ରଚୟିତାଙ୍କ ଜନ୍ମଦିନରେ ପାଳନ ହେଲା ‘ରଙ୍ଗବତୀ’ ଦିନ୍

ସମ୍ବଲପୁର: ‘ରଂଗବତୀ’ ରଚୟିତା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ୮୧ତମ ଜନ୍ମଦିନକୁ ଶୁକ୍ରବାର ‘ରଂଗବତୀ ଦିନ’ ଭାବେ ପାଳନ କରାଯାଇଛି। ରଙ୍ଗବତୀ କ୍ରୀଡ଼ା ସଂସ୍କୃତି ଏକାଡେମୀ ବିଲୁଙ୍ଗ ପକ୍ଷରୁ ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଅର୍କ କୁମାର ଦାସମହାପାତ୍ର କହିଲେ, ମିତ୍ରଭାନୁ ଗୌନ୍ତିଆ କେବଳ ଜଣେ ଗୀତିକାର ନୁହନ୍ତି, ସେ ଜଣେ ସ୍ରଷ୍ଟା। ତାଙ୍କ ରଚିତ ରଙ୍ଗବତୀ ଗୀତ ପାଇଁ ସାରା ବିଶ୍ବରେ ଆମକୁ ପରିଚିତି ମିଳିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବରେ ରଂଗବତୀର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ହାସ୍ୟ ଅଭିନେତା ବିନ୍ଦୁ ଏବଂ ଶ୍ରୀ ଗୌନ୍ତିଆଙ୍କ ପତ୍ନୀ କ୍ଷୀରୋଦିନୀ ଗୌନ୍ତିଆ ପ୍ରମୁଖ ଯୋଗ ଦେଇଥିଲେ।

ରଙ୍ଗବତୀ କ୍ରୀଡ଼ା ସଂସ୍କୃତି ଏକାଡେମୀର ସଭାପତି ନିହାଲ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମିତ୍ରଭାନୁ ଗୌନ୍ତିଆଙ୍କ ଗ୍ରନ୍ଥାବଳୀର ପ୍ରଥମ ଭାଗ ‘ଗୀତି କବିତା’ ଉନ୍ମୋଚିତ ହୋଇଥିଲା। ଏକାଡେମୀର ଉପଦେଷ୍ଟା ମଳୟ ବେହେରା ସଭା ପରିଚାଳନା କରିଥିବାବେଳେ ବବୁନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅରୁଣ ପଟେଲ, ମାମିନା ଖାତୁନ, ଆଶିଷ ମହାନନ୍ଦ, ହେମଲତା ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଶ୍ରୀ ହରିପାଲ୍‌ଙ୍କ ରଂଗବତୀ ଗୀତରେ ଶ୍ରୋତା ଝୁମିଥିଲେ। ବିଭୂତି ପଟ୍ଟନାୟକ ଏବଂ ସନ୍ତୋଷ ମିଶ୍ର ମିତ୍ରଭାନୁ ଗୌନ୍ତିଆଙ୍କ ରଚିତ ‘ ଜିଲା ଜିଲା ତେର ଜିଲା..’ ଓ ‘ସୁରୁସୁରୁ ପନିଆ ମୋର୍..’ ଆଦି ଗୀତ ଗାଇଥିଲେ। କେକ୍‌ ବଦଳରେ ତରଭୁଜ କାଟି ଜନ୍ମଦିନ ପାଳନ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀ ଗୌନ୍ତିଆଙ୍କ ଗାଁ’କୁ ରଂଗବତୀ ବିଲୁଙ୍ଗ୍ ଭାବେ ନାମିତ କରା ଯାଇଥିବାବେଳେ, ଏବେ ତାଙ୍କ ଜନ୍ମଦିନକୁ ରଂଗବତୀ ଦିନ ଭାବେ ପାଳନ କରାଯିବାର ପରଂପରା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର