ରଣପୁରରୁ ବାଘ ଛାଲ ଜବତ ଘଟଣା : ସମିତି ସଭ୍ୟ ନିଜେ ବାଘ ଦେହରୁ ଛାଲ ଉତାରିଥିଲେ

ନୟାଗଡ଼ : ବାଘ ଛାଲ କାରବାର କରୁଥିବା ନେଇ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଥିବା ରଣପୁର ବ୍ଲକ୍‌ ବନ୍ଧମୁଣ୍ଡା ପଞ୍ଚାୟତର ସମିତିସଭ୍ୟ ଲକ୍ଷ୍ମୀଧର ନାୟକଙ୍କ ଏହି ବେଆଇନ କାରବାରର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହି କାରବାରରେ କେବଳ ଲକ୍ଷ୍ମୀଧର ନୁହନ୍ତି, ଆହୁରି କିଛି ବ୍ୟକ୍ତି ସାମିଲ ଥିବା ଜଣାଯାଇଛି। ଏପରିକି ଲକ୍ଷ୍ମୀଧର ବାଘକୁ ହତ୍ୟା ପରେ, ତା’ର ଶରୀରରୁ ଛାଲ ଉତାରୁଥିବାର ଏକ ଫଟୋ ଏବେ ପଦାକୁ ଆସିଛି। ଏହି ଫଟୋରେ ଲକ୍ଷ୍ମୀଧର ବାଘ ଶରୀରରୁ ଛାଲ ବାହାର କରୁଥିବାବେ‌ଳେ, ଅନ୍ୟ ଦୁଇ ଜଣ ବ୍ୟକ୍ତି ପାଖରେ ଛିଡ଼ା ହୋଇ ତ‌ାଙ୍କୁ ସହଯୋଗ କରୁଥିବା ଦେଖାଯାଇଛି। ଏହ‌ି ଦୁଇ ବ୍ୟକ୍ତିଙ୍କ ଗୋଡ଼ ଦେଖା ଯାଉଥିବାବେଳେ ମୁହଁ ଫଟୋ‌ରେ କଟିଯାଇଛି। ଏଥି ସହିତ ଫଟୋ ଉଠାଇଥିବା ଜଣେ ବ୍ୟକ୍ତି ମଧ୍ୟ ରହିଥିବା କୁହାଯାଉଛି।

ପ୍ରାଥମିକ ଅବସ୍ଥାରେ ସମିତିସଭ୍ୟ ଶ୍ରୀ ବେହେରାଙ୍କ ସମେତ ଆହୁରି ତିନି ଜଣ ଥିବା ଆକଳନ କରାଯାଉଛି। କ୍ରାଇମବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ପ୍ରଥମେ କିଙ୍ଗ୍‌ପିନ୍‌କୁ ଉଠାଇ ନେଇଥିବା ବେଳେ, ଅନ୍ୟମାନଙ୍କୁ ଧରିବାକୁ ଜାଲ ବିଛାଉଥିବାର ବ୍ୟବସ୍ଥା କରୁଥିବା ଜଣାଯାଇଛି। ଏ ସମସ୍ତ ଘଟଣା ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଅଧୀନ ରଣପୁର ବନାଞ୍ଚଳ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଲକ୍ଷ୍ମୀଧର ଏହି ବାଘକୁ ହତ୍ୟା କରି ତା’ ଦେହରୁ ଛାଲ ବାହାର କରନ୍ତୁ କିମ୍ବା ଅନ୍ୟ କେହି ହତ୍ୟା କଲା ପରେ ତା’ ଦେହରୁ ଲକ୍ଷ୍ମୀଧର ଛାଲ ବାହାର କରନ୍ତୁ; ଘଟଣାଟି ପ୍ରାୟ ତିନିରୁ ଚାରି ମାସ ତଳର। ଠିକ୍‌ ଏହି ସମୟରେ ଅସୁରକୁମାରୀ ଜଙ୍ଗଲରୁ ଅନ୍ୟ ଏକ ବାଘର ମୃତ ଦେହ ଉଦ୍ଧାର କରାଯାଇଥିଲା। ସେତେ‌ବେଳେ ରଣପୁର ବନାଞ୍ଚଳ କର୍ତ୍ତୃପକ୍ଷ ଆମ ଅଞ୍ଚଳରେ ବାଘ ନଥିବା କଥା ସଫେଇ ରଖିଥିଲେ। ଅନ୍ୟ ଅଞ୍ଚଳରୁ କେହି ବାଘ ଆଣି ଏଠ‌ାରେ ହତ୍ୟା କରିଥାଇପାରନ୍ତି ବୋଲି ଇଙ୍ଗିତ କରିଥିଲେ। ଏହି ଦୁଇ ବାଘ ମୃତ୍ୟୁ ଘଟଣାକୁ ବିଚାର କଲେ, ରଣପୁର ବନା‌ଞ୍ଚଳ କର୍ତ୍ତୃପକ୍ଷ ସନ୍ଦିଗ୍ଧଙ୍କୁ ସହଯୋଗ କରୁଥିବା ସନ୍ଦେହ କରାଯାଉଛି। ସମିତି ସଭ୍ୟ ତଥା ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କ ପଞ୍ଚାୟତ ବନ୍ଧମୁଣ୍ଡା ତଥା ଗ୍ରାମ ଜାମୁଗଣ୍ଡ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ। ଏହ‌ା ରଣପୁରର ଏକ ଅଗମ୍ୟ ଜଙ୍ଗଲ ଅଞ୍ଚଳ। ଏଠାରେ ହାତୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ବନ୍ୟଜନ୍ତୁ ବାସ କରିବା ସ୍ବାଭାବିକ ଘଟଣା। ଏହି ପଞ୍ଚାୟତକୁ ପ୍ରବେଶ ନିମନ୍ତେ ଭେଟବର ଡ୍ୟାମ୍‌ ନିକଟରେ ବନ ବିଭାଗର ଚେକ୍‌ପୋଷ୍ଟ ରହିଛି। ଫରେଷ୍ଟ ଗାର୍ଡ, ଫରେଷ୍ଟର୍‌ ଏହି ଅଞ୍ଚଳରେ ନିୟୋଜିତ ଅଛନ୍ତି। ତେଣୁ କିଭଳି ଏଠାରେ ଏକ ବାଘକୁ ହତ୍ୟା କରାଗଲା, ବନ ବିଭାଗ ତାହା ଜାଣିପାରିଲା ନାହିଁ? ଅନ୍ୟ ଅଞ୍ଚଳରୁ ଯଦି କେହି ବାଘ ହତ୍ୟା କରି ରଣପୁର ବନ୍ଧମୁଣ୍ଡା ଅଞ୍ଚଳକୁ ଆଣିଲେ, ଚେକ୍ ପୋଷ୍ଟରେ ନିଯୁକ୍ତ ବନ ବିଭାଗ କର୍ମଚାରୀ କ’ଣ କରୁଥିଲେ? ଏସ୍‌ଟିଏଫ୍‌ ଲକ୍ଷ୍ମୀଧରଙ୍କ ନିକଟରୁ ଦୁଇଟି ବାଘ ଛାଲ ଜବତ କରିବା ପରେ, ଅସୁରକୁମାରୀ ଜଙ୍ଗଲରେ ବାଘ ମୃତ୍ୟୁ ଘଟଣା ସହିତ ତାଙ୍କର ଲିଙ୍କ୍‌ ଥିବା ସ୍ବାଭାବିକ ଭାବେ ଚର୍ଚ୍ଚାର ପରିସରକୁ ଆସିଛି। ଗୋଟିଏ ସପ୍ତାହ ମଧ୍ୟରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ରଣପୁର ଅଞ୍ଚଳରୁ ତିନି ବେପାରୀ ଗିରଫ ହେବା ସହ, ଚାରି ବାଘ ଛାଲ ସମେତ ହରିଣ ଛାଲ, ହାଡ଼ ଆଦି ଜବତ ହେବା ଜିଲ୍ଲାରେ ବନ୍ୟଜନ୍ତୁଙ୍କ ଜୀବନ ଆଶଙ୍କାରେ ଥିବା ସ୍ପଷ୍ଟ କରୁଛି। ଘଟଣାରୁ ଅଞ୍ଚଳରେ ଶିକାରୀ ପଲ ମାତିଥିବା ଜଣାପଡ଼ୁଛି। ପୂର୍ବରୁ ମଧ୍ୟ ନୟାଗଡ଼ରେ ଅନେକ ବାଘ ହତ୍ୟା କରାଯାଇଥିବ, ଏହି ଅଞ୍ଚଳରେ ବେପାରୀ ମାତିଥିବା, ଏହା ସଂପୂର୍ଣ୍ଣ ଭାବେ ବନ ବିଭାଗର ଅପାରଗତା ବୋଲି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଏହି ସମସ୍ତ ଘଟଣାର ତଦନ୍ତ, ସଂପୃକ୍ତ ବନ ବିଭାଗ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର