ସମ୍ବଲପୁର : ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଓ ଟିଭି ଭାଷ୍ୟକାର ରଣଜିତ ଗୁରୁଙ୍କ ନିୟମିତ ସ୍ତମ୍ଭ ‘ଅପ୍ରସଙ୍ଗ’ରେ ପ୍ରକାଶିତ ଲେଖାଗୁଡ଼ିକୁ ନେଇ ଏକ ପୁସ୍ତକ ‘ଓଡିଶା ରାଜନୀତି: ଶାସନ ଓ ବିକାଶ’ ପ୍ରକାଶ ପାଇଛି। ସ୍ବର୍ଗତଃ ଗୁରୁଙ୍କ ଦ୍ବାଦଶାହ ଅବସରରେ ତାଙ୍କ ଜନ୍ମଭୂମି ବରଗଡ଼ ଜିଲ୍ଲା ମହଖଣ୍ଡ ଗାଁରେ ଅନୁଷ୍ଠିତ ସ୍ମୃତିସଭାରେ ଏହି ପୁସ୍ତକକୁ ଉନ୍ମୋଚନ କରାଯାଇଛି। କବି ଭାଗୀରଥି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରସାର ଭାରତୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦେଶକ ଅଭୟ ପାଢ଼ୀ ପୁସ୍ତକକୁ ଉନ୍ମୋଚନ କରିଥିଲେ।
ଉଲ୍ଲେଖନୀୟ ଯେ ୩୬୦ ପୃଷ୍ଠାର ଏହି ପୁସ୍ତକରେ ସ୍ବର୍ଗତ ସ୍ତମ୍ଭକାରଙ୍କ ସ୍ବନିର୍ବାଚିତ ୬୩ଟି ଲେଖା ରହିଛି। ଏହି ସବୁ ଲେଖା ‘ଶାସନ’ ଓ ‘ବିକାଶ’ ନାମରେ ଦୁଇ ଭାଗରେ ସଂକଳିତ ହୋଇ ‘ଆମ ଓଡିଶା’ ପକ୍ଷରୁ ପ୍ରକାଶ ପାଇଛି।