ପ୍ରକାଶିତ ଖବର ନେଇ ଯୋଗାଣ ମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁ ସାରା ଦେଶ ସମେତ ରାଜ୍ୟରେ ଲକ୍‌ ଡାଉନ୍ ଜାରି ରହିଥିଲା ବେଳେ ଜନସାଧାରଣଙ୍କ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଏ ସମ୍ପର୍କରେ ଟୁଇଟର୍‌, ଟେଲିଫୋନ୍, ସମ୍ବାଦପତ୍ର ମାଧ୍ୟମରେ ଅଭିଯୋଗ ମିଳୁଛି। ଏହି ଅଭିଯୋଗକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଖାଦ୍ୟ ଯୋାଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ‌

ଯୋଗାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାର ସରିଗଣ୍ଡା ପଞ୍ଚାୟତର କାମସର ଗ୍ରାମର ବୃଦ୍ଧା ବାଲି ଜାନି ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଓ ଏକ ହଜାର ଟଙ୍କା ପାଇ ନ ଥିବା ସମ୍ପର୍କରେ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା। ଏହା ଜାଣି ମନ୍ତ୍ରୀ ଶ୍ରୀ ସ୍ବାଇଁ ତୁରନ୍ତ ଏ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୟାଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଦଶପଲ୍ଲାର ଏମ୍‌ଆଇ ବାଲି ଜାନିଙ୍କ ଘରକୁ ଯାଇ ତାଙ୍କୁ ତିନି ମାସର ଚାଉଳ ୩୦ କେଜି ଓ ନଗଦ ରିଲିଫ୍ ଆକାରରେ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ଝୁମ୍ପୁରା ପଞ୍ଚାୟତର ବିଷ୍ଣୁପୁରର ସୁନିତା ମୁଣ୍ଡା ରାସନ୍ କାର୍ଡରେ ଖାଦ୍ୟ ସାମଗ୍ରୀ ପାଇ ନ ଥିବା ଖବରକାଗଜରେ ପ୍ରକାଶିତ ସମ୍ବାଦ ଅନୁସାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ଟୁଇଟ୍‌ ଯୋଗେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସୁନିତାଙ୍କୁ ତୁରନ୍ତ ୩୦ କେଜି ଚାଉଳ ଯୋଗାଇ ଦିଆଯାଇଥିଲା। ଭୁବନେଶ୍ବରର ସାଲିଆ ସାହି ଅଞ୍ଚଳର ଝିଲି ସାହୁ ୩ ମାସର ଆଗୁଆ ରାସନ୍ ସାମଗ୍ରୀ ପାଇ ନ ଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହା ପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ବିଭାଗୀୟ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେହିଦିନ ଝିଲି ସାହୁଙ୍କୁ ତାଙ୍କ ପ୍ରାପ୍ୟ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର