ଅନୁଗୁଳ : କେତେ କଣ ଭାବି ପରିବାର ଲୋକେ ପୁଅର ନାଁ ଦେଇଥିଲେ ରାଣାପ୍ରତାପ। ଆଉ ସତରେ ସେ ଥିଲେ ପରାକ୍ରମୀ, ଠିକ୍ ମେୱାରର ମହାରାଜା ରାଣାପ୍ରତାପଙ୍କ ପରି। ହସି ହସି ସେ ମୃତ୍ୟୁ ସହ ଲଢୁଥିଲେ। ଶତ୍ରୁକୁ ଚକମା ଦେଖାଇବା ପାଇଁ ଆକାଶକୁ ଘର କରିଥିଲେ। ହେଲେ ସେହି ଆକାଶ ହିଁ ଶେଷରେ ତାଙ୍କୁ ଠକିଦେଲା। ଏକ ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ ଅଧା ଆକାଶରେ ଜୀବନ ଚାଲିଗଲା ରାଣାପ୍ରତାପଙ୍କର। ଆଉ ଏହା ପରେ ରାଣାପ୍ରତାପଙ୍କୁ ଝୁରୁଛି ସାରା ଦେଶ। ଜାତିର ସେବା କରୁ କରୁ ଜୀବନ ଦେଇଥିବା ଏହି ସାହସୀ ପୁଅ ହେଲେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣାପ୍ରତାପ। ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ କୃଷ୍ଣଚନ୍ଦ୍ରପୁର କାନ୍ଦୁଛି। ତାଳଚେର ମାଟି ତା ସାହସୀ ପୁଅର ଗୌରବ ମନେ ପକାଇ ଛାତି ଚଉଡ଼ା କରିଥିଲେ ବି କୋହରେ ଫାଟିଯାଉଛି ହୃଦୟ।
ପିଲାବେଳୁ ଥିଲା ସୈନିକ ହେବାର ଇଚ୍ଛା
ରାଣାପ୍ରତାପଙ୍କ ବାପା ଶ୍ରୀବତ୍ସ ଦାସ ସାଉଥ ବଲଣ୍ଡା ନୀଳକଣ୍ଠେଶ୍ବର ମହାବିଦ୍ୟାଳୟରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିଲେ। ତେଣୁ ପିଲାବେଳୁ ଏଠାରେ ହିଁ ରହି ପାଠପଢା ଆରମ୍ଭ କରିଥିଲେ ରାଣା। ଆଉ ଆରମ୍ଭରୁ ବାୟୁସେନାରେ ଯୋଗଦେବା ପାଇଁ ସେ ସ୍ବପ୍ନ ଦେଖୁଥିଲେ। ଏଥିପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଥିଲେ। ବାପା ଶ୍ରୀବତ୍ସ ମଧ୍ୟ ତାଙ୍କୁ ଭରପୂର ସମର୍ଥନ ଦେଉଥିଲେ। ସୈନିକ ହେବା ଲକ୍ଷ୍ୟ ନେଇ ରାଣା ହାଇସ୍କୁଲରେ ଏନସିସିରେ ଭର୍ତ୍ତି ହୋଇଥିଲେ। ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଏନସିସିରେ ଯୋଗଦେବା ପାଇଁ କଲେଜ ବଦଳାଇଥିଲେ ସେ। ସାଉଥବଲଣ୍ଡା ଛାଡ଼ି ଅନୁଗୁଳ ସରକାରୀ ସ୍ବଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନରେ ନାମ ଲେଖାଇ ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗରେ ପାଠ ପଢିଥିଲେ। ଆଉ ଏନସିସିରେ ଜଣେ ସକ୍ରିୟ କ୍ୟାଡେଟ୍ ଭାବେ ବେଶ ସୁନାମ ଅର୍ଜନ କରିଥିଲେ। ଏହି କଲେଜରେ ପଢିବା ସମୟରେ ସେ ବାୟୁସେନାରେ ନିଯୁକ୍ତି ପାଇ ଯାଇଥିଲେ। ଏହା ସହିତ ରାଣାଙ୍କ ପିଲାଦିନର ସ୍ବପ୍ନ ସାକାର ହୋଇଥିଲା। ବାପା ବି ପୁଅର ସଫଳତା ଦେଖି ଛାତି ଫୁଲାଇ ଚାଲୁଥିଲେ। ହେଲେ ରାଣାଙ୍କ ଏହି ସୁନେଲ ସ୍ବପ୍ନ ପାଇଁ ରାତି ଅଣ୍ଟିଲାନି।
କାହା ପାଟିରେ ଭାଷା ନାହିଁ
ତାମିଲନାଡୁରେ ଗତକାଲି ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଦିଲ୍ଲୀରୁ ପଲ୍ଲୀ ସବୁଠି ଏହି ଚର୍ଚ୍ଚା ଚାଲିଥିଲାବେଳେ ଏଥିରୁ ବାଦ୍ ପଡ଼ି ନ ଥିଲା କୃଷ୍ଣଚନ୍ଦ୍ରପୁର। ଗାଁ ଲୋକ କହୁଥିଲେ, ଏହି ଯେଉଁ ହେଲିକପ୍ଟର ଦୁର୍ଘଟଣା ହୋଇଛି ଏଥିରେ ଆମ ଗାଁର ପୁଅ ରାଣାପ୍ରତାପ ବି ଯିବା ଆସିବା କରେ। ବିପିନ ରାୱତଙ୍କ ସହ ଆଗରୁ ବି କେତେଥର ଯାଇଛି। ଏପରିକି ରାଣାଙ୍କ ବାପା ଶ୍ରୀବତ୍ସ ଦାସ ବି ଏହି କଥାବାର୍ତ୍ତାରେ ସାମିଲ ହେବା ସହ ବାରମ୍ବାର ଟିଭି ଦେଖିଛନ୍ତି। ହେଲେ ସେମାନେ କେବେ ଭାବି ନ ଥିଲେ, ଏହି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ତାଙ୍କ ପୁଅ ରାଣା ଥିବ ବୋଲି। ଆଜି ସକାଳେ ଯେତେବେଳେ ତାଙ୍କ ଝିଅ ଓ ଜ୍ବାଇଁ ଏକଥା ତାଙ୍କୁ ଜଣାଇଲେ ସେତେବେଳୁ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି। ପାଟି ଖନି ମାରି ଯାଉଛି। ଖାଲି ଇଆଡ଼ୁ ସିଆଡୁ କଥା ଗପୁଛନ୍ତି। ଯେଉଁ ପୁଅ କାନ୍ଧରେ ମଶାଣିକୁ ଯିବେ ବୋଲି ସେ ଭାବିଥିଲେ, ସେ ଭେଣ୍ଡା ବୟସରେ ଏମିତି ଠକି ଦେଇ ଯିବ ବୋଲି ସେ ବିଶ୍ବାସ କରି ପାରୁନାହାନ୍ତି। ସେ ଜଣେ ହୃଦରୋଗୀ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ବୁଝାସୁଝା କରୁଛନ୍ତି। ଏପଟେ ମା ସୁଷମା ଦାସଙ୍କର ମାନସିକ ଅବସ୍ଥା ଭଲ ନାହିଁ। ଆଉ ଏହି ଖବର ଶୁଣିବା ପରେ ଏହା ଆହୁରି ବିଗିଡ଼ି ଯାଇଛି। ଘରକୁ ସମବେଦନା ଜଣାଇବା ପାଇଁ ବନ୍ଧୁ, ସଂପର୍କୀୟ ଓ ଅନ୍ୟ ଲୋକମାନେ ଆସୁଥିଲାବେଳେ ଏମିତି ସ୍ଥିତି ଦେଖି କାହାରି ପାଟିରେ କିଛି ଭାଷା ନାହିଁ।