‘ରଙ୍ଗବତୀ’ର ସଂଗୀତକାର ପ୍ରଭୁଦତ୍ତଙ୍କ ପରଲୋକ : ସଜେଇଥିଲେ ୩୦୦ରୁ ଊର୍ଦ୍ଧ୍ୱ ଲୋକପ୍ରିୟ ଗୀତର ସ୍ୱର; ଶୋକରେ ଡୁବିଲା କଳାଜଗତ, ଆଜି ଶେଷକୃତ୍ୟ

ସମ୍ବଲପୁର : କାଳଜୟୀ ଗୀତ ‘ରଙ୍ଗବତୀ’ର ସଂଗୀତକାର ତଥା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ସଂଗୀତଜ୍ଞ ପ୍ରଭୁଦତ୍ତ ପ୍ରଧାନ ଆଉ ନାହାନ୍ତି। କଥା କଥାରେ ହସି ହସାଇ ଲୋକଙ୍କ ହୃଦୟକୁ ଜିତି ନେଉଥିବା, ‘ଡାଲଖାଇରେ.’ ଠାରୁ ଆରମ୍ଭ କରି ‘ଲେ ଲେ ଲେ ବଉଲ’ ଓ ରଙ୍ଗବତୀ ଭଳି ଭଳି ୩୦୦ରୁ ଅଧିକ ଅତ୍ୟନ୍ତ ଲୋକପ୍ରିୟ ଗୀତର ସ୍ୱର ସଂଯୋଜନା କରିଥିବା ଏହି କିମ୍ବଦନ୍ତୀ କଳାକାର ୭୪ ବର୍ଷ ବୟସରେ ସୋମବାର ଭୋର୍‌ ସାଢ଼େ ୪ଟାରେ ବାହୁଡ଼ି ଯାଇଛନ୍ତି ତାଙ୍କ ପ୍ରିୟ ପରମପିତା ପ୍ରଭୁଙ୍କ ନିକଟକୁ। ତାଙ୍କର ଏଭଳି ବିୟୋଗ ଖବର ସମଗ୍ର ପଶ୍ଚିମ ଓଡ଼ିଶାର କଳାଜଗତକୁ ସ୍ତବ୍ଧ କରି ଦେଇଛି, ଶୋକରେ ଡୁବାଇ ଦେଇଛି। ଅଂଚଳର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ‘ରଂଗବତୀ’ର ଚାରିଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ସ୍ତମ୍ଭ ଥିଲେ ସେ। ତାଙ୍କ ବିୟୋଗରେ କଳାଜଗତର ଅପୂରଣୀୟ କ୍ଷତି ଘଟିଛି ବୋଲି ମତପ୍ରକାଶ ପାଇଛି। ମଂଗଳବାର ସକାଳ ୯ଟାରେ ଖ୍ରୀଷ୍ଟୀୟ ରୀତିନୀତିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରହୁଥିବା ପ୍ରଭୁଦତ୍ତ ପ୍ରଧାନ କିଛି ଦିନ ହେଲା ମଧୁମେହରେ ପୀଡ଼ିତ ଥିଲେ। ଅସୁସ୍ଥତା ଯୋଗୁଁ ୨ ଦିନ ତଳେ ତାଙ୍କୁ ଏକ ସ୍ଥାନୀୟ ନର୍ସିଂହୋମ୍‌ରେ ଭର୍ତି କରାଯାଇଥିଲା। ସୋମବାର ଭୋର୍‌ ସାଢ଼େ ୪ଟାରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଆରତୀ, ଦୁଇ ପୁଅ ଆଶିଷ ଓ ଅସୀମ ଏବଂ ପରିବାରର ଅନ୍ୟ ସଦସ୍ୟବର୍ଗ ଉପସ୍ଥିତ ଥିଲେ।

ପ୍ରଭୁଦତ୍ତଙ୍କ ବିୟୋଗ ଖବର ପ୍ରଚାରିତ ହେବା ମାତ୍ରେ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଲୋକଙ୍କ ସୁଅ ଛୁଟିଥିଲା। ‘ରଂଗବତୀ’ ଗୀତର ଦୁଇ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲ, ଗୀତିକାର ମିତ୍ରଭାନୁ ଗୌନ୍ତିଆ, କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ, ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ଡ.ପ୍ରମୋଦ ରଥ, ଦୁର୍ଗା ଦାଶ, କୃଷ୍ଣଚନ୍ଦ୍ର ବାଗଙ୍କ ସମେତ ବହୁ କଳାକାର, ତାଙ୍କ ବହୁ ଶିଷ୍ୟଶିଷ୍ୟା ଏବଂ ସହରର ବିଭିନ୍ନ ବର୍ଗର ଲୋକେ ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ସମଗ୍ର ରାଜ୍ୟ ତଥା ଦେଶବିଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ‘ରଙ୍ଗବତୀ’ ଗୀତର ସ୍ୱର ସଂଯୋଜକ ପ୍ରଭୁଦତ୍ତ ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି।

ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ପ୍ରଧାନଙ୍କୁ ଜଣେ ପ୍ରତିଭାବାନ ସଙ୍ଗୀତ ନିର୍ଦେଶକ ଭାବେ ବର୍ଣ୍ଣନା କରିଛନ୍ତି। ସାରା ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ‘ରଙ୍ଗବତୀ’ ଗୀତର ବିପୁଳ ଲୋକପ୍ରିୟତା ତାଙ୍କ ସାଙ୍ଗିତିକ ପ୍ରତିଭାବର ପରିଚୟ ବହନ କରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପ୍ରଧାନ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର