ଅବ୍ୟବସ୍ଥା ଘେରରେ ରଣପୁର ବ୍ଲକ୍‌ ସଦରମହକୁମାସ୍ଥିତ ଉପଡାକଘର

ବିଦ୍ୟୁତ୍‌ କଟିଗଲେ ଡାକସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡୁଥିବା ବେଳେ ଖତ ଖାଉଛି ସାଢ଼େ ୭ ଲକ୍ଷ ଟଙ୍କାର ଜେନେରେଟର

ରଣପୁର : ରଣପୁର ବ୍ଲକ୍‌ ହେଡ୍‌କ୍ବାର୍ଟରସ୍ଥିତ ଉପଡାକଘର ଦୀର୍ଘ ଦିନଧରି ବହୁ ଅବ୍ୟବସ୍ଥା ଘେରରେ ଚାଲୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଡାକଘର ପରିସରରେ ଥିବା ସାଢେ ୭ ଲକ୍ଷ ଟଙ୍କାର ଜେନେରେଟର ଖତ ଖାଉଥିବା ବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ହେଲେ ଡାକସେବା ଏକଦମ୍ ଠପ୍‌ ହୋଇ ପଡୁଥିବା ଜଣାଯାଇଛି। ତେବେ ପୋଷ୍ଟ ଅଫିସ୍‌ ଅଧୀନ ତହସିଲ୍, ବ୍ଲକ୍, କୋର୍ଟ, ସ୍କୁଲ, କଲେଜ ସମେତ ସମସ୍ତ ଜନସାଧାରଣ ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଏହା ଉପରେ ନିର୍ଭର କରିଥାନ୍ତି। ହେଲେ ଅନେକ ସମୟରେ ଠିକ୍ ସେବା ନମିଳିବାରୁ ହିତାଧିକାରୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ବାଧ୍ୟ ହୋଇ ନିକଟତମ ପୋଷ୍ଟ ଅଫିସ୍‌ ସୁନାଖଳା ଓ ଗୋପାଳପୁର ଉପରେ ନିର୍ଭର କରିବାକୁ ପଡୁଛି।

ସୂଚନା ଥାଉକି, ରଣପୁର ବ୍ଲକ୍‌ ସଦରମହକୁମାସ୍ଥିତ ଉପଡାକଘର ଦୀର୍ଘ ଦିନ ଧରି ନାନାଦି ସମସ୍ୟାରେ ଯୁଝୁଥିବା ବେଳେ ବିଦ୍ୟୁତ୍‌ କଟିଗଲେ ଡାକସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡୁଥିବା ଜଣାଯାଇଛି। ତେବେ ଡାକଘର ପରିସରରେ ୨୦୦୫–୦୬ ମସିହାରେ ସାଢେ ୭ ଲକ୍ଷ ଟଙ୍କା ବିନିମୟରେ ୧୦ କିଲୋୱାଟ୍ ସଂପନ୍ନ ଏକ ବିରାଟକାୟ ଜେନ୍‌ସେଟ୍‌ ବସାଯାଇଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ମନମାନୀ ଓ ଅବହେଳା ଯୋଗୁ ଏବେ ଉକ୍ତ ଜେନରେଟରଟି ଖତ ଖାଉଥିବା ଜଣାଯାଇଛି। ଏ ସମ୍ପର୍କରେ ପ୍ରଥମେ ଆପଣଙ୍କଠାରୁ ଅବଗତ ହେଲୁ; ଡାକଘରେ ଥିବା ବିଭିନ୍ନ ସମସ୍ୟା ଉପରେ ତୁରନ୍ତ ପ୍ରତିକାର କରାଯିବ। ବିଶେଷ କରି ଖରାପ ହୋଇପଡ଼ିଥିବା ଜେନେରେଟରଟିକୁ ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି ପୁରୀ ମୁଖ୍ୟ ପୋଷ୍ଟ ଅଫିସ୍‌ର ବରିଷ୍ଠ ଡାକ ଅଧିକ୍ଷକ ଆଦିତ୍ୟ କୁମାର ନାୟକ କହିଛନ୍ତି। ତୁରନ୍ତ ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର