ଭୁବନେଶ୍ବର: ମନ୍ତ୍ରୀମାନେ କହୁଛନ୍ତି ଆମ୍ବଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ। ଏହା ପୁଷ୍ଟିକର। ଯଦି ଏହା ସତ, ତେବେ ଯୋଗାଣ ମନ୍ତ୍ରୀ ଆମ୍ବଟାକୁଆ ଜାଉ କରି ବିଧାନସଭାରେ ସମସ୍ତଙ୍କୁ ପରଷି ଦିଅନ୍ତୁ। ସେ ନିଜେ ଖାଆନ୍ତୁ ଓ ଆମକୁ ଦିଅନ୍ତୁ। ଏହା କେତେ ପୁଷ୍ଟିକର ଦେଖାଯିବ। ଆଜି ବିଧାନସଭାରେ ସରକାରଙ୍କୁ ଏମିତି ଚ୍ୟାଲେଞ୍ଜ ଦେଇଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏ ସଂକ୍ରାନ୍ତରେ ଆସିଥିବା ମୁଲତବୀ ଆଲୋଚନା ଆରମ୍ଭ କରି ଶ୍ରୀ ସ୍ବାଇଁ କହିଲେ, ଏ ସରକାର ଆଦିବାସୀଙ୍କ ପାଖରେ ଚାଉଳ ପହଞ୍ଚାଇବାରେ ବିଫଳ ହୋଇଥିଲେ। ସେହି ସମୟରେ ଆଦିବାସୀଙ୍କ ପାଖରେ ଖାଦ୍ୟ ନଥିଲା। ସେମାନେ ବାଧ୍ୟ ହୋଇ ଅଖାଦ୍ୟ ଖାଇଥିଲେ। ସରକାର ସେମାନଙ୍କୁ ହତ୍ୟା କରିଛନ୍ତି। ଅପାରଗ ସରକାର ଠିକ୍ ଭାବେ କାର୍ଯ୍ୟ କରିପାରୁ ନାହାନ୍ତି। ଇ-କେୱାସି ପାଇଁ ଚାଉଳ ଯୋଗାଣ ବ୍ୟାହତ ହୋଇଛି। ଗୋଟିଏ ମିଛ ଘୋଡ଼ାଇବାକୁ ସରକାର କେତେ ମିଛ କହୁଛନ୍ତି? କ୍ଷୁଧା ଦୂର କରିବା ପାଇଁ ସତ କହିବାକୁ ପଡ଼ିବ। ମନ୍ତ୍ରୀ ସ୍ବୀକାର କରନ୍ତୁ ଯେ ତାଙ୍କ ଭୁଲ୍ ଯୋଗୁ ଏମିତି ଦୁଃଖଦ ଘଟଣା ଘଟିଲା। ସେହି ଜିଲ୍ଲାରେ ଯଥେଷ୍ଟ ଚାଷ ଜମି ନାହିଁ। ଯେତିକି ଅଛି, ତାହା ଆଶାନୁରୂପ ଉତ୍ପାଦନକ୍ଷମ ନୁହେଁ। ସେଠି ୧୦୦ ଦିନର କାମ ବି ଦେଇ ପାରୁନାହାନ୍ତି। ଜୀବିକା ପାଇଁ ବିକଳ୍ପ କ’ଣ କରିଛ କୁହ?

Advertisment

ବିଧାୟକ ବ୍ୟୋମକେଶ ରାୟ କହିଲେ, ଯୋଗାଣ ମନ୍ତ୍ରୀ ଆରମ୍ଭରୁ କହୁଛନ୍ତି ଯେ ମାଣ୍ଡିପଙ୍କା ଗ୍ରାମରେ ଚାଉଳ ଦିଆଯାଇଥିଲା। ସେଠାରେ ପର୍ଯ୍ୟାପ୍ତ ଚାଉଳ ଥିଲା। କିନ୍ତୁ ନଭେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ତିନି ମାସର ଚାଉଳ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଲେ କାହିଁକି? ମୁଖ୍ୟମନ୍ତ୍ରୀ ସତ ଜାଣିପାରି ଏହି ନିର୍ଦ୍ଦେଶ ଦେଇଥିଲେ। କାରଣ ସେତେବେଳକୁ ଚାଉଳ ଲୋକଙ୍କ ପାଖରେ ପହଞ୍ଚି ନଥିଲା। ଯୋଗାଣ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଆମ୍ବଟାକୁଆକୁ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିବେ କି ଏହା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି। ଆମେ ତ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଖାଦ୍ୟ ଥାଳିରେ ଆମ୍ବଟାକୁଆ ଜାଉ ଦେଖି ନାହୁଁ। ଏହା ଏକ ଗୁରୁତର ଘଟଣା ହୋଇଥିଲେ ବି ମନ୍ତ୍ରୀମାନଙ୍କର ପାଦ ସେହି ଗାଁରେ କାହିଁକି ପଡ଼ିଲା ନାହିଁ? 

କଂଗ୍ରେସ ସଭ୍ୟ ସି ଏସ୍ ରାଜନ ଏକ୍କା କହିଲେ, ୨୦୦୧ ମସିହାରେ କାଶୀପୁରରେ ଆମ୍ବଟାକୁଆ ଖାଇ ଆଦିବାସୀଙ୍କ ଜୀବନ ଯାଇଥିଲା। ସେତେବେଳେ ଦୁଇ ଦଳ ବିଜେଡି ଓ ବିଜେପି ସରକାରରେ ଥିଲେ। କିନ୍ତୁ କିଛି ଶିକ୍ଷା ଗ୍ରହଣ କଲେନାହିଁ। ଆମ୍ବଟାକୁଆ କଦାପି ଆଦିବାସୀଙ୍କର ପାରମ୍ପରିକ ଖାଦ୍ୟ ନୁହେଁ। ଘଟଣାସ୍ଥଳକୁ କୌଣସି ମନ୍ତ୍ରୀ ନ ଯିବା ନିଶ୍ଚିତ ଚିନ୍ତାଜନକ। ଏବେ ଡବଲ୍ ଇଞ୍ଜିନ ସରକାରରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେଉ। କଂଗ୍ରେସ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କହିଲେ, ମୋ ନିର୍ବାଚନମଣ୍ଡଳୀରେ ଏହି ଘଟଣା ଘଟିଛି। ସେମାନେ ଖାଦ୍ୟ ଅଭାବ ଯୋଗୁ ଆମ୍ବଟାକୁଆ ଜାଉ ଖାଇଛନ୍ତି। ଏହା କଦାପି ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ। ସେଠାରେ ଚାଷ ଜମି କମ୍। ପାହାଡ଼ ଅଧିକ। ତେଣୁ ବହୁ ସମୟରେ ସେମାନଙ୍କ ପାଖରେ ଖାଦ୍ୟର ଅଭାବ ଥାଏ। ଚାଷ ନ ଥିବା ସମୟରେ ୪/୫ ମାସ ସେମାନଙ୍କୁ ଅଧିକ ଚାଉଳ ଦେବାକୁ ଶ୍ରୀ ପ୍ରଧାନ ଦାବି କରିଥିଲେ। 

ଶାସକ ଦଳର ସଭ୍ୟମାନେ ବିରୋଧୀ ଦଳର ଅଭିଯୋଗର ଜବାବ ରଖିଥିଲେ। କିନ୍ତୁ ବିରୋଧୀ କରିଥିବା ଅଭିଯୋଗର ନିର୍ଦ୍ଦିଷ୍ଟ ଜବାବ ନ ରଖି ପୂର୍ବ ପରି ବିଜେଡି ସରକାରର ୨୪ ବର୍ଷର ବିଫଳତା ବଖାଣିଥିଲେ। ସେମାନେ କହିଥିଲେ, ବିଜେଡି ସରକାର ସମୟରେ ଶିଶୁ ଅପପୁଷ୍ଟି ବଢ଼ିଥିଲା। ୨୦୧୬ରେ ନଗଡ଼ାର ଚିତ୍ର ସାରା ବିଶ୍ବ ଦେଖିଥିଲା। କେନ୍ଦୁଝରର ତେଲକୋଇ, ସୁନ୍ଦରଗଡ଼ର କୋଇଡ଼ାରୁ ବି ଲଜ୍ଜାଜନକ ଚିତ୍ର ଆସିଥିଲା। ବିଜେଡି ସରକାର ସମୟରେ କାଶୀପୁରରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହୋଇଥିଲା। କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର। ସରକାର ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି। ଆମ୍ବଟାକୁଆ କିଛି ଅଞ୍ଚଳରେ ଲୋକଙ୍କ ଖାଦ୍ୟ। କିନ୍ତୁ ତାହାକୁ ଠିକ୍ ଭାବେ ସଂରକ୍ଷଣ ନକଲେ ବିଷାକ୍ତ ହୋଇଥାଏ। ତାହାକୁ ଅଧିକ ଖାଇବା ଦ୍ବାରା ବି ଅସୁବିଧା ହୋଇଥାଇପାରେ। ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ ନ କରନ୍ତୁ। ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ, ଅଶୋକ ମହାନ୍ତି, ସନ୍ତୋଷ ଖଟୁଆ ଓ ଈରାଶିଷ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇଥିଲେ।