‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ପ୍ରଶାସନ ଉଦ୍ୟମ କରୁଥିବା ବେଳେ ବିରୋଧ କଲେ ସରପଞ୍ଚ ଓ ତାଙ୍କର ସମର୍ଥକ

ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ ମାମଲା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍‌ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳ(୩୪)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରୁଥିବା ବେଳେ ଘଟଣାସ୍ଥଳରେ ଏହାକୁ ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ବିରୋଧ କରିଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳେ  ‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ପହଞ୍ଚିଥିଲେ। ଏହା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ରୂପେଶ ଭଦ୍ରଙ୍କ ସ୍ତ୍ରୀ ତଥା ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ଏହାକୁ ବିରୋଧ କରିଥିଲେ।  ସୂଚନାଯୋଗ୍ୟ, ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ୍ ହାଉସ୍ ମାଲିକ ରୂପେଶଙ୍କୁ ଗିରଫ କରାଯାଇଥିଲା ।

ତେବେ ସ୍ୱାମୀ ରୂପେଶଙ୍କୁ ଗିରଫ କରାଯିବା ପରେ ସରପଞ୍ଚ ମଧୁସ୍ମିତା ଭଦ୍ର ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍‌ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଥିଲେ, ମୋ ସ୍ୱାମୀ ଜଣେ ଭଲ ମଣିଷ। ସେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରି ଥାଆନ୍ତି, କାହାରି ଦୁଃଖ ସେ ଦେଖି ପାରନ୍ତି ନାହିଁ। ସ୍ମିତାରାଣୀଙ୍କ ପରିବାର ସହିତ ଆମ ପରିବାରର ଭଲ ସମ୍ପର୍କ ଥିଲା। ଅନେକ ସମୟରେ ଆମେ ସାଙ୍ଗ ହୋଇ ବୁଲାବୁଲି କରିବାକୁ ଯାଉ। ସ୍ମିତାରାଣୀଙ୍କ ଶାଶୁଘର ସହ ଭଲ ସମ୍ପର୍କ ନଥିଲ। ତେଣୁ ସ୍ମିତାର ବାପାଭାଇଙ୍କ ଅନୁରୋଧ କ୍ରମେ ଆମେ ତାଙ୍କୁ ସାହାଯ୍ୟ କରୁ। ସ୍ମିତାରାଣୀକୁ ମୋ ସ୍ୱାମୀ ସାହାଯ୍ୟ କରିବାକୁ ଯାଇ ଫସି ଯାଇଛନ୍ତି। କାରଣ ମୋ ସ୍ୱାମୀଙ୍କ ଉପରେ ତାଙ୍କର ଆଖି ଥିଲା। ତେଣୁ ସେ ମୋ ସ୍ୱାମୀକୁ ଫସାଇ ଦେଇଛି। ମୋ ସ୍ୱାମୀ ସମ୍ପୂର୍ଣ୍ଣ ନିର୍ଦୋଷ।’

ଅନ୍ୟପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍ ପି ଚରଣ ସିଂହ ମୀନା କହିଥିଲେ, ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ୱାମୀ ରୂପେଶଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୧୬ ତାରିଖରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ମିତାରାଣୀ ମଧ୍ୟାହ୍ନରେ ରୂପେଶଙ୍କ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା ପାଇଁ ରୂପେଶ ମଧ୍ୟ ତାଙ୍କୁ ପ୍ରବର୍ତ୍ତାଇଥିଲେ।

ସମ୍ବନ୍ଧିତ ଖବର