ଜିଲ୍ଲାର ବିଧ‌ାୟକଙ୍କ ସଂଖ୍ୟା ଜାଣିନାହାନ୍ତି ଅଧିକାରୀ, ମନ୍ତ୍ରୀଙ୍କ ପ୍ରଶ୍ନରେ ଥତମତ

ଛତ୍ରପୁର : ରାଜ୍ୟ ଖାଉଟି ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଛତ୍ରପୁର ସର୍କିଟ ହାଉସ୍‌ରେ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ କେତୋଟି ସାଧାରଣ ପ୍ରଶ୍ନରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ହଡ଼‌ବଡ଼େଇ ଯିବା ଓ ଇଆଡୁସିଆଡୁ ଉତ୍ତର ଦେବା ଘଟଣାରେ ମନ୍ତ୍ରୀ ଯେତିକି ବ୍ୟଥିତ ସେତିକି ଚକିତ ମଧ୍ୟ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନ ଅନୁସାରେ, ମନ୍ତ୍ରୀ ଶ୍ରୀ ସ୍ବାଇଁ ଗଞ୍ଜାମ ଜିଲ୍ଲାରୁ କେ‌ତେଜଣ ବିଧାୟକ ପ୍ରତିନିଧିତ୍ବ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ(ସିଏସ୍ଓ) ବିଷ୍ଣୁ ପ୍ରସାଦ ସୁପକାର ୯ ଜଣ ବୋଲି କହିଥିଲେ। ସେହିପରି ସମବାୟ ଉପନିବନ୍ଧକ ବିଶ୍ବରଞ୍ଜନ ଦାଶ ଏବଂ ସହକାରୀ ଉପନିବନ୍ଧକ ଆର୍.ସିଏଚ୍.ରେଡ୍ଡି ଜିଲ୍ଲାର ବିଧାୟକ ସଂଖ୍ୟା କେତେ କହି ନ ପାରି ଚୁପ୍ ରହିଲେ। ଗଞ୍ଜାମରେ ୨ବର୍ଷ ହେଲା କାର୍ଯ୍ୟ କରୁଥିବା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଏତାଦୃଶ ଉତ୍ତର ଶୁଣି ସେଠାରେ ଉପସ୍ଥିତ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମଧ୍ୟ ବିସ୍ମିତ ହୋଇଥିଲେ। ମନ୍ତ୍ରୀ ମଧ୍ୟ ବିରକ୍ତ ହୋଇ ‘ଛେଳି ଗୋଡ଼ରେ ଧାନ ମକଚିଲେ ବଳଦ ଯିବ କୁଆଡ଼େ’ ବୋଲି ତାଚ୍ଛଲ୍ୟ କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ବିଭାଗୀୟ ସମୀକ୍ଷା କରିବା ସହ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଜିଲ୍ଲାର ବିଧାୟକଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ସପ୍ତାହକ ଭିତରେ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ଉତ୍ସାହଜନକ ନ ହେଲେ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ତାଗିଦ୍‌ କରିଥିଲେ।

ସମ୍ବନ୍ଧିତ ଖବର