ରାଇରଙ୍ଗପୁର: ରାଞ୍ଚି-ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ମୟୂରଭଞ୍ଜ ଜିଲ୍ଲା ମଧ୍ୟଦେଇ ଯାଇଥିବା ଏହି ରାଜପଥର ସମୁଦାୟ ୧୦୫ କିମି ମଧ୍ୟରୁ ୧୦କିମି ଏବେ ବିପଜ୍ଜନକ ହୋଇପଡ଼ିଛି। ରାସ୍ତା ମଝିରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇ ବର୍ଷାପାଣି ଜମି ରହୁଛି ଏବଂ ପ୍ରତ୍ୟେକଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ମାସକ ଭିତରେ ୨୧ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୮ ଜଣଙ୍କର ଜୀବନ ଯାଇଛି ଏବଂ ୨୧ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିପଜ୍ଜନକ ୧୦କିମି ରାସ୍ତା ଅତିକ୍ରମ ପାଇଁ ୨ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମରାମତି ଦିଗରେ କେନ୍ଦ୍ର ସରକାରଙ୍କୁ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ସରକାର ଚିଠି ଲେଖିଛନ୍ତି। ହେଲେ, ଫଳ ଶୂନ।

Advertisment

ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଯଶିପୁରରୁ ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥକୁ ସଂଯୋଗ କରିଛି। ଯଶିପୁର, ରାଇରଙ୍ଗପୁର ସହର, ବହଳଦା, ତିରିଂ ସମେତ ଝାଡ଼ଖଣ୍ଡର ବାଲିଡ଼ିହି, ରସୁଣଚୋପା, ହଳଦୀପୋଖରୀ ଦେଇ ଜାମସେଦପୁର ଟାଟାରେ ମିଶିଛି। ଏହାରି ମଧ୍ୟଦେଇ ପ୍ରତ୍ୟେହ ସୁକିନ୍ଦା, କଳିଙ୍ଗନଗର ଡୁବୁରି, ଶୁଆକାଟି, ଯୋଡ଼ା, ବଡ଼ବିଲ ଖଣି, ବାଦାମପାହାଡ଼ ଲୁହାପଥର ଖଣି ଅଂଚଳରୁ ଶହଶହ ଲୁହାପଥର ବୋଝେଇ ଟ୍ରକ, ଭାରୀଯାନ ଚଳାଚଳ କରୁଛି। ହେଲେ, ଝାଡ଼ଖଣ୍ତ ପୂର୍ବ ସିଂହଭୂମ ଜିଲ୍ଲାର ହଳଦୀପୋଖରୀଠାରୁ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ୍‌ଠାରୁ ମାତ୍ର ୫୦୦ ମିଟର ଦୂର ଓଡ଼ିଶା-ଝାଡ଼ଖଣ୍ତ ସୀମାଠାରୁ ଜାତୀୟ ରାଜପଥର ଅବସ୍ଥା ବେହାଲ ହୋଇପଡ଼ିଛି।

ସୂଚନା ଅନୁସାରେ,ଝାଡ଼ଖଣ୍ଡ ସୀମା ବାଲିଡ଼ିହି ଗ୍ରାମରୁ ୭ କିମି ରସୁଣଚୋପା ଗାଁ ଯାଏ ରାସ୍ତାରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଲମ୍ବା ରାସ୍ତା ପାରି ହେବାପାଇଁ ଦେଢ଼ରୁ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗୁଛି। ଖାଲରେ ଚାରିଚକିଆ ଯାନ ଛୋଟ କାର୍ ଏବଂ ଟ୍ରକ୍, ଟ୍ରାକ୍ଟର ଓଲଟି ଦୁର୍ଘଟଣା ଘଟୁଛି। ବର୍ତ୍ତମାନ ବର୍ଷାଋତୁ ଥିବାରୁ ଖାଲରେ ସବୁସମୟରେ ପାଣି ଜମି ରହୁଛି। ଚାଳକ ଭ୍ରମରେ ପଡ଼ି ଦୁର୍ଘଟଣା ଘଟାଉଛନ୍ତି। ବିଶେଷକରି ଅନ୍ଧାରରେ ବାଇକ୍‌ ଓ କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଲୋକଙ୍କ ଜୀବନ ଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଉଭୟ ଓଡ଼ିଶା ଓ ଝାଡ଼ଖଣ୍ତ ସରକାର କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାସ୍ତା ମରାମତି ନେଇ ଚିଠି କରିଥିଲେ ମଧ୍ୟ ୩ ବର୍ଷରୁ ଊର୍ଦ୍ଧ୍ବ ହେବ ରାସ୍ତାର ଭାଗ୍ୟ ବଦଳୁନି। ଏଣୁ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ସରକାର ଏଥିପ୍ରତି ଯତ୍ନବାନ ହେବାସହ ଯଥାଶୀଘ୍ର ରାସ୍ତା ମରାମତି ପାଇଁ ଜାତୀୟ ରାଜପଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।