ରେଳପଥ ପାର୍ଶ୍ଵ ରାସ୍ତା ଦେଖାଉଛି ଗାଁକୁ ଫେରିବାର ବାଟ, ଭୋକିଲା ପେଟରେ ବିଜୟୱାଡାରୁ ରାଞ୍ଚି ଅଭିମୁଖେ ଶ୍ରମିକ

ରାୟଗଡ଼ା: କରୋନା ଭାଇରସ ପାଇଁ ସମଗ୍ର ଭାରତରେ ୨୧ ଦିନିଆ ଲକଡାଉନ ଘୋଷଣା ହେବା ପରେ ବସ୍ ଗଡ଼ୁନି କି ଟ୍ରେନ୍ ବି ଚାଲୁନି। ତାଲା ବନ୍ଦ ଯୋଗୁ ରେଳପଥ ପାର୍ଶ୍ଵ ରାସ୍ତା ପାଲଟିଛି ଗାଁକୁ ଫେରିବାର ଏକମାତ୍ର ଠିକଣା। ଭୋକିଲା ପେଟରେ, କାନ୍ଧରେ ଜୀବନ ଜୀବିକାର ବୋଝ ବୋହି ଚାଲି ଚାଲି ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଝାଡ଼ଖଣ୍ଡର ରାଞ୍ଚ ଅଭିମୁଖେ ବାହାରିଛନ୍ତି ୧୦ ଶ୍ରମିକ। ଦୟନୀୟ ଅବସ୍ଥାରେ ଶ୍ରମିକମାନେ ରାୟଗଡ଼ା ଜିଲ୍ଲା ସିଙ୍ଗାପୁରରୋଡ୍ ଷ୍ଟେସନରେ ପହଞ୍ଚିବା ଖବର ପାଇ ଜିଲ୍ଲା ପୁଲିସ୍, ପ୍ରଶାସନ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଗୃହାବଦ୍ଧରେ ରଖିବା ସହ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିଛି।

ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର କୁଲଦୀପ ଶର୍ମା, ଶର୍ବଣ କୁମାର, ବିକାଶ କୁମାର, ଅଖିଲେଶ ଅନସାରୀଙ୍କ ସମେତ ୩୦ରୁ ଉର୍ଧ୍ବ ଶ୍ରମିକ ଆନ୍ଧ୍ରପ୍ରଦେଶର ନେଲୁରୁ ଜିଲ୍ଲାରେ ଟିଟିଏଲ୍ ନାମକ ଘରୋଇ କଂପାନିରେ କାର୍ଯ୍ୟରତ ଥିଲେ। ରେଲୱେ ଲାଇନ୍ ବିଛାଇବା କାମରେ ସମସ୍ତ ଶ୍ରମିକ ନିୟୋଜିତ ହୋଇଥିଲେ। କରୋନା ମୁକାବିଲା ପାଇଁ ଭାରତ ୨୧ ଦିନ ଲାଗି ଲକଡାଉନ୍ ଘୋଷଣା ହେବା ପରେ ଶ୍ରମିକଙ୍କୁ ଘରକୁ ଫେରି ଯିବାକୁ କଂପାନି କହିଥିଲା। କିନ୍ତୁ ମଜୁରି ବାବଦ ଟଙ୍କା ମିଳିନଥିବାରୁ ଶ୍ରମିକମାନେ ସୁପରଭାଇଜରଙ୍କୁ ଚାହିଁ ବସିଥିଲେ। ଶେଷ ମୁହୂର୍ତରେ ସୁପରଭାଇଜର୍ ମୋବାଇଲ୍ ସୁଇଚ୍ ଅଫ୍ କରିଦେବା ପରେ ଶ୍ରମିକମାନେ ନିରୁପାୟ ହୋଇ ପଡ଼ିଥିଲେ। ଦୋକାନ, ବଜାର ବନ୍ଦ ଯୋଗୁ ଖାଇବା ତ ଦୂରର କଥା ଚାହା କପେ ମିଳୁନଥିବାରୁ ଘରକୁ ଫେରିବା ପାଇଁ ନିଷ୍ପତ୍ତି କରିଥିଲେ। ଗାଡ଼ିର କୌଣସି ବ୍ୟବସ୍ଥା ନଥିବା ବେଳେ ବିଜୟୱାଡାରୁ ରାଞ୍ଚି ସଡ଼କ ପଥ ସଂପର୍କରେ ମଧ୍ୟ ଶ୍ରମିକମାନେ ଅଜ୍ଞ ଥିବାରୁ ରେଳପଥ ପାର୍ଶ୍ବ ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ।

ବିଜୟୱାଡାରୁ ରାଞ୍ଚି ରେଳପଥରେ ୧୨୦୦ କିମି ଦୂରତା ହୋଇଥିବା ସତ୍ତ୍ବେ ଶ୍ରମିକମାନେ ନିଜ ବ୍ୟାଗପତ୍ରକୁ ଧରି ଡହ ଡହ ଖରାରେ ଚାଲୁଥିଲେ। ୬ ଦିନର ଚାଲିବା ପରେ ଗତକାଲି ରାତିରେ ଶ୍ରମିକମାନେ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିଥିଲେ। କିଛି ସମୟର ବିଶ୍ରାମ ପରେ ରାତି ୩ଟାରେ ପୁଣି ଚାଲିବା ଆରମ୍ଭ କରିଥିଲେ। ରେଲୱେ ପୁଲିସ୍ ଶ୍ରମିକଙ୍କ ସଂପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲା। ସକାଳେ ସିଙ୍ଗାପୁର ରୋଡ୍ ଷ୍ଟେସନ ନିକଟରେ ପୁଲିସ୍, ପ୍ରଶାସନ ଶ୍ରମିକଙ୍କୁ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ନେଇଥିଲେ। ସେଠାରେ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଶ୍ରମିକ ୧୪ ଦିନ ସଙ୍ଗରୋଧରେ ରହିବା ପରେ ଘରକୁ ଛଡ଼ାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧିତ ଖବର