। ଫଳରେ ଦେଶରେ ମୋଟ୍‌ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚିଛି । ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି । ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ ।

ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି, ଓଡ଼ିଶାର ୩ଟି ଏବଂ ଜମ୍ମୁ ଓ କଶ୍ମୀରର ଦୁଇଟି କ୍ଷେତ୍ର ସାମିଲ ରହିଛି । ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି । ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ ।

ଫାଇଲ ଫଟୋ

୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି । ଭାରତ ୧ ଫେବ୍ରୁଆରି ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା । ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍‌ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା । ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି ।

ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି । ଚଳିତ ବର୍ଷ ୧୯ଟି ଆର୍ଦ୍ରଭୂମିକୁ ରାମସାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ୧୪ଟି କ୍ଷେତ୍ରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତାମିଲନାଡ଼ୁରେ ସର୍ବାଧିକ ୧୪ଟି ରାମସାର କ୍ଷେତ୍ର ଥିବା ବେଳେ ୧୦ଟି ରାମସାର କ୍ଷେତ୍ର ସହ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର