‘କରୋନା ଟିକା’ ପ୍ରସଙ୍ଗରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର: ବାଲେଶ୍ୱର ଉପନିର୍ବାଚନ ପାଇଁ ଗତକାଲି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜୋରଦାର ପ୍ରଚାର କରିଥିଲେ । ଏହି ପ୍ରଚାର ବେଳେ ଏହି ବିଜେପି ନେତାମାନେ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡି ସରକାର ଉପରେ ଖୁବ୍ ବର୍ଷିଥିଲେ । ଏଥିରେ ମୁଖ୍ୟ ଥିଲା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିବାଦୀୟ ବୟାନ । ଏକ ଗଣମାଧ୍ୟମକୁ ଶ୍ରୀ ସ୍ୱାଇଁ କହିଥିଲେ ଯେ ବାଲେଶ୍ୱର ସଦର ଲୋକଙ୍କ ପାଇଁ ଭଗବାନ ସୁଯୋଗ ଦେଇଛନ୍ତି । ଏହା ଯେ ତାଙ୍କ ପାଇଁ ବୁମେରାଂ ହେବ ସେକଥା ସେ ଜାଣିନଥିଲେ । ଗତକାଲି ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏହାକୁ ପ୍ରସଙ୍ଗ କରି ବିଜେଡି ଉପରେ ଜୋରଦାର ବର୍ଷିଥିଲେ।

ଏହି ପ୍ରସଙ୍ଗକୁ ନେଇ ରାଜନୀତି ଥମି ନ ଥିବା ବେଳେ ଆଜି କରୋନା ଟିକାକୁ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁଣିଥରେ ବିଜେପି ଉପରେ ବର୍ଷିଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି କି ଯଦି ବିହାର ନିର୍ବାଚନ ବେଳେ ବିଜେପି ବିହାରବାସୀଙ୍କ ପାଇଁ ମାଗଣା କରୋନା ଟିକା ଦେବାକୁ ଘୋଷଣା କରିପାରୁଛି, ତେବେ ଓଡ଼ିଶା ଲୋକଙ୍କ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ମାଗଣା ଟିକା ଦେବାକୁ କାହିଁକି ଘୋଷଣା କରୁନାହାନ୍ତି।

ଏତିକିରେ କଥା ସାରି ନାହାନ୍ତି ଶ୍ରୀ ସ୍ୱାଇଁ। ବିଜେପିକୁ ଘେରିବାକୁ ଯାଇ ସେ ଆହୁରି କହିଛନ୍ତି କି ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖନ୍ତୁ ,ନହେଲେ ଏହା କେବଳ ଏକ ନିର୍ବାଚନୀ ଜୁମଲା ବୋଲି ଲୋକେ ଭାବିବେ। ଓଡ଼ିଶାରେ କରୋନା ଟିକାକରଣ ପାଇଁ ବିଜେପି ତା’ର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର