ଅନୁଗୁଳ : ଛାତିରେ ଛାତିଏ କୋହ ଓ ଆଖିରେ ଆଖିଏ ଲୁହ ସହ ଆଜି ବୀରପୁଅ ରାଣାପ୍ରତାପଙ୍କୁ ବିଦାୟ ଦେଇଛି ତାଳଚେର। ସହିଦ ରାଣାପ୍ରତାପ ଅମର ରହେ ଧ୍ବନୀରେ କଂପିଛି ଏହି ସଂଗ୍ରାମୀ ମାଟି। ହଜାର ହଜାର ଲୋକଙ୍କ ଲୁହା ଭିଜା ଆଖି ଆଗ‌ରେ ପଞ୍ଚ ମହାଭୁତରେ ବିଲୀନ ହୋଇଥିଲା ରାଣାପ୍ରତାପଙ୍କ ପାର୍ଥିବ ଶରୀର।

Advertisment

ଗଡ଼ଜାତ ଆନ୍ଦୋଳନର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତାଳଚେର ଅଂଚଳର ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କର ମରଶରୀର ଶନିବାର ଦିଲ୍ଲୀରୁ ଭୂବନେଶ୍ୱର ଅଣାଯାଇ ସେଠାରୁ ଏକ ସୁସଜ୍ଜିତ ଯାନରେ ତାଳଚେର ଅଣାଯାଇଥିଲା। ରାଣାପ୍ରତାପଙ୍କ ମୃତଦେହ ଭୁବନେଶ୍ୱର ଠାରୁ ହିନ୍ଦୋଳ, ଅନୁଗୁଳ, ଏଫ୍‌ସିଆଇ ଦେଇ ତାଙ୍କ ପୈତୃକ ଗ୍ରାମ ତାଳଚେର ବ୍ଲକ କଣ୍ଢାଳ ପଂଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମକୁ ନିଆଯାଇଥିଲା । ଅପରାହ୍ଣ ସାଢ଼େ ୪ଟା ସମୟରେ ତାଙ୍କ ପାର୍ଥିବ ଶରୀର ଏକ ଶୋକାକୁଳ ପରିବେଶ ଭିତରେ ବାସଭବନରେ ପଂହଚିଥିଲା । ଏଥିନେଇ ପ୍ରଶାସନ ତରଫରୁ ତାଙ୍କ ବାସଭବନ ଠାରୁ ୧୦୦ମିଟର ଦୂରତାରେ ଏକ ବିସ୍ତୀର୍ଣ୍ଣ ଅଂଚଳକୁ ପରିଷ୍କାର କରିବା ସହିତ ଏହାର ଚର୍ତୁପାର୍ଶ୍ବରେ ବ୍ୟାରିକେଟ୍ ନିର୍ମାଣ କରାଯାଇଥିଲା । ଶୋକାକୁଳ ଅବସ୍ଥାରେ ତାଙ୍କ ପାର୍ଥିବ ଶରୀରକୁ ବାୟୁସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ଏହାପରେ ସ୍ୱର୍ଗତ ରାଣା ପ୍ରତାପ ଦାସଙ୍କ ପୁତୁରା ଆଶିଷ ଦାସ ମୁଖାଗ୍ନି ଦେବା ସମୟରେ ତାଙ୍କ ଧର୍ମପତ୍ନୀ ଶିବାଙ୍ଗୀ, ପିତା ଶ୍ରୀବତ୍ସ ଦାସ, ମାତା, ଭଉଣୀ, ଭିଣୋଇ, ଏକମାତ୍ର ପୁତ୍ର, ଶ୍ୱଶୁର ଓ ସମସ୍ତ ସମ୍ପର୍କୀୟ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ବିଭିନ୍ନ ସ୍ଲୋଗାନ ଭାରତମାତା କି ଜୟ, ବୀର ସହିଦ ଅମର ରହେ.. ଧ୍ୱନୀରେ ଅଂଚଳ କମ୍ପି ଉଠିଥିଲା।

ଶେଷକୃତ୍ୟ ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଲହଡ଼ା ବିଧାୟକ ମୁକେଶ ପାଳ, ଛେଣ୍ଡିପଦା ବିଧାୟକ ରମେଶ ସାଏ, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମା ବସନ୍ତୀ ମଞ୍ଜରୀ ପ୍ରଧାନ, ଦକ୍ଷିଣା ଅଂଚଳ ଡ଼ିଆଜି ସିଦ୍ଧାର୍ଥଶଙ୍କର ଷଡ଼ଙ୍ଗୀ, ଏସପି ଜଗମୋହନ ମୀନାଙ୍କ ସମେତ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହି ପାର୍ଥିବ ଶରୀରର ପୁଷ୍ପଗୁଚ୍ଛ ପ୍ରଦାନ କରି ବୀରଯବାନଙ୍କ ଆତ୍ମାର ସଦଗଦି କାମନା କରିଥିଲେ।