ଭୁବନେଶ୍ବର: ଗୁରୁବାର ବିଧାନସଭାରେ ଲକ୍ଷ୍ମୀ ବସ୍ ପ୍ରସଙ୍ଗ ଉଠିଥିଲା। ଲକ୍ଷ୍ମୀ ବସ୍‌କୁ ନେଇ ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଥିଲେ। ଲକ୍ଷ୍ମୀ ବସ୍‌ର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କଣ? ଏହାଦ୍ୱାରା ସରକାର କି ପ୍ରକାର ଲାଭ ପାଉଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଥିଲେ।

Advertisment

ଏହି ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ରାଜ୍ୟରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଇଥିଲା । ଆଉ ପରେ ପରେ ଏହା ଅନ୍ୟ ଜିଲ୍ଲାକୁ ଆରମ୍ଭ ହେଇଥିଲା । ତେବେ ରଙ୍ଗ ପରିବର୍ତ୍ତନକୁ ନେଇ ମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ବସ୍‌ରେ କୌଣସି ରଙ୍ଗ ଲାଗି ନ ଥିଲା, କେବଳ ଷ୍ଟିକରିଂ କରାଯାଇଥିଲା ।

ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ଲକ୍ଷ୍ମୀ ବସ୍‌ଗୁଡିକରେ ଲାଗିଥିବା କିଛି ଷ୍ଟିକର ଏକ ରାଜନୈତିକ ଦଳର ଚିହ୍ନ ସହ ମେଳ ଖାଉଥିବାରୁ ସେଗୁଡିକୁ ହଟାଯାଇଥିଲା ।

ଏଥିସହ କିଛି ବସ୍ ଅସୁନ୍ଦର ଦେଖାଯାଉଥିବାରୁ, ଆଦର୍ଶ ଆଚରଣ ବିଧିର ଅବଧି ଶେଷ ହେବା ପରେ ସେଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପରିବହନ ନିଗମ ପାଖରେ ଥିବା ପୁରୁଣା ରଙ୍ଗକୁ ଉପଯୋଗ କରାଯାଇଥିଲା ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।