ଭବାନୀପାଟଣା/କେଗାଁ/କେସିଙ୍ଗା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବନ ବିଭାଗ ରେଞ୍ଜ ଅଧିକାରୀ କେଶବ ମାଝୀଙ୍କ ଘରେ ଓ ଅଫିସ୍‌ରେ ଚଢ଼ଉ କରାଯାଇଛି। ଚଢ଼ଉରେ ୨ କୋଟି ୪୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି।

Advertisment

ପ୍ରକାଶ ଯେ, ଭିଜିଲାନ୍ସ ପକ୍ଷରୁ ଆଜି କେଗାଁ ବନ ବିଭାଗ ରେଞ୍ଜ ଅଧିକାରୀ କେଶବ ମାଝୀଙ୍କ କେସିଙ୍ଗା ସହରସ୍ଥିତ ଓମ୍‌ ନଗର  ବାସଭବନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ କେସିଙ୍ଗାରେ ପ୍ଲଟ ନମ୍ବର ୪୧୯/୧୦୨୦/୬୪୭/୯୬୮ ରେ ୫୧୦୦ ବର୍ଗ ମିଟରରେ ପ୍ରାୟ ୧ କୋଟି ୧୮ ଲକ୍ଷ ମୂଲ୍ୟର ତିନି ମହଲା କୋଠା ଥିବା ଜଣାପଡ଼ିଛି। କେସିଙ୍ଗା ସହରରେ ୪ଟି ପ୍ଲଟ୍‌ କିଣା ଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ  ୮୯ ହଜାର ଟଙ୍କା ଅଟେ। ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ୨ ଲକ୍ଷ ୭୮ହଜାର ୬୪୦ ଟଙ୍କା ନଗଦ ରାଶି, ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ରାଶି ଜମା ହୋଇଛି। ୪୭୭ ଗ୍ରାମ ସୁନା ଓ ୩୨୦ ଗ୍ରାମ ରୁପା ରହିଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୬୮ ହଜାର ଅଟେ। ଦୁଇଟି କାର ୨୬ଲକ୍ଷ ୧୫ ହଜାର ଟଙ୍କା ଅଟେ। ୨ଟି ବାଇକ୍‌ର ମୂଲ୍ୟ ୩ ଲକ୍ଷ ୨୩ ହଜାର ଅଟେ। ଗୃହ ସାମଗ୍ରୀ ବାବଦକୁ ପ୍ରାୟ ୧୩ ଲକ୍ଷ ୪ ହଜାର ଟଙ୍କା ଆକଳନ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। କେସିଙ୍ଗା ସହରର ଓମନଗର, ଜନ୍ମମାଟି ବ୍ରାହ୍ମଣୀ ଗାଁ, କେଗାଁ ସରକାରୀ ଅଫିସ ଓ ବାସଭବନରେ ଚଢ଼ଉ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।