ରଣପୁର : ଶ୍ରାବଣ ମାସ ଅଧା ହେବାକୁ ବସିଲାଣି ହେଲେ ବର୍ଷା ଅଭାବରୁ ଚାଷ କାମରେ ଘୋର ବାଧା ଉପୁଜିଛି। ଫଳରେ ଚାଷ ପାଇଁ ଚାଷୀ ଡହକ ବିକଳ ହେଉଥିବା ବେଳେ ମୌସୁମୀ ବର୍ଷା ଉଭାନ ଯୋଗୁ ମରୁଡି ଆଶଙ୍କାରେ ଚାଷୀ ମୁଣ୍ତରେ ଚଡକ ପଡିଛି। ଶେଷରେ ଚାଷୀ ବାଧ୍ୟ ହୋଇ ପାଇପ୍ ଯୋଗେ କୂଅରୁ ବିଲକୁ ପାଣି ମଡାଉଥିବା ଦେଖିବାକୁ ମିଳିଛି।

Advertisment

ସୂଚନା ଥାଉକି ମୌସୁମୀ ବର୍ଷାର ଆଗମନକୁ ଦେଖି ଅନୁକୂଳ ପାଗ ଯୋଗୁ ଚଳିତ ବର୍ଷ ରଣପୁର ଓ ଆଖପାଖ ଅଂଚଳରେ ପ୍ରାୟ ୧୮ ହଜାର ହେକ୍ଟର ଚାଷ ଜମିରେ ଚାଷୀ ଧାନ ବୁଣିଥିଲେ। ହେଲେ ମୌସୁମୀ ବର୍ଷାର ବିଡ଼ମ୍ବନା ଯୋଗୁ ବର୍ଷାରେ ଅନିୟମିତତା ସୃଷ୍ଟି ହୋଇଛି। ଫଳରେ କମ୍ ବୃଷ୍ଟିପାତ ଯୋଗୁ ଚାଷ ଜମି ଏବେ ଶୁଖିଲା ପଡିଥିବା ବେଳେ ଧାନ ଗଛ ମରିବାକୁ ବସିଲାଣି। ଏପରିସ୍ଥଳେ ଅନ୍ୟନୋପାୟ ହୋଇ ଅନେକ ଚାଷୀ ମରିଯାଉଥିବା ଧାନ ଗଛକୁ ବଂଚାଇବା ଉଦେଶ୍ୟରେ କୂଅ, ପୋଖରୀରୁ ପମ୍ପ ଓ ମଟର ପାଇପ୍ ଯୋଗେ ବିଲରେ ପାଣି ମଡାଇବାକୁ ବାଧ୍ୟ ହେଉଛନ୍ତି। ତେବେ କେତେକ ଚାଷୀ ମଧ୍ୟ ତଳି ପକାଇଥିଲେ। ସେଥି ମଧ୍ୟରୁ ଅଧିକାଂଶ ସରକାରୀ ଓ ହାଇବ୍ରିଡ୍ କିସମର। ଦେଶୀ କିସମଠାରୁ ଏହି ହାଇବ୍ରିଡ୍ ସରକାରୀ ଧାନ ତୁଳନାତ୍ମକ ଭାବେ ଅଧିକ ଅମଳ ଦେଇଥାଏ। ଏଣୁ ଅଧିକ ଅମଳ ଦେଉଥଇବାରୁ ବହୁ ଚାଷୀ ସମବାୟ ସମିତି ଓ କୃଷି କାର୍ଯ୍ୟାଳୟରୁ ବିହନ ନେଇ ଧାନ ଚାଷ କରିଥିଲେ। କେତେକ ସରକାରୀ ଧାନ ଗଜା ହୋଇନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷେ ରଣପୁର ଏକ ପାହାଡିଆ ଅଂଚଳ ହୋଇଥିବାରୁ ବର୍ଷା ଦିନେ ଉପର ପାଣି ତଳକୁ ଗଡିଯାଇଥାଏ। ଫଳରେ ଉପର ବା ଢିପ ଅଂଚଳ ଜମି ପାଣି ଅଭାବରୁ ଶୁଖିଲା ପଡିଥାଏ। ଏପରିସ୍ଥଳେ ମୌସୁମୀ ବର୍ଷା ଉପରେ ଚାଷୀକୁଳ ନିର୍ଭରଶୀଳ ହୋଇଥାନ୍ତି। କିନ୍ତୁ ଏବେ ଅଧିକାଂଶ ଜମିରେ ବର୍ଷା ଅଭାବରୁ ଧାନ ଗଛ ଠିକ୍ ଭାବେ ଉଠିନଥିବା ବେଳେ ଚାଷୀ ମହଲରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି।

publive-image

ବିଶେଷକରି ଏହି ସମୟରେ ଚାଷୀମାନେ ବେଉଷଣ କରିଥାନ୍ତି। ହେଲେ ବର୍ଷାର ଅଭାବ ଯୋଗୁ ଗଛ ନଉଠିବାରୁ ଚାଷ କାମରେ ବ୍ୟାପକ ଅନିୟମିତତା ସୃଷ୍ଟି ହୋଇଛି। ଅପରପକ୍ଷେ ଧାରା ଶ୍ରାବଣରେ ସମଗ୍ର ଅଂଚଳରେ ଚାଷ ଜମି ଜଳାର୍ଣ୍ଣବ ପରିବର୍ତ୍ତ‌େ ଏବେ ଗହୀର ଫାଟି ଶୁଖିଲା ପଡିଥିବା ଦେଖିବାକୁ ମିଳୁଛି। ତେବେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ଚାଷୀମାନଙ୍କ ପାଇଁ ଚାଷ ଉପଯୋଗୀ ଜଳଯୋଗାଣ ବ୍ୟବସ୍ଥାର ଅଭାବ ଯୋଗୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ କୃଷି ଓ କୃଷକର ଉନ୍ନତି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ନାନାଦି ଯୋଜନାରେ ପ୍ରତିବର୍ଷ ରାଜସ୍ବରୁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ସେହିପରି କୋଭିଡ୍–୧୯ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀ ଓ ଚାଷ ଉପରେ କେନ୍ଦ୍ର ତଥା ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ଏପରିକି ଏଥିପାଇଁ ହଜାର ହଜାର କୋଟି ବ୍ୟୟ କରାଯାଉଛି। ହେଲେ ସରକାରୀ କଳ ଓ ବିଭାଗୀୟ ଅଧିକାରୀଙ୍କ ବାଟମାରଣା ଯୋଗୁ ଉପଯୁକ୍ତ ସହାୟତା ଚାଷୀ ପାଖରେ ପହଞ୍ଚି ପାରୁନାହିଁ। ସେହିପରି ଅନେକ ଚାଷୀ ସରକାରୀ ବିହନ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ସରକାରଙ୍କ ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଧାର କରଜ କରି ଚାଷ କରିଥିବା ଚାଷୀ ବିଷମ ସମାସ୍ୟାରେ ପଡି ଆଉଟୁପାଉଟୁ ହେଉଥିବା ବେଳେ ଶେଷରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚିନ୍ତା କରୁଥିବା ଜଣାଯାଇଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ବିଭିନ୍ନ କୃଷକ ସଂଗଠନ ତରଫରୁ ପ୍ରଶାସନ ନିକଟରେ ଦାବି ହେଉଛି।